ଶସ୍ତା ସାନିଟାଇଜର୍‌ ନାଁରେ ବିକୁଛନ୍ତି ବିଷ, ଚର୍ମରୋଗର ଶିକାର ହେଲେ ଯୁବକ

ଭୁବନେଶ୍ବର : ରାଜଧାନୀ ରାସ୍ତାକଡ଼ରେ ସାନିଟାଇଜର୍‌ ନାଁରେ ବିକ୍ରି ହେଉଛି ବିଷ। ଶସ୍ତା ସାନିଟାଇଜର୍‌ କିଣି ଲୋକେ ଚର୍ମରୋଗର ଶିକାର ହେଉଛନ୍ତି। ରାସ୍ତାରେ କମ୍‌ ଦାମରେ ବିକ୍ରି ହେଉଥିବା ଏଭଳି ଏକ ସାନିଟାଇଜର୍ ବ୍ୟବହାର କରି ମଞ୍ଚେଶ୍ବର ଅଞ୍ଚଳର ଜଣେ ଯୁବକ ଚର୍ମରୋଗର ଶିକାର ହୋଇଛନ୍ତି। ତେବେ ଏହା କେବଳ ଗୋଟିଏ ମାତ୍ର ଉଦାହରଣ, ଏମିତି ଆଉ ଅନେକ ଲୋକ ଏମିତି ନକଲି ତଥା ଶସ୍ତା ସାନିଟାଇଜର୍‌ କିଣି ହୀନସ୍ତା ହୋଇଛନ୍ତି। କରୋନା ଲଢ଼େଇରେ ସାନିଟାଇଜର୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ବଜାରରେ ଏବେ ନକଲି ସାନିଟାଇଜର୍‌ର ବେପାର ବଢ଼ିଯାଇଛି। କେଉଁ ପରିସ୍ଥିତିରେ ଏସବୁ ସାନିଟାଇଜର ପ୍ରସ୍ତୁତ କରାଯାଉଛି ତାହାର ଯାଞ୍ଚ ହେଉନାହିଁ। ତେଣୁ ଏହାର ଫାଇଦା ନେବାକୁ ବସିଛନ୍ତି ମାଫିଆ। କମ୍ ଟଙ୍କାରେ ସାନିଟାଇଜର ଲୋଭ ଦେଖାଇ ଲୋକଙ୍କୁ ଚର୍ମରୋଗ ବାଣ୍ଟୁଛନ୍ତି।

କରୋନା ସଂକ୍ରମଣ ଆରମ୍ଭ ହେବା ପରେ ସାନିଟାଇଜର ବିକ୍ରି ଜୋର ଧରିଥିଲା। ବଜାରରେ ଅନେକ ନାମୀ ବ୍ରାଣ୍ଡର ସାନିଟାଇଜର ଉପଲବ୍ଧ ହେଉଛି। ମାତ୍ର ସଂକ୍ରମଣ ବଢ଼ୁଥିବାର ଫାଇଦା ଉଠାଇବାକୁ ଯାଇ ଅନେକ ଅସାଧୁ ବ୍ୟବସାୟୀ ନକଲି ସାନିଟାଇଜର ପ୍ରସ୍ତୁତ କରୁଛନ୍ତି। ଏମିତିକି ସାବୁନ ପାଣିରେ ବିଭିନ୍ନ ପ୍ରକାରର ସୁଗନ୍ଧ କେମିକାଲ ଏବଂ ରଙ୍ଗ ମିଶାଯାଇ ପ୍ୟାକିଂ କରି ବିକ୍ରି କରାଯାଉଛି। ଦାମ କମ୍ ରହିଥିବାରୁ ଲୋକମାନେ କିଣି ନେଉଛନ୍ତି। ମାତ୍ର ପରବର୍ତୀ ସମୟରେ ଚର୍ମ ରୋଗର ଶିକାର ହେଉଛନ୍ତି।

HealthifyMe

ବଜାରରେ ମିଳୁଥିବା ସାନିଟାଇଜର ସାଧାରଣତଃ ଦୁଇ ପ୍ରକାରର। ଆଲ୍‌କୋହଲଯୁକ୍ତ ଏବଂ ନନ୍ ଆଲକୋହଲିକ୍‌। ସ୍ପିରିଟ୍ ଯୁକ୍ତ ସାନିଟାଇଜରରେ ପ୍ରାୟ ୭୦ପ୍ରତିଶତ ଆଲ୍‌‌କୋହଲ୍ ରହିଥାଏ। ଚର୍ମର ସୁରକ୍ଷା ପାଇଁ ଏହି ସାନିଟାଇଜରରେ ଗ୍ଲିସେରିନ୍‌ ମିଶା ଯାଇଥାଏ। ଫଳରେ ଏହାର କୌଣସି କୁପ୍ରଭାବ ଚର୍ମ ଉପରେ ପଡ଼ି ନ ଥାଏ। ବଡ଼ ବଡ଼ କମ୍ପାନିମାନଙ୍କ ଦ୍ବାରା ଆସୁଥିବା ସାନିଟାଇଜର୍‌କୁ ସେଣ୍ଟ୍ରାଲ୍ ଡ୍ରଗ୍ କଣ୍ଟ୍ରୋଲ୍ ଅଥରିଟି ଯାଞ୍ଚ କରିବା ପରେ ଏହାକୁ ବଜାରକୁ ଛଡ଼ା ଯାଇଥାଏ।

ସେହିପରି ନନ୍ ଆଲ୍‌‌‌କୋହଲିକ୍ ସାନିଟାଇଜର୍‌ ହେଉଛି କ୍ରେସିଲ୍। ଅର୍ଥାତ ଏହା ଫୋମ୍‌ଯୁକ୍ତ ପଦାର୍ଥ। ଏଥିରେ ଆଲ୍‌କୋହଲ ନଥିବାରୁ ଏହା ବିଶେଷ କ୍ଷତି କରିନଥାଏ। କିନ୍ତୁ ବଜାରରେ ମିଳୁଥିବା ଅନେକ ବେନାମୀ କମ୍ପାନିର ସାନିଟାଇଜର୍‌ ଆଲକୋହଲିକ୍। ଦାମ କମ୍ ରହିଥିବାରୁ ଖୋଲା ବଜାରରେ ବେଶ ଭଲ ବିକ୍ରି ହେଉଛି। ଏସବୁର ଡ୍ରଗ୍ ନିରୀକ୍ଷକଙ୍କ ଦ୍ବାରା ଯାଞ୍ଚ କରାଯାଉ ନ ଥିବାରୁ ଏହାର ବିକ୍ରି ବଢ଼ିବାରେ ଲାଗିଛି।

ଚର୍ମରୋଗ ବିଶେଷଜ୍ଞଙ୍କ ମତରେ, ବଜାରରେ ମିଳୁଥିବା ବେନାମୀ ସାନିଟାଇଜର୍‌ରେ ଗ୍ଲିସେରିନ୍ ମିଶା ଯାଉନାହିଁ। ତେଣୁ ଏହାକୁ ବ୍ୟବହାର କରୁଥିବା ଲୋକଙ୍କଠାରେ ବିଭିନ୍ନ ପ୍ରକାରର ଚର୍ମରୋଗ ଦେଖାଦେଉଛି। ବଜାରରେ ମିଳୁଥିବା ସାନିଟାଇଜରର କଡ଼ାକଡ଼ି ଯାଞ୍ଚ ହେବା ଜରୁରୀ। ନଚେତ ଆଗକୁ ଲୋକମାନଙ୍କ ପାଖରେ ବିଭିନ୍ନ ପ୍ରକାରର ଚର୍ମରୋଗ ଦେଖାଦେବାର ଆଶଙ୍କା ରହିଛି। ଏ ଦୃଷ୍ଟିରୁ ଲୋକମାନେ ମେଡିସିନ୍ ଷ୍ଟୋର ଏବଂ ସରକାରୀ ପଞ୍ଜୀକୃତ ଦୋକାନରୁ ସାନିଟାଇଜର କିଣିବା ଜରୁରୀ। କିଣିବା ସମୟରେ ଦୋକାନୀଙ୍କୁ ବିଲ୍ ମଧ୍ୟ ମାଗିବା ଆବଶ୍ୟକ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର