କୁଖ୍ୟାତ ଓଏଲ୍‌ଏକ୍ସ ଗାଡ଼ି ଠକ ତୃପ୍ତି ବିରୋଧରେ ଚାର୍ଜସିଟ୍, ପୁରୁଣା ଗାଡ଼ି ବିକ୍ରି ନାଁରେ କୋଟିକୋଟି ଟଙ୍କା ଠକିଛି

୨୭ ମାମଲାରୁ ୧୭ଟିରେ ଦାଖଲ ହେଲାଣି ଚାର୍ଜସିଟ୍

ଭୁବନେଶ୍ବର,୨୦/୭(ଇମିସ): ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ନାଁରେ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ କୋଟିକୋଟି ଟଙ୍କା ଠକେଇ କରିଥିବା କୁଖ୍ୟାତ ଠକ ତୃପ୍ତି ରଞ୍ଜନ ଦାସ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ବଡ଼ଗଡ଼ ଥାନା ପୁଲିସ। ବଡ଼ଗଡ଼ ଥାନାରେ ରୁଜୁ ହୋଇଥିବା ୨୭ଟି ମାମଲାରୁ ପ୍ରାୟ ୧୭ଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଛନ୍ତି ତଦନ୍ତକାରୀ ଅଧିକାରୀ। ଭୁବନେଶ୍ବର ଏସଡିଜେଏମଙ୍କ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଅଭିଯୋଗକାରୀଙ୍କ ସମେତ ଏକାଧିକ ସାକ୍ଷୀ ରହିଛନ୍ତି। ସେହିପରି ତୃପ୍ତି ଦେଇଥିବା ତା କମ୍ପାନିର ରସିଦ୍, କିଣାବିକାର ଚୁକ୍ତିପତ୍ର(ଏଗ୍ରିମେଣ୍ଟ), ବାଉନ୍ସ କରି ଯାଇଥିବା ଚେକ୍, ଫୋନରେ ଦିଆ ଯାଇଥିବା ମେସେଜକୁ ଦସ୍ତାବିଜ୍ ସବୁ ପ୍ରମାଣ ଆକାରରେ ଦାଖଲ କରାଯାଇଛି। ତୃପ୍ତି କେମିତି ଲୋକଙ୍କୁ ଠକିଛି ତାହା ବର୍ଣ୍ଣନା କରାଯାଇଛି ଚାର୍ଜସିଟ୍‌ରେ। ଆହୁରି ୧୦ରୁ ଅଧିକ ମାମଲାରେ ବି ତା’ ବିରୋଧରେ ଖୁବ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର କୁଖ୍ୟାତ ଠକ ତୃପ୍ତି ସେକେଣ୍ଡ ହ୍ୟାଣ୍ଡ ଚାରି ଚକିଆ ଗାଡ଼ି ବିକ୍ରି ନାଁରେ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇ ଅନେକ ଲୋକଙ୍କୁ କୋଟିକୋଟି ଟଙ୍କାର ଚୂନ ଲଗାଇଛି। ଗୋଟିଏ ଗାଡ଼ିକୁ ଏକାଧିକ ଲୋକଙ୍କୁ ବିକ୍ରି କରିଛି। ଗତ ଏପ୍ରିଲ ୧୨ରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ସେ ଜେଲରେ ରହିଛି। ତା’ ବିରୋଧରେ ବଡ଼ଗଡ଼ ଥାନାରେ ପ୍ରାୟ ୩୦ଟି ମାମାଲ ରୁଜୁ ହେଲାଣି। ମାଲକାନଗିରିରୁ ଆରମ୍ଭ କରି ମୟୂରଭଞ୍ଜ, ସୁନ୍ଦରଗଡ଼ରୁ ଆରମ୍ଭ କରି ଯାଜପୁର ପର୍ଯ୍ୟନ୍ତ ଲୋକଙ୍କୁ ଠକିଛି ତୃପ୍ତି। ଏପରିକି ବିଶାଖାପାଟଣାରେ ଲୋକଙ୍କୁ ଠକେଇ କରିଥିବା ନେଇ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ମଧ୍ୟ ଅନେକ ଥର ଏକାଧିକ କମ୍ପାନି ଖୋଲି ସମାନ ଧରଣର ଠକେଇ କରି ଜେଲ୍ ଯାଇଥିଲା ତୃପ୍ତି। କିନ୍ତୁ ଏଥର ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

ରୁଜୁ ହେଲା ୩ ନୂଆ ମାମଲା‌; ଶହେ ଟପିଯିବ!
ତୃପ୍ତି ବିରୋଧରେ ଠକେଇ ମାମଲା ସଂଖ୍ୟା ଶହେ ଟିପ ଯାଇପାରେ। ଏ ଥର ତୃପ୍ତି ଗିରଫ ହେବା ପରେ ତା ବିରୋଧରେ ପ୍ରାୟ ୩୦ ମାମଲା ରୁଜୁ ହେଲାଣି। ସପ୍ତାହକ ଭିତରେ ଆଉ ତିନି ଜଣ ତୃପ୍ତି ବିରୋଧରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ପୂର୍ବରୁ ତା’ ବିରୋଧରେ ରାଜଧାନୀ ସମେତ ଏକାଧିକ ଜିଲ୍ଲାର ଲୋକଙ୍କୁ ଠକିବା ଅଭିଯୋଗରେ ୫୦ରୁ ଅଧିକ ମାମଲା ରହିଛି। ଏବେ ବି ଥାନାକୁ ଅଭିଯୋଗ ଆସୁଥିବାରୁ ମାମଲା ସଂଖ୍ୟା ଶହେ ଛୁଇଁବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର