ଖନନ କାମ ରୋକିଲେ ଛଟେଇ କର୍ମଚାରୀ, ଶୁକଶାରି ଦେଉଳ ପୁନରୁଦ୍ଧାର ପ୍ରକ୍ରିୟା ବାଧାପ୍ରାପ୍ତ

ପୁରୁଣା ଭୁବନେଶ୍ୱର : ଶୁକଶାରି ଦେଉଳ ପାର୍ଶ୍ବରୁ ପ୍ରାଚୀନ ମନ୍ଦିର ଭଗ୍ନାବଶେଷ ମିଳିବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଆଜି ସେଠାରେ ପୁଣି ଖନନ କାର୍ଯ୍ୟ ଚାଲିଥିଲା। ମାତ୍ର ପୂର୍ବରୁ କାମ କରୁଥିବା କର୍ମଚାରୀମାନେ ପ୍ରତିବାଦ କରିବାରୁ କାମ ଅଧାରୁ ବନ୍ଦ ରହିଥିଲା। ଏଏସ୍ଆଇ ଅଧିକାରୀ ଓ କର୍ମଚାରୀମାନେ ସେଠାରେ ବସି ବସି ଫେରିଥିଲେ।

ଆଜି ସକାଳୁ ଏଏସ୍‌ଆଇର ୮ଜଣ ଅଧିକାରୀଙ୍କ ସହ ୧୦ ଜଣ କର୍ମଚାରୀ ସର୍ଭେ କରିବା ସହ ମାଟି ବାହାର କରିବାକୁ ଯାଇଥିଲେ। କିନ୍ତୁ ପୂର୍ବରୁ ଛଟେଇ ହୋଇଥିବା ୨୫ରୁ ଉର୍ଦ୍ଧ୍ବ କର୍ମଚାରୀ ସେମାନଙ୍କୁ ଦୃଢ଼ ବିରୋଧ କରିଥିଲେ। ଫଳରେ ପୁନରୁଦ୍ଧାର କାମ ହୋଇପାରି ନଥିଲା। ଏନେଇ ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ଶ୍ରୀଲିଙ୍ଗରାଜ ଥାନା ଓ ଭୁବନେଶ୍ବର ଡିସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ୩ରୁ ରାଜ୍ୟର ଶହେଜଣ ଶ୍ରମିକଙ୍କୁ ଏକକାଳୀନ ଛଟେଇ କରାଯାଇଥିଲା। ଏପରି ଛଟେଇକୁ ବିରୋଧ କରି ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ଧରି ଧାରଣା ଦେଇଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଏନେଇ ଛଟେଇ କର୍ମଚାରୀଙ୍କ ନେତା ସେଣ୍ଟର ଫର୍‌ ଭୁବନେଶ୍ବର ଟ୍ରେଡ୍‌ ୟୁନିୟନ୍‌ର ସଭାପତି ନବ ମହାନ୍ତି ଓ ସାଧାରଣ ସମ୍ପାଦକ ଦିଲୀପ ପ୍ରଧାନଙ୍କ କହିବା କଥା, ପୁରୁଣା କର୍ମଚାରୀଙ୍କୁ କାମରେ ନ ରଖିଲେ ସେମାନେ ବୁଲ୍‌ଡୋଜର ଆଗରେ ଶୋଇବେ। ଠିକା କାମ ବନ୍ଦ ନକଲେ, ଛଟେଇ କର୍ମଚାରୀମାନେ ଆତ୍ମହତ୍ୟା କରିବେ। କିନ୍ତୁ ଅଧୀକ୍ଷକ ଶ୍ରୀ ମଲ୍ଲିକଙ୍କ କହିବା କଥା, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ମଷ୍ଟରରୋଲ୍‌ ବ୍ୟବସ୍ଥାରେ ଏବେ ଏଏସ୍ଆଇ ପକ୍ଷରୁ ଆଉଟ୍‌ସୋର୍ସ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଯାଉଛି। ମାତ୍ର ଛଟେଇ ହୋଇଥିବା ପୁରୁଣା କର୍ମଚାରୀମାନେ ଠିକାଦାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ରାଜି ନୁହନ୍ତି। ସେମାନଙ୍କ ବିରୋଧ ଯୋଗୁଁ କାର୍ଯ୍ୟ ହୋଇପାରିନାହିଁ। ତେଣୁ ପୁଲିସ ସୁରକ୍ଷା ଲାଗି ଡିସିପିଙ୍କୁ ଚିଠି କରାଯାଇଛି। ସୁରକ୍ଷା ମିଳିଲେ କାର୍ଯ୍ୟ ଆରମ୍ଭ ହେବ। ଏନେଇ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ କହିବା କଥା, ପୁରୁଣା କର୍ମଚାରୀଙ୍କୁ ବୁଝାଯାଇଛି। ମାତ୍ର ସେମାନେ କାମ ବନ୍ଦ କରିବାକୁ ଚେଷ୍ଟା କଲେ, ଡିସିପିଙ୍କ ନିର୍ଦେଶକ୍ରମେ ପୁଲିସ ଫୋର୍ସଙ୍କ ସୁରକ୍ଷାରେ କାମ କରାଯିବ।

ଉଲ୍ଲେଖଯୋଗ୍ୟ, ଏକାମ୍ର ଯୋଜନାରେ ଖୋଳାତଡ଼ା ଚାଲିଥିବା ବେଳେ ଶୁକଶାରି ମନ୍ଦିରର କିଛି ଅଂଶ ଦୃଶ୍ୟମାନ ହୋଇଥିଲା। ତେଣୁ ପରେ ଶାରି ଦେଉଳ ନିକଟରେ ଏଏସ୍ଆଇ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ଶାରି ଦେଉଳ ଚାରିପଟେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଫଳରେ ମୁଖ୍ୟ ମନ୍ଦିର ଚାରିପଟେ ଥିବା ଛୋଟ ମନ୍ଦିର ମାଟି ତଳୁ ବାହାରିବା ଦେଖିବାକୁ ମିଳିଥିଲା। ତେବେ ସେସବୁ ଶୁକଶାରି ମନ୍ଦିରର ଅଂଶବିଶେଷ କିମ୍ବା ଭିନ୍ନ କେଉଁ ମନ୍ଦିରର; ସେନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। କୃଷ୍ଣଚନ୍ଦ୍ର ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ କଡ଼ରେ ମାଟି ତଳେ ମଧ୍ୟ ଏକ ମନ୍ଦିର ଦେଖିବାକୁ ମିଳିଛି। ଭଗ୍ନାବଶେଷର ସବିଶେଷ ସର୍ଭେ ପାଇଁ ସଂସ୍ଥାର ବୈଷୟିକ କମିଟି ପକ୍ଷରୁ ଚଟାଣ ପାର୍ଶ୍ବ ଧ୍ୟାନ କରାଯାଇଛି। ଫଳରେ ଭବାନୀଶଙ୍କର ମନ୍ଦିର ନିକଟରେ ଆଉ ଏକ ପ୍ରାଚୀନ ମନ୍ଦିର ଆବିଷ୍କୃତ ହୋଇଛି। ଏହି ପୁରାତନ ମନ୍ଦିରଟିର ଶୀର୍ଷଭାଗ ପର୍ଯ୍ୟନ୍ତ ମାଟି ତଳେ ପୋତି ହୋଇ ରହିଛି। ଏହା ଏକ ପୁରୁଣା ଶିବ ମନ୍ଦିର ବୋଲି ଅନୁମାନ କରାଯାଉଛି। ମନ୍ଦିରର ଦଧିନଉତି ଉପରକୁ ଦୃଶ୍ୟମାନ ହୋଇଛି। ତେବେ ବଡ଼ କଥା ହେଉଛି, ଏଠାରେ ନବଗ୍ରହଙ୍କ ପରିବର୍ତ୍ତେ ସପ୍ତଗ୍ରହଙ୍କ ମୂର୍ତ୍ତି ରହିଛି। ଏହାସହିତ ପାର୍ଶ୍ବ ଦେବତାଙ୍କ ପାଇଁ ଆସ୍ଥାନ ମଧ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର