ଜଟଣୀ: ପୂର୍ବାହ୍ଣ ପ୍ରାୟ ୧୧ଟା। ହଠାତ୍ ଜଟଣୀ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଲା ଏକ ଭୟଙ୍କର ଦୃଶ୍ୟ। ଜଣେ ଯୁବକ ପ୍ରାଣ ବିକଳରେ ଧାଉଁଥାଆନ୍ତି ଏବଂ ତାଙ୍କ ପଛେପଛେ କଟୁରି ଧରିଥିବା ଜଣେ ଯୁବକ ଗୋଡ଼ାଉଥାଆନ୍ତି। ଦିନ ଦିପହରରେ ଶହଶହ ଲୋକ ଦେଖୁଥିଲେ ବି କ୍ରୋଧ ଜର୍ଜରିତ କଟୁରିଧାରୀ ଯୁବକକୁ କାବୁ କରିବା ଲାଗି କାହାର ଜୁ ନଥିଲା। ଦୌଡ଼ୁଥିବା ଯୁବକ ଜଟଣୀ ଥାନା ଭିତରକୁ ପଶିଯିବା ପାଇଁ ଉଦ୍ୟମ କରୁଥିଲେ, କିନ୍ତୁ ଠିକ୍ ତା’ ପୂର୍ବରୁ ପଛରୁ ତାଙ୍କ ବେକରେ ପଡ଼ିଲା କଟୁରି ଚୋଟ। ଫଳରେ ଯୁବକଜଣକ ସେଇଠି ତଳେ ପଡ଼ିଗଲେ। ଏହାପରେ ରକ୍ତମୁଖା ଯୁବକଜଣକ ଚୋଟ ପରେ ଚୋଟ ମାରିଚାଲିଲା। ପୁଲିସ ଚିତ୍କାର ଶୁଣି ଧାଇଁ ଆସିଲା ଏବଂ କଟୁରିରେ ହାଣୁଥିବା ଯୁବକକୁ କାବୁ କଲା। ସୌଭାଗ୍ୟକୁ ୫/୬ ଚୋଟରେ ଗୁରୁତର ହୋଇଥିବା ଯୁବକଜଣକ ମରୁମରୁ ବର୍ତ୍ତିଗଲେ। ଚଳଚ୍ଚିତ୍ରର ଦୃଶ୍ୟ ଭଳି ଥିଲା ଆଜି ଜଟଣୀରେ ଘଟିଥିବା ଏହି ଆକ୍ରମଣର ଦୃଶ୍ୟ। ଆକ୍ରମଣର ଶିକାର ଯୁବକ ହେଲେ ବାଛରାପାଟଣା ଗାଁର ଚନ୍ଦନ ନାଏକ(୩୩)। ଏବେ ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପୁଲିସ ଆକ୍ରମଣକାରୀ ଗଞ୍ଜାମ ରମ୍ଭା ଅଞ୍ଚଳର ସୁଶାନ୍ତ ନାଏକକୁ କୋର୍ଟ ଚାଲାଣ କରିଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୪ବର୍ଷ ପୂର୍ବେ ସୁଶାନ୍ତର ସ୍ତ୍ରୀଙ୍କୁ ଚନ୍ଦନ ଭଲ ପାଇ ଉଠାଇଆଣିଥିଲା। ଚନ୍ଦନ ବିବାହିତ ଏବଂ ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ ସୁଶାନ୍ତଙ୍କ ସ୍ତ୍ରୀଙ୍କୁ ନିଜ ପାଖରେ ରଖିଥିଲା। ସେବେଠୁ ସୁଶାନ୍ତ ପ୍ରତିଶୋଧ ନେବା ପାଇଁ ସୁଯୋଗ ଉଣ୍ଡୁଥିଲା। ଚନ୍ଦନକୁ ହତ୍ୟା କରିବା ଲକ୍ଷ୍ୟ ନେଇ ସେ ବ୍ରହ୍ମପୁରରୁ ଜଟଣୀ ଆସୁଥିଲା ଏବଂ ଛକି ରହୁଥିଲା। ମାତ୍ର ସୁଯୋଗ ନପାଇ ଫେରୁଥିଲା। ଆଜି ତାକୁ ସୁଯୋଗ ମିଳିଯାଇଥିଲା। ଚନ୍ଦନ ଜଟଣୀ ପୋଷ୍ଟ ଅଫିସ୍ ନିକଟରେ ଏକୁଟିଆ ଥିବା ଦେଖି ସୁଶାନ୍ତ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଗଲା। ସେ ଅଣ୍ଟାରୁ କଟୁରି ବାହାର କରି ହାଣିବାକୁ ଝପଟି ଆସିବା ବେଳେ ଚନ୍ଦନର ନଜର ପଡ଼ିଗଲା। ତେଣୁ ଚନ୍ଦନ ଦୌଡ଼ିଲା ଏବଂ ନିକଟରେ ଥାନା ଥିବାରୁ ସେହିଦିଗରେ ଧାଇଁଲା। କିନ୍ତୁ ଥାନା ପରିସରକୁ ପଶିଯିବା ପୂର୍ବରୁ ସୁଶାନ୍ତର କଟୁରି ଚୋଟରେ ଘାଇଲା ହେଲା। ଚନ୍ଦନର ବେକ, ହାତ, ଗୋଡ଼ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି।