ଭୁବନେଶ୍ୱର: ଉନ୍ନତ ଶିଶୁ ଏକ ପ୍ରଗତିଶୀଳ ରାଜ୍ୟର ଲକ୍ଷଣ। ଶିଶୁ ଉନ୍ନତି କଲେ, ରାଜ୍ୟର ବିକାଶ ହୁଏ। ତେଣୁ ଏଭଳି ପ୍ରସଙ୍ଗରେ ବିଧାୟକମାନଙ୍କ ସହଭାଗିତା ଜରୁରୀ। ଓଡ଼ିଶାରେ ଶିଶୁ ଅଧିକାର ସୁରକ୍ଷା ଓ ସେମାନଙ୍କର ଜୀବନ ଧାରଣମାନରେ ସାମଗ୍ରୀକ ଉନ୍ନତି ଆଣିବା ପାଇଁ ୟୁନିସେଫ୍ ଓ ଗ୍ଲୋବାଲ୍ ପଲିସି ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ବୁଧବାର ହୋଟେଲ ମେ ଫେୟାର ଲାଗୁନ୍ ଠାରେ ଆୟୋଜିତ ଆଲୋଚନାଚକ୍ରରେ ଅତିଥିମାନେ ଏଭଳି କହିଛନ୍ତି। ବିଧାୟକମାନଙ୍କୁ ଶିଶୁ ବିକାଶ ଯୋଜନାରେ ସିଧାସଳଖ ସାମିଲ୍ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମରେ ୟୁନିସେଫ୍ ମାଧ୍ୟମରେ ଶିଶୁ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଓଡ଼ିଶା ବିଧାନସଭା ସଦସ୍ୟମାନଙ୍କୁ ଏକ ‘ଚାର୍ଟର ଅଫ୍ ଡିମାଣ୍ଡସ୍’ ପ୍ରଦାନ କରାଯାଇଛି। ତୃଣମୂଳସ୍ତରରେ ଶିଶୁମାନଙ୍କର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ବିଧାୟକମାନଙ୍କର ସହଭାଗିତା ଜରୁରୀ ବୋଲି ଏହି ଆଲୋଚନାଚକ୍ରର ମୁଖ୍ୟ ପ୍ରସଙ୍ଗ ଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ରାଜ୍ୟର ପ୍ରଗତି ଶିଶୁମାନଙ୍କର ଉନ୍ନତି ଉପରେ ନିର୍ଭରଶୀଳ। ସେମାନଙ୍କ ଅଧିକାର ସୁରକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ କରାଯିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଶିଶୁମାନଙ୍କର ସାମଗ୍ରିକ ଉନ୍ନତି ସରକାରଙ୍କ ଲକ୍ଷ୍ୟ ହେବା ଉଚିତ ବୋଲି ସେ କହିଥିଲେ। ସମ୍ପ୍ରତି ବିଭିନ୍ନ ସରକାରୀ ଯୋଜନାରେ ବହୁ ସଂଖ୍ୟକ ଶିଶୁ ଉପକୃତ ହେଉଥିଲେ ବି ସେମାନଙ୍କ ଉନ୍ନତି ପାଇଁ ବିଧାନସଭା ଦ୍ବାରା ଏକ ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରିବା ଦରକାର ବୋଲି ସେ କହିଥିଲେ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ ଯେ ଶିଶୁମାନଙ୍କ ମତାମତ ଅଧାରରେ ଶିଶୁ ଅଧିକାର ଉପଯୋଗୀ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା, ବାଲ୍ୟ ବିବାହ ପୂରା ନିଷେଧ କରିବା ଓ ଶିକ୍ଷା ଅଧିକାର ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି। ଶିଶୁମାନଙ୍କର ଆବଶ୍ୟକତାର ଯତ୍ନ ନେବା ପ୍ରତ୍ୟେକ ରାଜନୈତିକ ଦଳର ଗୁରୁ ଦାୟିତ୍ବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। ବିଧାୟକମାନେ ଶିଶୁମାନଙ୍କର ବାସ୍ତବ ସମସ୍ୟା ଉପରେ ବିଧାନସଭା କମିଟି ମାଧ୍ୟମରେ ଆଲୋଚନା ଓ ପର୍ଯ୍ୟାଲୋଚନା କରି ସେମାନଙ୍କର ଦାବିର ଯଥାର୍ଥ ପ୍ରତିଫଳନ କରାଇବାକୁ ବିଧାୟକ ଶ୍ରୀ ମାଝୀ ଓ ଶ୍ରୀ ସେଠୀ ପ୍ରତିଶ୍ରୁତି ଦେଇଥିଲେ।
ଶିଶୁ ଅଧିକାର ସୁରକ୍ଷା ସଂପର୍କକୁ ନେଇ ଉପସ୍ଥାପିତ ଚାର୍ଟରର ଉତ୍ତର ଦେବା ସହ ଶିଶୁମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କର ସମ୍ବଳ ଓ ବିଧାୟକ ପାଣ୍ଠି ବ୍ୟବହାର କରିବା ପାଇଁ ଏହି ଅବସରରେ ଉପସ୍ଥିତ ବିଧାୟକମାନେ ପ୍ରତିଶ୍ରୁତି ଦେଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ଥିବା ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ସୁବିଧା, ଉପଯୁକ୍ତ ଭିତ୍ତିଭୂମି ସୁନିଶ୍ଚିତ କରିବା, ପୃଥକ ଶୌଚାଳୟ ନିର୍ମାଣ କରିବା ପାଇଁ ବହୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ଶଶି ଭୂଷଣ ବେହେରା, ଲତିକା ପ୍ରଧାନ, ଉଷା ଦେବୀ, ସୀମାରାଣୀ ନାୟକ, ସୂର୍ଯ୍ୟମଣି ବୈଦ୍ୟ, ରୀତା ସାହୁ, ସୁନନ୍ଦା ଦାସ, ମଞ୍ଜୁଳା ସ୍ବାଇଁ, ମିନାକ୍ଷୀ ମହନ୍ତ, ବାସନ୍ତୀ ହେମ୍ବ୍ରମ, ମୁକେଶ ମହାଲିଙ୍ଗ, ସୁକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।