ଦୁର୍ଗାପୂଜା ଅବସରରେ ଚଉଷଠି ଯୋଗିନୀ ପୀଠରେ ଷୋଳପୂଜା

ବାଲିଅନ୍ତା: ଶାରଦୀୟ ଦୁର୍ଗାପୂଜା ଅବସରରେ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ସ୍ଥିତ ଚଉଷଠି ଯୋଗିନୀ ପୀଠରେ ଗତକାଲି ଶୋଳପୂଜା ଆରମ୍ଭ ହୋଇଛି। ଏଥିପାଇଁ ମା’ଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ପ୍ରତିଦିନ ପ୍ରତ୍ୟୁଷରେ ମହାମାୟାଙ୍କ ମାର୍ଜନା, ମଇଲମ ନୀତି ସାଙ୍ଗକୁ ସୁବାସିତ ଜଳରେ ସ୍ନାନ କରାଇ ନବବସ୍ତ୍ର ପରିଧାନ କରାଇ ବାଳଭୋଗ କରାଯାଉଛି। ମଧ୍ୟାହ୍ନରେ ଖେଚୁଡ଼ି ଓ ଡାଲମା ଭୋଗ ଲାଗି ହେବା ସହ ଅପରାହ୍‌ଣରେ ପୁଣି ଦ୍ବିତୀୟ ବାର ସ୍ନାନ କରାଇ ନୂତନ ବସ୍ତ୍ର ପରିଧାନ ପୂର୍ବକ ସୁସଜ୍ଜିତ ବେଶରେ ଠାକୁରାଣୀଙ୍କୁ ସଜା ଯାଉଛି। ସଂଧ୍ୟା ନୀତିରେ ବାଳଭୋଗ ଲାଗି ସହ ଆଳତି ହୋଇଥାଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଷ୍ଟମୀ, ନବମୀ ଓ ଦଶମୀରେ ଚଣ୍ଡୀପାଠ ସହ ବଳିପ୍ରଥାର ପରମ୍ପରା ରହିଛି। ଏଥିସହିତ ବାଳକାଟି ସ୍ଥିତ ମା’ ଦୁଲ୍ଲା ଦେବୀ ମନ୍ଦିର ଓ ଐତିହ୍ୟ ସଂପନ୍ନ ଟଙ୍କପାଣି ମନ୍ଦିରରେ ମଧ୍ୟ ମା’ ଙ୍କ ଷୋଳପୂଜା ଯଥାବିଧି ଚାଲିଛି।

ସମ୍ବନ୍ଧିତ ଖବର