ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ୫-ଟି ଅଧୀନକୁ ଯାଇଥିବାରୁ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଦ୍ୟୁତ୍, ପାଣି, ୱାର୍ଡ ଓ ଶଯ୍ୟା ମରାମତି, ପାଚେରି, ହସ୍ପିଟାଲ୍ ପ୍ରବେଶ ପଥ ରାସ୍ତା ଆଦି ବାହ୍ୟ ଚେହେରା ଚକ୍ଚକ୍ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ଏବଂ ଚଳିତ ବର୍ଷ ଶେଷ ପୂର୍ବରୁ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ହସ୍ପିଟାଲ୍ର କର୍ମଚାରୀ ମରୁଡ଼ି ସମସ୍ୟା ଦୂର ହେବ କି ନା ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଦୀର୍ଘ ବର୍ଷ ହେଲା ବିଶେଷଜ୍ଞ ଡାକ୍ତର, ରେଡିଓ ଗ୍ରାଫର୍, ନର୍ସ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଖାଲି ପଡ଼ିଥିବା ପଦବି ପୂରଣ ହେଉନାହିଁ। ବହୁ କର୍ମଚାରୀ ଏଠାରୁ ବେତନ ପାଉଥିଲେ ବି ରାଜଧାନୀରେ କାମ କରୁଛନ୍ତି। ଫଳରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି।
ସୂଚନାନୁସାରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ଜଣ ଡାକ୍ତର ଅଛନ୍ତି। ଶଲ୍ୟ ବିଶେଷଜ୍ଞ ପଦବି ଖାଲି ପଡ଼ିଛି। ଜଣେ ଶିଶୁରୋଗ ବିଶେଷଜ୍ଞଙ୍କୁ ଡେ଼ପୁଟେସନରେ ବର୍ଷକ ପାଇଁ ନିଯୁକ୍ତି ଦିଆଯାଇଛି ଏବଂ ଆସନ୍ତା ଅଗଷ୍ଟରେ ତାଙ୍କର ଡେପୁଟେସନ୍ ଅବଧି ସରିଯିବ। ୩ ବର୍ଷ ହେଲା ଏକ୍ସ-ରେ ରୁମ୍ରେ ତାଲା ଝୁଲୁଛି। ରେଡିଓ ଗ୍ରାଫର୍ ପଦବି ଖାଲିପଡ଼ିଛି। ସେହିପରି ୧୦ ନର୍ସଙ୍କ ସ୍ଥାନରେ ୫ ଜଣ କାର୍ଯ୍ୟ କରୁଛନ୍ତି। ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ୩ ମହିଳା ନର୍ସ ଡେପୁଟେସନରେ ରାଜଧାନୀରେ କାର୍ଯ୍ୟ କରୁଛନ୍ତି। ୩ ଆଟେଣ୍ଡାଣ୍ଟ ପଦବିରୁ ମାତ୍ର ଜଣେ କାର୍ଯ୍ୟରତ। ଜଣେ ଡେପୁଟେସନରେ ଅନ୍ୟତ୍ର କାମ କରୁଥିବା ବେଳେ ଅନ୍ୟ ପଦବିଟି ଖାଲିପଡ଼ିଛି। ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ସୁଇପର୍ ଅଭାବ ବଡ଼ ସମସ୍ୟା ହୋଇଛି। ରକ୍ତ, ମଳ, ମୂତ୍ର ପରୀକ୍ଷା ପାଇଁ ଏଠାରେ ୩ ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଜଣେ କାମ କରୁଛନ୍ତି। ତେଣୁ ବିଭିନ୍ନ ପରୀକ୍ଷା ପାଇଁ ଗ୍ରାମାଞ୍ଚଳର ଗରିବ ଲୋକେ ବାହାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଆଟେଣ୍ଡାଣ୍ଟ ଅଭାବରୁ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ସମ୍ଭବ ହେଉନାହିଁ। ତେଣୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ୫-ଟି ଯୋଜନାକୁ ସ୍ବାଗତ କରିବା ସହ ତୁରନ୍ତ କର୍ମଚାରୀ ମରୁଡ଼ି ଦୂର କରିବା ଲାଗି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ଦାବି କରିଛନ୍ତି।