ଭୁବନେଶ୍ୱର: ନୃତ୍ୟ ପ୍ରତିଭା ଦ୍ୱାରା ଆୟୋଜିତ ଅଷ୍ଟାଦଶ ଅନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବ ୨୦୨୪ର ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟ ଗୀତରେ ଝୁମିଛନ୍ତି ଦର୍ଶକ। ସଂଧ୍ୟାର ପ୍ରଥମ ଉପସ୍ଥାପନାରେ ଗୁରୁ ଅଭିରାମ ନନ୍ଦ ଓ ସାଥୀ କଳାକାରଙ୍କ ଦ୍ୱାରା ବିଭିନ୍ନ ବାଦ୍ୟର ମିଶ୍ରଣ ପ୍ରଦର୍ଶିତ କରିଥିଲେ। ପରେ ଶାଶ୍ୱତ ଯୋଶୀ ଓ ସାଥୀ ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ମୟୂରଭଞ୍ଜର କୋପାଇ ଛଉ ନୃତ୍ୟ ପ୍ରତିଷ୍ଠାନର ଶିଳ୍ପୀଙ୍କ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ।  ଶେଷରେ ଭୁବନେଶ୍ୱରର ଲାସ୍ୟକଳା ଡ୍ୟାନ୍ସ ଭିଜନ୍‍ର ଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। 

Advertisment

ଅତିଥି ଭାବେ ଏକାମ୍ର ଭୁବନେଶ୍ୱରର ବିଧାୟକ ବାବୁ ସିଂହ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟ ଭିଜନ୍‍ର ସମ୍ପାଦିକା ଇଲିଆନା ଚିତାରିଷ୍ଟ, ଏମ୍‍ଏସ୍‍ଏମ୍‍ଇ ପ୍ରମୋସନ କାଉନସିଲ୍‍ ଅଫ୍‍ ଇଣ୍ଡିଆର ଉପାଧ୍ୟକ୍ଷ ସତ୍ୟପ୍ରିୟ ବେହେରା, ସମାଜ ଡିଜିଟାଲ୍‍ ମିଡିଆର ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର, ନୃତ୍ୟ ପ୍ରତିଭାର ସଭାପତି ରଜନୀ ରଞ୍ଜନ ଦାଶ, ଉପସଭାପତି ବଙ୍କିମ ଚନ୍ଦ୍ର ନାୟକ ଓ ସମ୍ପାଦିକା ପ୍ରତିଭା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ନାୟିକା ତ୍ରିପୁରା ମିଶ୍ରଙ୍କୁ ଚଉଷଠି ଯୋଗିନୀ ନାଟ୍ୟ ସମ୍ମାନ ୨୦୨୪ ଏବଂ କବି ଫନି ମହାନ୍ତିଙ୍କୁ ସୁରେଶ ବଳବନ୍ତରାୟ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗୁରୁ ପ୍ରତିଭା ପଣ୍ଡା ସହଯୋଗ କରିଥିଲେ। ଅପରାହ୍ନରେ ଚଉଷଠି ଯୋଗିନୀ ମନ୍ଦିରର ବହୁମୁଖୀ ଉତ୍ତରାଧିକାରୀ ବିଷୟରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏଥିରେ  ଆଦ୍ୟାଶା ଦାସ, ଅନିଲ ଧୀର, ଶଙ୍କର ନାରାୟଣ ମଲ୍ଲିକ, ଏସ୍‍. ପ୍ରଧାନ ଏବଂ ପ୍ରତିଭା ପଣ୍ଡା ଅଂଶ ଗ୍ରହଣ କରିଥିଲେ।