ବାଲିଅନ୍ତା: ଚଉଷଠୀ ଯୋଗିନୀ ମହୋତ୍ସବର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ନୃତ୍ୟ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି, ଏନଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଂଜୀବ କିଶୋର, ପୂର୍ବତନ ଲୋକସଭା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ସ୍ନେହପ୍ରଭା ସାମନ୍ତରାୟ, ରୋଟାରିଆନ ରବି ନାରାୟଣ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ଦାଶଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ଚଳିତ ବର୍ଷର ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନରେ ସମ୍ମାନିତ କରିଥିଲେ। ପ୍ରାରମ୍ଭରେ ବରଗଡ଼ ଜିଲ୍ଲା କୁମ୍ଭାରୀସ୍ଥିତ ବ୍ରଜେଶ୍ବରୀ ନୃତ୍ୟକଳା ସଂସଦର ଗୁରୁ କେତନ ସାହୁ ଓ ସାଥୀ ଶିଳ୍ପୀମାନେ ଦଳଗତ ନୃତ୍ୟରେ ଭେଟି ଦେଇଥିଲେ କାଳୀ ତାଣ୍ଡବ। ସଙ୍ଗୀତରେ ଏହାକୁ ସଜାଇଥିଲେ ଗୁରୁ ଅମର ପ୍ରଧାନ ଓ ନୃତ୍ୟ ସଂଯୋଜନା କରିଥିଲେ ମୋନାଲିସା ପଟେଲ।
କାର୍ଯ୍ୟକ୍ରମର ଦ୍ବିତୀୟ ସୋପାନରେ ଭୁବନେଶ୍ବର ଆରାଧନା ଡ୍ୟାନ୍ସ ଏକାଡେମିର ଗୁରୁ ଚିତ୍ରସେନ ସ୍ବାଇଁଙ୍କ ସମେତ ଅନ୍ୟ ଶିଳ୍ପୀମାନଙ୍କ ଦ୍ବାରା ପରିବେଷିତ ଦଳଗତ ଓଡ଼ିଶୀ ନୃତ୍ୟରେ ଓଡ଼ିଆ ଘରର ପରମ୍ପରା ଓ ସଂସ୍କୃତିକୁ ନେଇ ନୃତ୍ୟ ଦର୍ଶକଙ୍କୁ ଆନମନା କରିଥିଲା। ତୃତୀୟ ସୋପାନରେ ବିଶାଖାପାଟଣାର ବିକାଶ ନୃତ୍ୟମଣ୍ଡଳୀ ଅନୁଷ୍ଠାନର ଗୁରୁ ଜି. ଭାରତୀମୋହନ ଦଳଗତ ସମକାଳୀନ ନୃତ୍ୟ କୃଷ୍ଣ ତରଙ୍ଗମ୍ ତରଙ୍ଗାବଳୀ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଅନ୍ତିମ ପ୍ରସ୍ତୁତିରେ ଗୁରୁ ଗୋପାଳ ମହାପାତ୍ରଙ୍କ ନୃତ୍ୟ ସଂଯୋଜନାରେ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ କ୍ରମରେ ଡାଲଖାଇ, ରଙ୍ଗବତୀ ଓ ଚୁଟକିଚୁଟା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ନୃତ୍ୟ ପ୍ରତିଭାର ସଂପାଦିକା ପ୍ରତିଭା ପଣ୍ଡା, ସଭାପତି ଡ. ରଜନୀ ରଂଜନ ଦାଶ, ପ୍ରଦ୍ୟୁମ୍ନ ମହାନ୍ତି, ରୁନା ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।