ଭୁବନେଶ୍ବର: ରାଜଧାନୀରେ ସୂର୍ଯ୍ୟଦେବଙ୍କ ଆରଧାନାର ପର୍ବ ‘ଛଠ୍ପୂଜା’ ଧୁମ୍ଧାମ୍ରେ ପାଳନ କରାଯାଉଛି। ଆଜି ଅପରାହ୍ଣ ସାଢ଼େ ୩ଟାରୁ ଛଠ୍ପୂଜା ପାଇଁ ନଦୀଘାଟରେ ଆୟୋଜନ ଆରମ୍ଭ କରାଯାଇଥିଲା। ବ୍ରତଧାରୀମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ପୂଜା ଆରମ୍ଭ କରିଥିଲେ। ଶୁକ୍ରବାର ପ୍ରତ୍ୟୁଷରେ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହିତ ଏହି ପୂଜା ସମାପନ ହେବ। ଏହି ପର୍ବକୁ ଉତ୍ତର ଭାରତରୁ ଆସି ରାଜଧାନୀରେ ରହୁଥିବା ଲୋକମାନେ ପାଳନ କରନ୍ତି। ତେବେ ବିଶେଷକରି ଅବିଭକ୍ତ ବିହାର ଓ ଉତ୍ତରପ୍ରଦେଶରୁ ଆସିଥିବା ଲୋକଙ୍କ ପାଇଁ ଏହା ବିଶେଷ ଗୁରୁତ୍ବ ବହନ କରେ। ବର୍ତ୍ତମାନ ତ ରାଜଧାନୀର ଅନେକ ଓଡ଼ିଆ ପରିବାର ମଧ୍ୟ ଏହାକୁ ପାଳନ କରୁଛନ୍ତି।
ସୂଚନାଯୋଗ୍ୟ ଯେ ଏହି ବ୍ରତ ପାଳନ ସମୟରେ ଉଭୟ ମହିଳା ଓ ପୁରୁଷ ନିର୍ଜଳା ଉପବାସ ରଖି ସୂର୍ଯ୍ୟ ଦେବତାଙ୍କ ପାଖରେ ନିଜ ପରିବାରର ମଙ୍ଗଳ କାମନା କରିଥାନ୍ତି। ଶାସ୍ତ୍ରାନୁଯାୟୀ, ସୂର୍ଯ୍ୟଦେବଙ୍କର ଜନ୍ମସ୍ଥଳୀ ‘କଳିଙ୍ଗ’, ଯାହାକି ବର୍ତ୍ତମାନ ଓଡ଼ିଶା ନାମରେ ପରିଚିତ। କିନ୍ତୁ ଓଡ଼ିଶାରେ ଛଠ୍ପର୍ବ ଲୁକ୍କାୟିତ ହୋଇରହିଛି। ଗତ ୨୩ ବର୍ଷ ଧରି ଭୁବନେଶ୍ୱରସ୍ଥିତ ଛଠ୍ ପୂଜା କମିଟି ପକ୍ଷରୁ ଭୁବନେଶ୍ୱର-କଟକ ରାସ୍ତାର ହଂସପାଳ ନିକଟ କୁଆଖାଇ ନଦୀପଠାରେ ଛଠ୍ପୂଜା ଆୟୋଜିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ କମିଟି ଦ୍ୱାରା କୁଆଖାଇ ନଦୀ ତଟସ୍ଥ ଜରିପାଟଣା ନୂଆ ବାଲିଯାତ୍ରା ପଡ଼ିଆଠାରେ ପୂଜାର ଆୟୋଜନ କରାଯାଇଛି।
ଏହି ପର୍ବର ପ୍ରଥମ ଦିନରେ ଗୃହିଣୀମାନେ ଗୃହ କାର୍ଯ୍ୟରୁ ନିବୃତ୍ତ ରହି ପ୍ରାତଃସ୍ନାନ ସାରିବା ପରେ ସାତ୍ତ୍ବିକ ଭୋଜନ କରନ୍ତି। ବ୍ରତଧାରୀ ମହିଳାମାନେ ଅନ୍ନ, ଡାଲି, ବିନା ପିଆଜ-ରସୁଣରେ ତିଆରି ଲାଉ ତରକାରି ଏକ ଭିନ୍ନ ଚୁଲିରେ ପ୍ରସ୍ତୁତ କରି ପ୍ରସାଦ ଭାବେ ସେବନ କରିଥାନ୍ତି। ଏହି ପୂଜା ନଦୀ କିମ୍ବା ପୋଖରୀ ତଟରେ ପାଳନ କରାଯାଇଥାଏ। ଏପରିକି ପୋଖରୀ କିମ୍ବା ନଦୀର ସୁବିଧା ନଥିଲେ ଭକ୍ତମାନେ ମାଟି ଖୋଳି ସେଥିରେ ପାଣି ଭର୍ତ୍ତିକରି ସୂର୍ଯ୍ୟଦେବଙ୍କ ଆରାଧନା କରିଥାନ୍ତି। ପୂଜା ସାରି ସୂର୍ଯ୍ୟାସ୍ତ ପରେ ମହିଳାମାନେ ଘରକୁ ଫେରିଥାନ୍ତି। ପର୍ବର ଦ୍ବିତୀୟ ଦିବସରେ ସପରିବାର ଛଠ୍ମାତାଙ୍କ ଆରାଧନା କରିଥାନ୍ତି। ସନ୍ଧ୍ୟାରେ ପ୍ରସାଦ ଭାବେ ନୂଆ ଚାଉଳ ଓ ଗୁଡ଼ ମିଶ୍ରଣରେ ଖିରି ପ୍ରସ୍ତୁତ ହୁଏ। ପୁରୁଷମାନେ ଏହି ପ୍ରସାଦକୁ କୁଲାରେ ମୁଣ୍ଡାଇ ଖାଲିପାଦରେ ଘାଟ ପର୍ଯ୍ୟନ୍ତ ନେଇଥାନ୍ତି। ମହିଳାମାନେ ସୂର୍ଯ୍ୟଦେବଙ୍କ ବନ୍ଦାଣ କରି ପଛରେ ଚାଲିଥାନ୍ତି। ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ପରେ ଏହି ପର୍ବ ସମାପନ ହୋଇଥାଏ। ବିଶ୍ବାସ ରହିଛି ଯେ ଏହି ବ୍ରତ ପାଳନ ଦ୍ବାରା ଚର୍ମରୋଗ, ନେତ୍ରରୋଗ ଭଲ ହେବାସହିତ ପରିବାରର ମଙ୍ଗଳ ହୋଇଥାଏ ଏବଂ ଛଠିମାତା ସଭିଙ୍କ ମନସ୍କାମନା ପୂରଣ କରିଥାନ୍ତି।