ଚଉଷଠି ଯୋଗିନୀ ମହୋତ୍ସବ ଉଦ୍‌ଯାପିତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ହୀରାପୁରସ୍ଥିତ ଚଉଷଠି ଯୋଗିନୀ ପୀଠ ନୃତ୍ୟମଣ୍ଡପରେ ଗତ ତିନିଦିନ ଧରି ଚାଲିଥିବା ଦ୍ବାଦଶ ଅନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜି ସନ୍ଧ୍ୟାର ତୃତୀୟ ପ୍ରସ୍ତୁତିରେ ମହୀଶୂରର ବସୁନ୍ଧରା ଦୋରାସ୍ବାମୀଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରଥମ ପର୍ଯ୍ୟାୟରେ ଗୁରୁ ଦୁର୍ଗାଚରଣ ରଣବୀର ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସଙ୍ଗୀତରେ ସୁକାନ୍ତ କୁଣ୍ଡୁ, ପଖୋଜରେ ଗୁରୁ ନିରଞ୍ଜନ ପାତ୍ର, ବଂଶୀରେ ଅଭିରାମ ନନ୍ଦ ଏବଂ ମଂଜିରାରେ ମନୋଜ ପ୍ରଧାନ ସହଯୋଗ କରିଥିଲେ। ଏହାପରେ ଭୁବନେଶ୍ବର ନୃତ୍ୟାୟନ ଓଡ଼ିଶୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ରାମହରି ଦାଶ, ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆଦିତ୍ୟ ଅର୍ଚ୍ଚନା, ଦଶ ମହାବିଦ୍ୟା ପରିବେଷଣ କରାଯାଇଥିଲା। ଶେଷରେ ଭୁବନେଶ୍ବର ଲାବଣ୍ୟ ଥିଏଟର୍‌ର କଳାକାରମାନେ ଗୁରୁ ନୀଳାଦ୍ରି ବିହାରୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓ ସତ୍ୟ ନାରାୟଣ ଜେନାଙ୍କ ସଂଯୋଜନାରେ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ ଦର୍ଶକଙ୍କୁ ମନୋରଂଜନର ଭରପୂର ଖେରାକ ଯୋଗାଇଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମର୍ଦଳ ଗୁରୁ ଧନେଶ୍ବର ସ୍ବାଇଁ, ସଂସ୍କୃତି ଗବେଷକ ଚିତ୍ତରଂଜନ ମଲ୍ଲିଆ, ରାଜ୍ୟ ସଂସ୍କୃତି ସଂଯୋଜିକ ଜ୍ୟୋତ୍ସ୍ନା ପରିଡ଼ା ଏବଂ ରୋଟାରୀ ରୟାଲର ସଭାପତି ପ୍ରଦୀପ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ‘ନାଲକୋ ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା’ ସମ୍ମାନରେ ସମ୍ମାନିତ କରିବା ସହ ଏ ବର୍ଷର ସ୍ମରଣିକା ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ସେହିପରି ଅପରାହ୍ଣରେ ନାଟ୍ୟମଣ୍ଡପରେ ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଂଜନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାହିତ୍ୟ ସଭାରେ ଅତିଥିମାନେ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ‘ଚଉଷଠି ଯୋଗିନୀ ସାହିତ୍ୟ’ ସମ୍ମାନ ଓ ରମାକାନ୍ତ ଗୋଚ୍ଛାୟତଙ୍କୁ ‘ଯୁବ ସାହିତ୍ୟିକ’ ସମ୍ମାନରେ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର