ସୁଲଭ ଶୌଚାଳୟ ସିଲ୍‌, ରାସ୍ତାରେ ଭାସୁଛି ପାଇଖାନା ଆବର୍ଜନା

ପୁଣି ଚର୍ଚ୍ଚ‌ାରେ ପରିମଳ ବ୍ୟବସ୍ଥା, ବିଏମ୍‌ସି ଭାଙ୍ଗିଥିଲା‌, ତିଆରି କରୁନଥିଲା

ଭୁବନେଶ୍ବର: ବିଏମ୍‌ସି ପରିମଳ ଉପବିଭାଗକୁ ବିବାଦ ପିଛା ଛାଡ଼ୁନି। ଏମ୍‌ସିସିରୁ ଆରମ୍ଭ କରି ଭୁଆସୁଣି ପର୍ଯ୍ୟନ୍ତ ବିବାଦରେ ଛନ୍ଦି ହୋଇପଡ଼ିଥିବା ଏହି ଉପବିଭାଗ ପୁଣିଥରେ ଚର୍ଚ୍ଚାକୁ ଆସିଛି। ବିଏମ୍‌ସିର ଅବହେଳା ପାଇଁ ଏକ ସୁଲଭ ଶୌଚାଳୟ ସିଲ୍‌ ହୋଇଛି। ନାଳ ଜାମ୍‌ ହୋଇ ପାଇଖାନା ଆବର୍ଜନା ରାସ୍ତା ଉପରେ ଭାସିବାରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ ଥିବା ଏକ ସୁଲଭ ଶୌଚାଳୟକୁ ସ୍ମାର୍ଟ ସିଟି ପକ୍ଷରୁ ସିଲ୍‌ କରାଯାଇଛି। ଫଳରେ ଶୌଚ ପାଇଁ ଏହା ଉପରେ ନିର୍ଭର କରୁଥିବା ଶହଶହ ଲୋକ ବିଏମ୍‌ସିର ଏହି ଅବହେଳା ପାଇଁ ବାରଦୁଆର ହୋଇଛନ୍ତି। ଆଜି ଏହି ଆବର୍ଜନା ପାଣି ରାସ୍ତା‌ରେ ଭାସି ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିବାରୁ ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ସ୍ମାର୍ଟ ସିଟି ପକ୍ଷରୁ ଚଢ଼ଉ କରାଯାଇ ସିଲ୍‌ କରାଯାଇଛି। ନଳା ମରାମତି କରି ପରିମଳ ବ୍ୟବସ୍ଥା ସୁଧାରିବା ପରେ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି।

ବଡ଼ କଥା ହେଉଛି, ଏହି ସମସ୍ୟା ଖୋଦ୍‌ ବିଏମ୍‌ସି ସୃଷ୍ଟି କରିଥିଲା। ଗତ ଜୁନ୍‌ ମାସରେ ଏହି ନାଳ କାମ କଲା ବେଳେ ବିଏମ୍‌ସି ଏହାକୁ ଭାଙ୍ଗି ଦେଇଥିଲା। ହେଲେ ମରାମତି କରୁନଥିଲା। ପରିମଳକୁ ଗୁରୁତ୍ବ ଦେଉଥିବା ବିଏମ୍‌ସି କିଭଳି ନିଜେ ଭାଙ୍ଗି ଦେଇ କାମ କରୁନଥିଲା? ପ୍ରତ୍ୟେକ ଦିନ ଖୋଦ୍‌ କମିସନର ବିଭିନ୍ନ ଜାଗା ବୁଲିବା ସହ ପରିମଳକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ମେୟର୍‌ ମଧ୍ୟ ଜାଗା ଜାଗା ବୁଲି ପରିମଳ ବ୍ୟବସ୍ଥାରେ ତ୍ରୁଟି ଧରିବା ସହ ଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ତାଗିଦ କରୁଛନ୍ତି। ଏବେ ସମସ୍ତ ଅଧିକାରୀଙ୍କୁ ବିଭିନ୍ନ ଜାଗାରେ ଦାୟିତ୍ବ ଦିଆଯାଇଛି। ସକାଳୁ ସକାଳୁ ଅଧିକାରୀମା‌ନେ ବିଭିନ୍ନ ଜାଗା ବୁଲି ପରିମଳ ବ୍ୟବସ୍ଥା ଉପରେ ନଜର ରଖିବା ସହ ସମସ୍ୟା ଦେଖିଲେ ସମାଧାନ ବ୍ୟବସ୍ଥା କରୁଛନ୍ତି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସହରକୁ ସ୍ବଚ୍ଛ ରଖିବାକୁ ବିଏମ୍‌ସି ଆପ୍ରାଣ ଉଦ୍ୟମ କରୁଥିବା ଦେଖାଉଛି। ହେଲେ ରାଜଧାନୀ ଛାତି ଉପରେ ସ୍ମାର୍ଟ ଜନପଥ‌ରେ ପାଇଖାନା ଆବର୍ଜନା ଭାସିବା କଥାକୁ ଭୁବନେଶ୍ବରବାସୀ ଗ୍ରହଣ କରିପାରି ନାହାନ୍ତି।

ଏନେଇ ଏହି ଶୌଚାଳୟ ପରିଚାଳନା କରୁଥିବା ସୁଲଭ ଇଣ୍ଟରନାସନାଲ ସଂସ୍ଥାର ପବନ କୁମାର ସଂହ କହିଛନ୍ତି, ବିଏମ୍‌ସି ଡ୍ରେନ୍‌ କାମ କଲା ବେଳେ ଏହାକୁ ଭାଙ୍ଗି ଦେଇଥିଲା। ଜୁନ୍‌ ମାସରେ ଆମେ ବିଏମ୍‌ସିକୁ ଏହାକୁ ମରାମତି କରିବାକୁ ଚିଠି (ଚିଠି ନଂ. ଏସ୍‌ଏସ୍‌ଏସ୍‌ଓ/୬୦/୨୨) ଅନୁରୋଧ କରିଥିଲୁ। କିନ୍ତୁ ଏହାକୁ ମରାମତି କରାଯାଇନଥିଲା। ଫଳରେ ଆବର୍ଜନା ଜଳ ଆର୍‌ଡି ବିଶ୍ବବିଦ୍ୟାଳୟ ପରିସରକୁ ପ୍ରବେଶ କରୁଥିଲା। ଏଣୁ ବାରମ୍ବାର ଅଭିଯୋଗ ଆସୁଥିଲା। ସେଥିପାଇଁ ଆମେ ବିଏମ୍‌ସିକୁ ରିମାଇଣ୍ଡ ମଧ୍ୟ କରିଥିଲୁ। ତେବେ ଆଜି ସିଲ୍‌ ହେବା ପରେ ବିଏମ୍‌ସି ସହ ଆଲୋଚନା ହୋଇଛି। କାଲି ଏହାର ମରାମତି କରାଯିବ ବୋଲି ବିଏମ୍‌ସି କହିଛି।

ଏହି ମରାମତି କାମ ଜଣେ ଠିକାଦାର ଜରିଆରେ ବିଏମ୍‌ସି କରୁଥିଲା। ସମ୍ପୃକ୍ତ ଠିକାଦାର ଏହାକୁ ମରାମତି କରିବା କଥା। ହେଲେ ଏଭଳି ଭାଙ୍ଗି ଦେଇ କିଭଳି ଠିକାଦାର ଚାଲି ଯାଇଥିଲା? ବିଏମ୍ସି କାହିଁକି ସମ୍ପୃକ୍ତ ଠିକାଦାରଙ୍କୁ ଅନୁକମ୍ପା ଦେଖାଇଥିଲା ତାହା ବୁଝା ପଡ଼ୁ ନାହିଁ। ତେବେ କେବଳ ଏହି ସୁଲଭ ଶୌଚାଳୟ ନୁହେଁ ସ୍ମାର୍ଟ ସିଟି ୧୩ଟି ଦୋକାନ ସିଲ୍‌ କରିବା ସହ କେତେକ ସାମଗ୍ରୀ ଜବତ କରିଛି। ଏଥିରେ ୬ଟି କିଓସ୍କ ପରିମଳ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଯୋଗୁ ସିଲ୍‌ କରାଯାଇଥିବା ବେଳେ କେତେକ ଦୋକାନ ମୂଳ ଚୁକ୍ତିକୁ ଅବମାନନା କରିଥିବାରୁ ସିଲ୍‌ କରାଯାଇଛି। ଗୋଟିଏ ଗ୍ରିନ୍‌ ଚିଲି, ଗୋଟିଏ ଓମ୍‌ଫେଡ୍‌ ଓ ଗୋଟିଏ ଓପେଲ୍‌ଫେଡ୍‌ ମଧ୍ୟ ସିଲ କରାଯାଇଛି। ସେହିଭଳି ସହିଦନଗର ବହୁତଳ କାର୍‌ ପାର୍କିଂ ନିକଟରେ ଏକ ଦୋକାନ ମଧ୍ୟ ସିଲ୍‌ କରାଯାଇଛି। ସେହିଭଳି ୪ଟି ଟ୍ରକ୍‌ର ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ରାସ୍ତା କଡ଼ରେ ଗଦା କରୁଥିବାରୁ ଜରିମାନା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର