ଭୁବନେଶ୍ୱର : ଏତଲାର ୨ ବର୍ଷ ପରେ ମାମଲା ରୁଜୁ କରିବା ଜଣେ ଥାନା ଇନ୍ସ୍ପେକ୍ଟରଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି। ୨୦୧୭ ମସିହା ସେପ୍ଟେମ୍ବର ମାସରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନାର ତତ୍କାଳୀନ ଇନ୍ସ୍ପେକ୍ଟର ସୁଧୀର କୁମାର ସାହୁଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ଅଭିଯୋଗକାରିଣୀ ମିତା ଜେନାଙ୍କୁ ଦୁଇ ମାସ ମଧ୍ୟରେ କ୍ଷତିପୂରଣ ଦେବା ପାଇଁ ଗୃହ ବିଭାଗ ଓ ପୁଲିସ ଡିଜିଙ୍କୁ ରାଜ୍ୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ପଟେ ‘ମୋ ସରକାର’ ଯୋଜନାରେ ଥାନା ଓ ମେଡିକାଲରେ ସାଧାରଣ ଲୋକଙ୍କୁ ମିଳୁଥିବା ସେବା ଓ ଆଚରଣକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ରାଜ୍ୟ ମାନବାଧିକାର କମିସନଙ୍କର ଏହି ନିର୍ଦ୍ଦେଶ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ପାଇଁ ଅଡ଼ୁଆ ବଢ଼ାଇଛି।
ସୂଚନା ମୁତାବକ, ୨୦୧୭ ସେପ୍ଟେମ୍ବର ୨୭ ତାରିଖରେ ମିତା ଜେନାଙ୍କ ସ୍ୱାମୀ ରାମଚନ୍ଦ୍ର ଜେନା ଏକ ଧର୍ତ୍ତବ୍ୟ ଅପରାଧରେ ମାମଲା ରୁଜୁ ପାଇଁ ଡେରାବିଶ ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ଏତଲା ଗ୍ରହଣ କରିନଥିଲା। ସେ ରେଜିଷ୍ଟ୍ରି ଡାକ ଯୋଗେ କେନ୍ଦ୍ରାପଡା ଏସ୍ପିଙ୍କ ନିକଟକୁ ତାଙ୍କର ଏତଲା ପଠାଇଥିଲେ। କେନ୍ଦ୍ରାପଡା ଏସ୍ପି ଏହି ଅଭିଯୋଗକୁ ଡେରାବିଶ ଥାନାକୁ ପଠାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାହା ସତ୍ତ୍ବେ ଡେରାବିଶ ଥାନା ଇନସ୍ପେକ୍ଟର ମାମଲା ରୁଜୁ କରିନଥିଲେ। ବରଂ ଏସ୍ପିଙ୍କ ଚିଠିକୁ ଆଧାର କରି ଏକ ଅନୁସନ୍ଧାନ ରିପୋର୍ଟ ଏସ୍ପିଙ୍କୁ ଦାଖଲ କରିଥିଲେ। ଏ ନେଇ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହେବା ପରେ କମିସନ କେନ୍ଦ୍ରାପଡ଼ା ଏସ୍ପିଙ୍କଠାରୁ ଏ ବାବଦରେ ରିପୋର୍ଟ ତଲବ କରିଥିଲେ।
ରିପୋର୍ଟରେ କୁହାଯାଇଥିଲା କି ସେ ସମୟରେ ଡେରାବିଶ ଥାନା ଇନ୍ସ୍ପେକ୍ଟର ଭାବରେ ସୁଧୀର କୁମାର ସାହୁ ରହିଥିଲେ। ଘଟଣା ଘଟିବାର ୨ ବର୍ଷ ପରେ ୨୦୧୯ ମସିହା ମାର୍ଚ୍ଚ ୩ ତାରିଖରେ ମାମଲା ପଞ୍ଜୀକରଣ ହୋଇଥିଲା। ଅର୍ଥାତ୍ ରାଜ୍ୟ ମାନବାଧିକାର କମିସନରେ ଅଭିଯୋଗ ପରେ ହିଁ ମାମଲା ପଞ୍ଜୀକୃତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏବେ ଏହି ବିଳମ୍ବ ସମ୍ପୃକ୍ତ ଅଧିକାରୀଙ୍କ ପାଇଁ କାଳ ହେବାକୁ ଯାଉଛି।