‘ଛଟ୍‌’ ପାଇଁ କୁଆଖାଇ ନଦୀ ପଠା ଲୋକାରଣ୍ୟ, ପରିବାରର ଶୁଭ ମନାସିଲେ ବିହାରୀ ମହିଳା

ଭୁବନେଶ୍ୱର: ଆଜି କୁଆଖାଇ ନଦୀ ପଠା ଥିଲା ଲୋକାରଣ୍ୟ। ରଙ୍ଗବେରଙ୍ଗ ବେଲୁନ୍‌, ଭଳିକି ଭଳି ଖେଳନାର ପସରା ପୁଣି ମହିଳାମାନଙ୍କ ବନ୍ଦାଣ ଓ ହୁଳହୁଳିର ଶବ୍ଦ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଥିଲା। ଅବସର ଥିଲା ବିହାରୀ ସଂପ୍ରଦାୟର ବଡ଼ ପର୍ବ ‘ଛଟ୍‌’ର। ବିହାରୀ ସଂପ୍ରଦାୟର ପ୍ରତ୍ୟେକ ବିବାହିତ ମହିଳା ଏହି ପର୍ବଟିକୁ ପାଳନ କରିଥାନ୍ତି। ଏଥିରେ ସୂର୍ଯ୍ୟଙ୍କୁ ଆରାଧନା କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ବହୁ ସଂଖ୍ୟାରେ ବିହାରୀ ମହିଳା ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ କୂଳରେ ଏକାଠି ହୋଇ ସୂର୍ଯ୍ୟଙ୍କୁ ପୂଜା କରିଥିଲେ। ସୂର୍ଯ୍ୟ ଷଷ୍ଠୀର ମହତ୍ତ୍ୱକୁ ଉପଲବ୍ଧି କରି ଏହି ପୂଜାକୁ ଛଟ୍‌ ବା ଡାଲା ଛଟ୍‌ କୁହାଯାଏ। ୪ ଦିନ ଧରି ପାଳିତ ହେଉଥିବା ଏହି ପର୍ବ ଶୁକ୍ଳ ପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଚାଲେ। ଚତୁର୍ଥୀ ଦିନକୁ ‘ନହାଖା’ (ଗାଧୋଇ ସାରି ଖାଦ୍ୟ ଖାଇବା) କୁହାଯାଇଥାଏ। ଏହିଦିନ ନଦୀରେ ଗାଧୋଇବା ପରେ ଘରକୁ ପାଣିରେ ସଂପୂର୍ଣ ଧୁଆ ଯାଇଥାଏ। ତା’ପରେ ଭୋଜନ ଗ୍ରହଣ କରାଯାଇଥାଏ। ପଞ୍ଚମୀ ଦିନକୁ ‘ଖରାନା’ କୁହାଯାଇଥାଏ। ଦିନବେଳା ପୂରା ଉପାସ ରହିବାକୁ ପଡ଼େ। ମହିଳାମାନେ ସୂର୍ଯ୍ୟାସ୍ତ ପରେ ଭାତ, ପୁରୀ ଏବଂ କ୍ଷୀରି ଆଦି ଖାଇଥାନ୍ତି। ଏହା ପରେ ୩୬ ଘଣ୍ଟା ପର୍ଯ୍ୟନ୍ତ ପୂରା ଉପାସ ରହିବାକୁ ପଡ଼େ।

ଆଜି ଥିଲା ଷଷ୍ଠୀ ଅର୍ଥାତ ଛଟ୍‌ ପୂଜାର ତୃତୀୟ ଦିବସ। ଆଜି ଅପରାହ୍‌ଣରେ ମହିଳାମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ। ସେଥିପାଇଁ ଭୁନେଶ୍ୱରରେ ବିହାରୀ ସଂପ୍ରଦାୟ ଲୋକଙ୍କୁ ନେଇ ଗଢି ଉଠିଥିବା ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘କୁଆଖାଇ ଛଟ୍‌ ପୂଜା ସମିତି’ ପକ୍ଷରୁ ବେଶ୍‌ ଆଡ଼ମ୍ବରରେ ଏହାକୁ ପାଳନ କରାଯାଇଥିଲା। ଏଥିପାଇଁ କୁଆଖାଇ ନଦୀକୂଳରେ ପ୍ରାୟ ୬ କି.ମି ଅଞ୍ଚଳକୁ ନେଇ ‘ଛଟ୍‌ ଘାଟ୍‌’ ପ୍ରସ୍ତୁତ ହୋଇଥିଲା। ଅପରାହ୍‌ଣ ୪.୩୦ରୁ ସଂଧ୍ୟା ୫.୩୦ଟା ମଧ୍ୟରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ଅର୍ଘ୍ୟ ଦିଆଯାଇଥିଲା। ନଦୀତଟରେ ପ୍ରାୟ ୫୦୦ରୁ ଊର୍ଧ୍ବ ବ୍ରତଧାରୀ ସୂର୍ଯ୍ୟ ଦେବତାଙ୍କ ପୂଜା କରିଥିବା ବେଳେ ପ୍ରାୟ ୩,୫୦୦ ଲୋକ ଏକତ୍ରିତ ହୋଇଥିଲେ ବୋଲି ସମିତି ପକ୍ଷରୁ ସୂଚନା ମିଳିଛି। ଖାଲି ଭୁବନେଶ୍ୱର କାହିଁକି ଖୋର୍ଧା ଓ ଜଟଣୀ ସହ ଆଖପାଖ ଅଞ୍ଚଳର ବହୁ ବିହାରୀ ଲୋକ ଏଠାକୁ ଆସିଥିଲେ। ଏତେ ସଂଖ୍ୟାରେ ଜନସମାଗମକୁ ନିୟନ୍ତ୍ରଣ କରିବା ପାଇଁ ନଦୀତଟରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ବିଧି ମୁତାବକ ଆଜି ରାତିରେ ମହିଳାମାନେ ପୂରା ଉପବାସ ରହିବେ। ଏହାପରେ ଆସନ୍ତାକାଲି ଅର୍ଥାତ ସପ୍ତମୀ ଦିନ ସକାଳୁ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେବେ। ତା’ ପରେ ସେମାନେ ଖାଦ୍ୟ ଗ୍ରହଣ କରିବେ।

‘ଠେକୁଆ ଓ ଭୁସବା’ ବିନା ଛଟ୍‌ ପୂଜା ଅଧା
ନଦୀ ତଟକୁ ପୂଜା କରି ଆସିଥିବା କାବ୍ୟା ସିଂହ କୁହନ୍ତି, ଛଟ୍‌ ପୂଜା ପାଇଁ ବହୁ ନିଷ୍ଠାର ସହ ଭୋଗ ପ୍ରସ୍ତୁତ କରାଯାଇଥାଏ। ଯଦିଓ ଭୋଗ ଥାଳିରେ ଫଳ ଏବଂ ଅନ୍ୟାନ୍ୟ ଭୋଗ ସାମଗ୍ରୀ ଅଧିକ ବଢ଼ାଯାଇଥାଏ, କିନ୍ତୁ ଠେକୁଆ ଏବଂ ଭୁସବା ବିନା ଭୋଗ ଅଧା। ଘିଅ, ଗୁଡ଼ ଓ ଅଟାରେ ଏହି ‘ଠେକୁଆ ପିଠା’ ଗଢ଼ା ହୋଇଥାଏ। ଯାହା କେବଳ ଘରେ ପ୍ରସ୍ତୁତ କରାଯିବାର ବିଧି ଅଛି। ଏହି ସମୟରେ ଧ୍ୟାନ ରଖିବାକୁ ପଡ଼ିଥାଏ ଯେ ଭୋଗ ପାଇଁ ପ୍ରସ୍ତୁତ କୌଣସି ସାମଗ୍ରୀକୁ ପିଲା କି ଚଢ଼େଇ ଯେମିତି ଅଇଁଠା ନ କରନ୍ତି। ଯଦି ଏହା ହୁଏ ତେବେ ସୂର୍ଯ୍ୟ ଦେବତା ରାଗି ଯାଆନ୍ତି ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର