ଚଉଷଠୀ ଯୋଗିନୀ ମହୋତ୍ସବ ଉଦ୍‌ଘାଟିତ, ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠ ନାଟ୍ୟ ମଣ୍ଡପରେ ଆଜି ତ୍ରୟୋଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ଷ୍ଟେଟ ବ୍ୟାଙ୍କ ସିଜିଏମ ପ୍ରବୀଣ କାଲା, ପୋଲିସ ହାଉସିଂ କର୍ପୋରେସନ ସିଏମଡି ଲଳିତ ଦାଶ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ରାମକୃଷ୍ଣ ସାହୁ ଓ ବରିଷ୍ଠ ସାମ୍ବାଦିକ କ୍ରିଷ୍ଣ ତ୍ରିବେଦୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶାସ୍ତ୍ରୀୟ କାର୍ଯ୍ୟକ୍ରମ ସଂଧ୍ୟାର ଶୁଭାରମ୍ଭ କରିଥିଲେ।

ଶାସ୍ତ୍ରୀୟ କାର୍ଯ୍ୟକ୍ରମରେ ଭୁବନେଶ୍ବର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଦ୍ବାରା ପ୍ରଥମ ପ୍ରସ୍ତୁତିରେ ପରିବେଷିତ ସୂର୍ଯ୍ୟଙ୍କ ବନ୍ଦନା ଆଦିତ୍ୟଅର୍ଚନା ଓ ମହାମାୟା ପୀଠରେ ସ୍ଥାପିତ ଚଉଷଠୀ ଯୋଗିନୀଙ୍କ ରୂପଚର୍ଯ୍ୟା ତଥା କୀର୍ତ୍ତିବୃତାନ୍ତ ଆଧାରିତ ଦଳଗତ ଓଡ଼ିଶୀ ନୃତ୍ୟ ମଞ୍ଚ ସମ୍ମୁଖରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ କରତାଳି ସାଉଁଟିଥିଲା। ଆଦିତ୍ୟଅର୍ଚନାର ନୃତ୍ୟ ସଂଯୋଜନା ଗୁରୁ ପ୍ରତିଭା ପଣ୍ଡା କରିଥିବା ବେଳେ ସଙ୍ଗୀତରେ ସଜାଇଥିଲେ ଗୁରୁ ରାମହରି ଦାଶ। ସେହିପରି ଚଉଷଠୀ ଯୋଗିନୀର ସଙ୍ଗୀତ ଆଦ୍ୟାଶା ଦାଶ ପରିବେଷଣ କରିଥିଲେ। ପ୍ରାରମ୍ଭରେ ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ସ୍ଥିତ ଓଡ଼ିଶୀ ଗୁରୁକୂଳ ଟ୍ରଷ୍ଟର ପ୍ରତିଷ୍ଠାତା ଗୁରୁ ରାମହରି ଦାଶଙ୍କ ଦ୍ବାରା ପରିବେଷିତ ଦୁଇଟି ଓଡ଼ିଶୀ ସଙ୍ଗୀତ ସମବେତ ଦର୍ଶକଙ୍କୁ ଭାବ, ଭକ୍ତି ଓ ସମର୍ପିତ ଭାବନାରେ ତଲ୍ଲୀନ କରି ଦେଇଥିଲା। ବିବିଧ ବାଦ୍ୟଯନ୍ତ୍ର ତାଳେ ତାଳେ ସାରଳା ଦାସଙ୍କ ରଚିତ ‘ଆପଦ ଖଣ୍ଡନେ ବିପଦ ନାଶିନୀ’ ଓ ଦ୍ବିତୀୟ ପର୍ଯ୍ୟାୟରେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦର ଅଂଶବିଶେଷ ‘ଚନ୍ଦନ ଚର୍ଚ୍ଚିତ ନୀଳ କଳେବର–ପୀତବସନ ବନମାଳୀ’ ସଙ୍ଗୀତର ମାଧୁର୍ଯ୍ୟ ଦର୍ଶକଙ୍କୁ ପୁଲକିତ କରିଥିଲା। ତୃତୀୟ ପ୍ରସ୍ତୁତିରେ ନୂଆଦିଲ୍ଲୀର ନୃତ୍ୟାନୁଷ୍ଠାନର ଗୁରୁ ଶାନ୍ତନୁ ଚକ୍ରବର୍ତ୍ତୀ ଓ ସାଥୀ ଶିଳ୍ପୀମାନେ ମହିଷାମର୍ଦ୍ଦିନୀ, ଭୂଶମ୍ବୁ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଧାରିତ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ ଚଉଷଠୀ ଯୋଗିନୀ ନାଟ୍ୟ ସମ୍ମାନରେ ଧୀରେନ୍ଦ୍ର ନାଥ ମଲ୍ଲିକ ଓ ଚଉଷଠୀ ଯୋଗିନୀ ସଙ୍ଗୀତ ସମ୍ମାନରେ ଗୁରୁ ରାମହରି ଦାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନୃତ୍ୟ ପ୍ରତିଭାର ସଂପାଦିକା ଶ୍ରୀମତୀ ପଣ୍ଡାଙ୍କ ସମେତ ସଭାପତି ଡ. ରଜନୀ ରଂଜନ ଦାଶ ଓ କବି ପୂର୍ଣ୍ଣଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଶ୍ବଜିତ ବଳିଆରସିଂହ। ପିପିଲି ଗାଦିବ୍ରହ୍ମ କଳାକାରମାନେ ଓଡ଼ିଶୀ ସଂକୀର୍ତ୍ତନ କରି ମା’ ଙ୍କୁ ଆବାହନ କରିଥିଲେ। ଅପରପକ୍ଷରେ ସ୍ଥାନୀୟ ବିଧାୟକ ଡ. ଅରବିନ୍ଦ ଢାଲି କାର୍ଯ୍ୟକ୍ରମରେ ଯୋଗ ନଦେବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର