ଦକ୍ଷିଣରେ ଇଷ୍ଟଦେବ ପ୍ରଭୁ କପିଳେଶ୍ବର, ଉତ୍ତରରେ ଦୁଲ୍ଲାଦେବୀ, ପୂର୍ବରେ ଜାଗେଶ୍ବରୀ ଓ ପଶ୍ଚିମରେ ଶ୍ରୀ ଗଣେଶ। ଚାରି ଦିଗରୁ ଦେବଦେବୀମାନେ ଗାଁକୁ ସୁରକ୍ଷା ଦେଇ ଆସୁଥିବା ଏଭଳି ଏକ ଐତିହ୍ୟ ତଥା ରାଜଧାନୀର ଅନ୍ୟତମ ସର୍ବପୁରାତନ ଗାଁ କପିଳେଶ୍ବର। ଏକାମ୍ର କ୍ଷେତ୍ର‌‌ରେ ଥିବା ଏହି ଗାଁଟି ଯେତିକି ପ୍ରାଚୀନ, ଏହାର କିମ୍ବଦନ୍ତୀ ବି ସେତିକି ଅଲୌକିକ-ଆଧ୍ୟାତ୍ମିକ। ଗାଁର ଆରାଧ୍ୟ ଠାକୁର କପିଳେଶ୍ବରଙ୍କ ଲିଙ୍ଗକୁ ପୌରାଣିକ ଯୁଗ ସହ ଯୋଡ଼ାଯାଏ। ଦେବତାମାନେ ଏଠାରେ ଏହି ଲିଙ୍ଗ ପ୍ରତିଷ୍ଠା କରିଥିଲେ ବୋଲି କୁହାଯାଏ। ତେବେ ଗାଁର ଉତ୍ପତ୍ତି ନେଇ ଲୋକଶ୍ରୁତି ଯାହା କହେ, ପ୍ରଥମେ ଏଠି କପିଳେଶ୍ବରଙ୍କ ଶ୍ବେତବର୍ଣ୍ଣର ଲିଙ୍ଗ ମୁକ୍ତାକାଶ ତଳେ ପୂଜା ପାଉଥିଲେ। ପଞ୍ଚଦଶ ଶତାବ୍ଦୀ ବେଳକୁ, ଓଡ଼ିଶା‌ରେ ଗଜପତି ଶାସନର ପ୍ରତିଷ୍ଠାତା ରାଜା କପିଳେନ୍ଦ୍ର‌‌ଦେବଙ୍କୁ ସ୍ବୟଂ କପିଳେଶ୍ବର ମହାପ୍ରଭୁ ନିଜର ଏକ ମନ୍ଦିର ନିର୍ମାଣ ନିମନ୍ତେ ସ୍ବପ୍ନାଦେଶ ଦେଇଥିଲେ। ତେଣୁ ରାଜା ଏଠାରେ ମନ୍ଦିର ନିର୍ମାଣ କରିବା ସହ କପିଳେଶ୍ବରଙ୍କ ସେବା କାର୍ଯ୍ୟ ପାଇଁ କପିଳେଶ୍ବରପୁର ଶାସନ ପ୍ରତିଷ୍ଠା କରିଥିଲେ। ଠାକୁରଙ୍କ ସେବା ପାଇଁ ରାଜା ଏହି ଶାସନରେ ଛତିଶାପାଟ ନିଯୋଗ କରିଥିଲେ। ‘କପିଳେଶ୍ବରପୁର ଶାସନ’ ନାମଟି କାଳକ୍ରମେ ଅପଭ୍ରଂଶ ହୋଇ ‘କପିଳେଶ୍ବର’ ହୋଇଯାଇଛି।

Advertisment

publive-image

ଏଇଠି ଥିଲେ ନୂଆ କ୍ୟାପିଟାଲର ଅଧା ଲୋକ

୧୯୪୮ ମସିହାରେ ରାଜଧାନୀ ପ୍ରତିଷ୍ଠା ବେଳେ ପୂରା ଭୁବନେଶ୍ବରର ଲୋକସଂଖ୍ୟା ଯାହା ଥିଲା, ଏଇ ଗାଁର ଲୋକସଂଖ୍ୟା ତା’ର ପାଖାପାଖି ଅଧା ଥିଲା। ଅର୍ଥାତ୍‌ ରାଜଧାନୀର ଅଧା ଲୋକ ସେତେବେଳେ ଏଇଠାରେ ରହୁଥିଲେ ବୋଲି କୁହାଯାଇପାରେ। ଗାଁରେ ସିଂହ ସାହି, ଚଉରା ସାହି, ଦାଣ୍ଡ ସାହି, ତଳ ସାହି, କଞ୍ଚ ସାହି, ପାଟଣା ସାହି, କୁମ୍ଭାର ସାହି, ନାୟକ ସାହି ଓ ଭୋଇ ସାହି ଆଦି ଏକାଧିକ ସାହି ରହିଛି। ଏହି ସାହିଗୁଡ଼ିକରେ ବିଭିନ୍ନ ସମ୍ପ୍ରଦାୟର ୨୫୦ ପରିବାରରେ ୩ ହଜାର ଲୋକ ବସବାସ କରୁଥିଲେ। ଏବେ ୧ ହଜାରରୁ ଊର୍ଦ୍ଧ୍ବ ପରିବାରରେ ପାଖାପାଖି ୧୫ ହଜାର ଲୋକ ବସବାସ କରୁଛନ୍ତି। ପୂର୍ବରୁ ଏଠାକାର ଲୋକମାନେ ଠାକୁରଙ୍କ ସେବା ଓ କୃଷି ଉପରେ ନିର୍ଭର କରୁଥିଲେ। ଏବେ କିଛି ଲୋକ ଠାକୁରଙ୍କ ସେବାରେ ନିୟୋଜିତ ଥିବା ବେଳେ ଆଉ କିଛି ବ୍ୟବସାୟ, ଚାକିରି ଆଦି କରୁଛନ୍ତି।

ମାଙ୍ଗଳିକ କାର୍ଯ୍ୟ ପାଇଁ ସପ୍ତମାତୃକା କୂଅ

ମନ୍ଦିରର ପୂର୍ବ ଦିଗରେ ‘ସପ୍ତମାତୃକା’ ନାମରେ ଏକ କୂଅ ରହିଛି। ଏହି କୂଅକୁ ସାତଟି ଠାକୁରାଣୀ ଜଗି ରହିଛନ୍ତି ବୋଲି ବିଶ୍ବାସ କରାଯାଏ। ସେ ଜଳ କେବଳ ଗାଁରେ ହେଉଥିବା ମାଙ୍ଗଳିକ କାର୍ଯ୍ୟ ତଥା ବିବାହ, ବ୍ରତ ଆଦି ପାଇଁ ବ୍ୟବହାର କରାଯାଏ। ଗାଁରେ ଏବେ ବି ଏ ପରମ୍ପରା ବଞ୍ଚି ରହିଛି। ସେହିଭଳି ଠାକୁରଙ୍କ ନୀତିକାନ୍ତି ପାଇଁ ଏକ କପିଳକୁଣ୍ଡ ଅଛି। ସେ ଜଳର ପବିତ୍ରତାକୁ ରକ୍ଷା କରିବା ପାଇଁ ତା’ ଚତୁଃପାର୍ଶ୍ବରେ ଦେବଦେବୀ ଜଗି ରହିଛନ୍ତି।

ଜୈନଗୁମ୍ଫାରେ ହୋଇଛି ହନୁମାନ ମନ୍ଦିର

publive-image (ଫାଇଲ୍‌ ଫଟୋ)

ମଣିକର୍ଣ୍ଣିକା ପୁଷ୍କରିଣୀକୁ ଲାଗି ଏକ ଜୈନ ଗୁମ୍ଫା ଥିଲା। ଅତୀତରେ ସେଠି ଜୈନ ସମ୍ପ୍ରଦାୟର ଦିଗମ୍ବର ଓ ଶ୍ବେତାମ୍ବରମାନେ ବସବାସ କରୁଥିଲେ। ଦିଗମ୍ବରମାନେ ସମ୍ପୂର୍ଣ୍ଣ ନିର୍ବସ୍ତ୍ର ଥିବା ବେଳେ ‌‌ଶ୍ବେତାମ୍ବରମାନେ ଧବଳ ବସ୍ତ୍ର ପରିଧାନ କରି ସେଠାରେ ରହୁଥିଲେ। ସେମାନେ ଚାଲିଯିବା ପରେ ତାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ପରବର୍ତ୍ତୀ ସମୟରେ ତାକୁ ଭାଙ୍ଗି ହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଇଛି।

୧୯୪୮ରେ ଗଠନ ହୋଇଥିଲା କପିଳେଶ୍ବର ଟ୍ରଷ୍ଟବୋର୍ଡ

୧୯୪୮ରେ ପ୍ରଥମେ କପିଳେଶ୍ବରଙ୍କ ଟ୍ରଷ୍ଟବୋର୍ଡ ଗଠନ କରାଯାଇଥିଲା। ପ୍ରଥମ ଟ୍ରଷ୍ଟି ଥିଲେ ଲେଖନପୁର ଚୌଧୁରୀ ରାଧାନାଥ ମିଶ୍ର। ପରବର୍ତ୍ତୀ ସମୟରେ ବୈକୁଣ୍ଠ ପ୍ରତିହାରୀ, ଲକ୍ଷ୍ମୀଧର ମଲିଆ, ଦୁର୍ଗାଚରଣ ମହାପାତ୍ର, ଗୁଣନିଧି ମହାପାତ୍ର, ବର୍ତ୍ତମାନର ଜଟଣୀ ବିଧାୟକ ସୁରେଶ ରାଉତରାୟ, ହରିହର ମଲିଆ ପ୍ରମୁଖ ରହିଛନ୍ତି। ଦୀର୍ଘ ୨୦ ବର୍ଷ ରହିଥିଲେ ହରିହର ମଲିଆ। ୨୦୧୫ରୁ ଏଥିରେ ପରିବର୍ତ୍ତନ ହୋଇଯାଇଛି। ଏବେ ଜିଲ୍ଲାପାଳ ଏହାର ଟ୍ରଷ୍ଟି।

‌ସେବାୟତମାନେ ବି ଶିଖୁଥିଲେ ସାମରିକ କଳା କୌଶଳ

ମଲିଆ ସେବାୟତମାନେ ସେତେବେଳେ ସାମରିକ କଳାକୌଶଳ ଶିଖୁଥିଲେ। ଗହ୍ମା ପୂର୍ଣ୍ଣିମାରେ ଗାଁରେ ଥିବା ଗହ୍ମା ପଡ଼ିଆରେ ସେମାନେ ଏହି କୌଶଳକୁ ପ୍ରଦର୍ଶନ କରୁଥିଲେ। ଏହି କୌଶଳ ଶିଖିବା ପଛର ମୂଳ ଉଦ୍ଦେଶ୍ୟ ଥିଲା, ଆତ୍ମସଂଯମତା ବୃଦ୍ଧି କରିବା। ଏବେ ଆଉ ତା’ ହେଉନି।

publive-image ୧୯୪୧ ମସିହାର କପିଳେଶ୍ବର ମନ୍ଦିର। (ଫାଇଲ ଫଟୋ)

କାଟପାଣିରେ ଭଲ ହେଉଥିଲା ରୋଗ

ଦେହ ଖରାପ ହେଲେ ଲୋକେ ଡାକ୍ତରଖାନା ଯାଉ ନଥିଲେ। ମନ୍ଦିର ପାଖରେ ଏକ କାଳେସୀ ଟୁଙ୍ଗୀ ଥିଲା, ସେଇଠି ରଘୁ କାଳେସୀ, କପିଳ କାଳେସୀ କାଟ ପାଣି ଦେଉଥିଲେ। ତାକୁ ପିଇ ଲୋକଙ୍କର ରୋଗ ଭଲ ହୋଇଯାଉଥିଲା ବୋଲି ଗାଁର କିଛି ମୁରବି କହିଛନ୍ତି। ଅତି ବେଶୀ ହେଲେ ‌ବେଲୁର୍ ମଠ ନଚେତ୍‌ ଗଦାଧର ମେଡିକାଲ (ଏବେକା ବିଏମ୍‌ସି ହସ୍ପିଟାଲ) ଯାଉଥିଲେ।

ଏଇଠି ଭୁବନେଶ୍ବରର ପ୍ରଥମ ଚିତ୍ରାଳୟ

ଗାଁର ଲୋକମାନଙ୍କୁ ନେଇ ଏକ ନାଚ ଆଖଡ଼ା ଗଢ଼ି ଉଠିଥିଲା। ଏବେ ବି ଗାଁରେ ଏହି ଆଖଡ଼ା ଘର ରହିଛି। ସେମାନେ ବିଭିନ୍ନ ସାମାଜିକ ନାଟକଠୁ ଆରମ୍ଭ କରି ପୌରାଣିକ ନାଟକ ଆଦି ଗାଁରେ କରିବା ସହ ବିଭିନ୍ନ ସ୍ଥାନରେ ଯାଇ କରୁଥିଲେ। ମା’ କାଳୀକା ଗଣନାଟ୍ୟ ନାମରେ ଏହା ବେଶ୍ ପରିଚିତ ଥିଲା। ଆହୁରି ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଇ ଗାଁରେ ରାଜଧାନୀର ପ୍ରଥମ ଚିତ୍ରାଳୟ ଗଢ଼ି ଉଠିଥିଲା।

ଠାକୁରଙ୍କୁ ସ୍ପର୍ଶ ପାଇଁ ବର୍ଣ୍ଣାଶ୍ରମ ଗ୍ରହଣ

କପିଳେଶ୍ବରଙ୍କ ସେବା କରିବାକୁ ଚାହୁଥିବା ମଲିଆ ସେବାୟତଙ୍କ ଉତ୍ତାରଧିକାରୀଙ୍କୁ ସ୍ବତନ୍ତ୍ର ବର୍ଣ୍ଣାଶ୍ରମ ଗ୍ରହଣ କରିବାକୁ ପଡ଼ୁଥିଲା। ବିଧି ଅନୁଯାୟୀ, ୨୧ ଦିନ ପର୍ଯ୍ୟନ୍ତ ସେମାନେ ମନ୍ଦିରରେ ରହି ଠାକୁରଙ୍କ ସେବା କାର୍ଯ୍ୟ କରି ଠାକୁରଙ୍କୁ ଜପ, ଧ୍ୟାନ ଆଦି କରି ଦୀକ୍ଷିତ ହେଉଥିଲେ। ଏହା ପରେ ସେମାନଙ୍କୁ ଠାକୁରଙ୍କୁ ସ୍ପର୍ଶ କରି ପୂଜା କରିବା ପାଇଁ ଅନୁମତି ମିଳୁଥିଲା। ଏବେ ଏହି ବିଧି ୭ ଦିନକୁ ଖସି ଆସିଛି।

ମଲିଆ ଛକ ଏବେ ଗଙ୍ଗନଗର ଛକ

ବର୍ତ୍ତମାନର ଗଙ୍ଗନଗର ଛକକୁ ଅତୀତରେ ମଲିଆ ଛକ ବୋଲି କୁହାଯାଉଥିଲା। ରାଜଧାନୀ ପ୍ରତିଷ୍ଠା ହେବା ପରେ ମଲିଆ ସେବାୟତମାନେ ସେଠି ବ୍ୟବସାୟ କରିବା ସହ କପିଳେଶ୍ବରଙ୍କ ପ୍ରଚାରପ୍ରସାର କରୁଥିଲେ। କାଳକ୍ରମେ ତାହା ବନ୍ଦ ହୋଇଗଲା ଓ ସେ ଛକର ନାଁ ଗଙ୍ଗନଗର ହୋଇଗଲା।

ଏବେ ବି ବ୍ୟବହାର ହେଉଛି ମଣିକର୍ଣ୍ଣିକା ପୁଷ୍କରିଣୀ

publive-image

ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ମଣିକର୍ଣ୍ଣିକା ପୁଷ୍କରିଣୀରେ କପିଳେଶ୍ବରଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ସ୍ନାନ ଶୌଚ ନିମିତ୍ତ ୧୧ଟି ଘାଟ ଅଛି। କପିଳେଶ୍ବରଙ୍କ ପାଇଁ ଉଦ୍ଦିଷ୍ଟ ଘାଟରେ ଠାକୁରଙ୍କ ବିଭିନ୍ନ କାର୍ଯ୍ୟ କରାଯାଉଥିବା ବେଳେ ବ୍ରାହ୍ମଣମାନଙ୍କ ଘାଟରେ ବ୍ରାହ୍ମଣ ଓ ଅନ୍ୟ ଘାଟରେ ଅନ୍ୟ ସମ୍ପ୍ରଦାୟର ଲୋକ ସ୍ନାନତର୍ପଣ କରିଥା’ନ୍ତି। ଏବେ ବି ଗାଁ ଲୋକମାନେ ଏହି ପୁଷ୍କରିଣୀରେ ଗାଧୋଇବା ପରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଏହା ଏକ ପୌରାଣିକ ପୋଖରୀ ବୋଲି ଗାଁର ବରିଷ୍ଠ ଲୋକମାନେ ମତ ଦିଅନ୍ତି।

ଚାଷବାସ ଛାଡ଼ି ସମସ୍ତେ ଚାକିରିମୁହାଁ

ସେତେବେଳେ ଗ୍ରାମବାସୀମାନଙ୍କୁ ରାଜା କିଛି ଜମି ଦେଇଥିଲେ। ମଲିଆ ସେବାୟତମାନେ ନିଜ ଜମି ଚାଷ ନକରି ଭାଗ ଚାଷରେ ଦେଇ ଦେଉଥିଲେ। ସେଥିରୁ ଯାହା ମିଳୁଥିଲା, ସେଥିରେ ଚଳୁଥିଲେ। ପୂର୍ବରୁ ଠାକୁରଙ୍କ ସେବା ଓ ଚାଷ ଏହି ଗାଁର ମୂଳ ବେଉସା ଥିବା ବେଳେ ଏବେ କାଁ ଭାଁ ଚାଷ ହେଉଛି। ସମସ୍ତେ ଏବେ ଚାକିରି ଓ ବ୍ୟବସାୟରେ ମନୋନି‌ବେଶ କଲେଣି। ଫଳରେ ଚାଷ ଜମିକୁ ବିଲଡର୍‌ମାନେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଦେଲେଣି।

୩ ଠାକୁରଙ୍କ ରନ୍ଧାଭୋଗରେ କପିଳେଶ୍ବର ‘ସାରୁ’

ଏଠାକାର ଉର୍ବର ଚାଷ ଜମିରେ ଧାନ, ବିରି, ମୁଗ ବ୍ୟତୀତ ସାରୁ ଚାଷ ବି ବେଶ୍ ଭଲ ଓ ପ୍ରଚୁର ହେଉଥିଲା। ଶ୍ରୀଲିଙ୍ଗରାଜ, କପିଳେଶ୍ବର ଓ ଅନନ୍ତ ବାସୁଦେବଙ୍କ ରନ୍ଧା ପ୍ରସାଦରେ ଏହି ଗାଁର ସାରୁ ବ୍ୟବହାର ହେଉଥିଲା। ପୂରା ଅଞ୍ଚଳରେ ଏହି ସାରୁର ଏକ ଅଲଗା ପ୍ରକାରର ଚାହିଦା ଥିଲା।

publive-image ୧୯୬୨ ମସିହାର କପିଳେଶ୍ବର ଗାଁ (ଫାଇଲ ଫଟୋ)

ହିନ୍ଦୁ, ମୁସଲମାନଙ୍କଠୁ ଭୋଗ ଖାଆନ୍ତି କପିଳେଶ୍ବର

ଗାଁରେ ଦୋଳପୂର୍ଣ୍ଣିମାରୁ ଠାକୁରଙ୍କ ଗଡ଼ଯାତ୍ରା ଆରମ୍ଭ ହୋଇଯାଏ। କପିଳନାଥ ଓ ଦୋଳଗୋବିନ୍ଦ ନିକଟସ୍ଥ କପିଳପ୍ରସାଦ ଓ ସୁନ୍ଦରପଦା ଗାଁକୁ ଭୋଗ ଖାଇବାକୁ ଯାଆନ୍ତି। ସେଠାରେ ସ୍ବତନ୍ତ୍ର ଗଡ଼ପିଣ୍ଡି ରହିଛି, ଯାହାକୁ ପୂର୍ବରୁ ରାଜାଙ୍କ ସରବରାକରମାନେ ସ୍ଥିର କରିଥିଲେ। ସେଠାରେ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ଲୋକଙ୍କଠାରୁ ଠାକୁର ଭୋଗ ଖାଆନ୍ତି। ଏହା ଏକ ବିରଳ ପରମ୍ପରା। ସେଠି ୧୦୮ ସରା, ୮ଟା ବାଇ କୋଡ଼ୁଆ ଓ ବାଇହାଣ୍ଡି ଭୋଗ କରାଯାଏ। ଏହା ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ନାରାୟଣଙ୍କ ଷୋଳପୂଜା, କାର୍ତ୍ତିକ ବ୍ରତ, ଜାଗର ଯାତ୍ରା, ବାରୁଣେଶ୍ବର ଯାତ୍ରା ଆଦି ମହାଆଡ଼ମ୍ବରରେ ହୋଇଥାଏ। ପୂର୍ବରୁ କୁମାର ପୂର୍ଣ୍ଣିମା ବେଶ୍ ଧୁମ୍‌ଧାମ୍‌ରେ ହେଉଥିଲା। ଗାଁର କୁମାରୀ ଝିଅମାନେ ଚାନ୍ଦ ବସୁଥିଲେ। କପିଳେଶ୍ବରଙ୍କ ମନ୍ଦିର ବେଢ଼ାରେ ପୁଚି ଖେଳିବା ପାଇଁ ଏକ ଚକଡ଼ା ଥିଲା। ହେଲେ ଏବେ ଆଉ ଗାଁରେ ସେ ଦୃଶ୍ୟ କାଁ ଭାଁ ଦେଖିବାକୁ ମିଳେ।

ଖେଳ ଅପେକ୍ଷାରେ ବାଘ ଆଖଡ଼ା

publive-image

ସେତେବେଳେ ପଶାଖେଳ, ବାଘ ବଜାରି, କଉଡ଼ି, ଡାବୁପୁଆ, ବାଟି, ବାଗୁଡ଼ି ଓ ମଲ୍ଲକୁସ୍ତି, ତାସ ଆଦି ଖେଳ ହେଉଥିଲା। ଏ ସବୁ ଖେଳୁଥିବା ଲୋକ ଆଉ ନାହାନ୍ତି। ଫଳରେ ଏହି ଖେଳ ଆଉ ହେଉନାହିଁ। କେବଳ ତାସ୍ ଓ ପଶାଖେଳ କାଁ ଭାଁ ହେଉଛି। ଏହି ସବୁ ଖେଳ ବିଶେଷକରି ବାଘ ଆଖଡ଼ା ଘରେ ହେଉଥିଲା। ଏବେ ଖେଳ ନ ହେବା ଯୋଗୁଁ ସେହି ଆଖଡ଼ା ଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ସେହିଭଳି ପ୍ରତି ସାହିରେ ଭାଗବତ ଟୁଙ୍ଗୀ ଅଛି। ସେଠି ଏବେ ବି ଭାଗବତ ପଢ଼ା ହେଉଛି। ହେଲେ ଏବେକାର ପିଢ଼ିଙ୍କୁ ସେଠି ଦେଖିବାକୁ ମିଳୁନି।