ଠକିଦେଲା ବିଦେଶୀ ବନ୍ଧୁ, ଫେସ୍‌ବୁକ୍‌‌ରେ ୭୦ ଲକ୍ଷର ଲୋଭ ଦେଖାଇ ୮.୫ଲକ୍ଷ ଲୁଟିନେଲା

ବନ୍ଧୁତା କରି ତିନୋଟି ଉପାୟରେ ଲୁଟୁଛନ୍ତି, ସତର୍କ କରାଇଲେ ଡିସିପି

ଭୁବନେଶ୍ବର: ଠକି ଦେଲା ବିଦେଶୀ ବନ୍ଧୁ। ଫେସ୍‌ବୁକ୍‌‌ରେ ୭୦ ଲକ୍ଷ ଟଙ୍କାର ଲୋଭ ଦେଖାଇ ସାଢ଼େ ୮ ଲକ୍ଷ ଟଙ୍କା ଚଳୁ କରିଦେଲା। ଏବେ ବନ୍ଧୁଙ୍କ ଫୋନ୍‌ ବନ୍ଦ। ତେଣୁ ସାଇବର ଠକ‌ର ଜାଲ‌ରେ ଫସି ଯାଇଥିବା ଜାଣିବା ପରେ ମହିଳାଜଣକ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ସାଇବର ଠକକୁ ଖୋଜିବା ପାଇଁ ଛାନ୍‌ଭିନ୍ ଆରମ୍ଭ କରିଛି। ମହିଳାଙ୍କ ଆକାଉଣ୍ଟରୁ କେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି, ତାହାକୁ ନେଇ ବ୍ୟାଙ୍କ ସହ ଯୋଗାଯୋଗ କରି ପୁଲିସ ପ୍ରାଥମିକ ତଦନ୍ତ ଚଳାଇଛି ବୋଲି ସୂଚନା ମିଳିଛି। ଘଟଣାଟି ଘଟିଛି, ଚନ୍ଦ୍ରଶେଖରପୁର ଅଞ୍ଚଳରେ। ଠକାମିର ଶିକାର ହୋଇଥିବା ମହିଳା ହେଲେ ସତ୍ୟଭାମା ସେନାପତି।

କେମିତି ଠକିଲା
ତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ଚାରି ପାଞ୍ଚ ମାସ ତଳେ ତାଙ୍କ ଫେସ୍‌ବୁକ୍‌କୁ ଆକାଉଣ୍ଟକୁ ଜଣେ ବିଦେଶୀ ବ୍ୟକ୍ତିଙ୍କ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଆସିଥିଲା। ସେ ଏହାକୁ ଗ୍ରହଣ କରିବା ପରେ ଉଭୟଙ୍କ ଭିତରେ ବନ୍ଧୁତା ହୋଇଥିଲା। ସେମାନେ ବିଭିନ୍ନ ସମୟରେ ଚାଟିଂ କରୁଥିଲେ ଓ ଧୀରେ ଧୀରେ ସେମାନଙ୍କ ବନ୍ଧୁତା ଘନିଷ୍ଠ ହେବାକୁ ଲାଗିଥିଲା। ଥରେ ସେ ଏକ ବ୍ୟବସାୟ ବାବଦରେ ତାଙ୍କୁ ୭୦ ହଜାର ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୭୦ ଲକ୍ଷ ଟଙ୍କା) ଦେବ ବୋଲି ଲୋଭ ଦେଖାଇଥିଲା। ସତ୍ୟଭାମା ଉକ୍ତ ବିଦେଶୀ ବନ୍ଧୁକୁ ଏତେ ବିଶ୍ବାସ କରିସାରିଥିଲେ ଯେ ସେ ତାଙ୍କୁ ଠକିବ ବୋଲି ଆଦୌ ଭାବି ପାରିନଥିଲେ। ଉକ୍ତ ଟଙ୍କାକୁ ନେଇ ଜଣେ ଏଜେଣ୍ଟ ଭାରତ ଯିବେ ଓ ତା’ ସାଙ୍ଗରେ ଯୋଗାଯୋଗ କରିବା ପାଇଁ ବିଦେଶୀ ବନ୍ଧୁ ତାଙ୍କୁ ଏକ ଫୋନ୍ ନମ୍ବର ଦେଇଥିଲା। ସତ୍ୟଭାମା ସେହି ନମ୍ବରରେ ଉକ୍ତ ଏଜେଣ୍ଟ ସହ ଯୋଗାଯୋଗ କରିଥିଲେ। ସେଇଟି ଦିଲ୍ଲୀର ନମ୍ବର ଥିବାରୁ ସେ ଅବିଶ୍ବାସ କରିନଥିଲେ। ତେବେ ଏହି ଟଙ୍କା ପାଇବାକୁ ହେଲେ କିଛି ଟିକସ ଭରିବାକୁ ପଡ଼ିବ ବୋଲି ଏଜେଣ୍ଟ ସତ୍ୟଭାମାଙ୍କୁ କହିଥିଲା। ପ୍ରଥମେ ଲକ୍ଷେ, ତା’ପରେ ଦୁଇ ଲକ୍ଷ, ଏମିତି କରି ଏଜେଣ୍ଟଜଣକ ତାଙ୍କଠାରୁ ୭ ଲକ୍ଷ ଟଙ୍କା ନେଇ ଯାଇଥିଲା। କିନ୍ତୁ ଏହା ପରେ ଏଜେଣ୍ଟଙ୍କ ଫୋନ୍‌ ବନ୍ଦ ହୋଇ ଯାଇଥିଲା। ତେଣୁ ସତ୍ୟଭାମା ଫେସ୍‌ବୁକ୍‌ର ସେହି ବିଦେଶୀ ବନ୍ଧୁଙ୍କ ସହ ଯୋଗାଯୋଗ କଲେ। ଏହା ଶୁଣିବା ପରେ ବିଦେଶୀ ବନ୍ଧୁ ଖୁବ୍‌ ବ୍ୟସ୍ତତା ପ୍ରକାଶ କଲା ଓ ନିଜେ ଦିଲ୍ଲୀ ଯାଇ ସମସ୍ୟାର ସମାଧାନ କରିବ ବୋଲି କହିଥିଲା। କିଛି ଦିନ ପରେ ଦିଲ୍ଲୀର ଏକ ନମ୍ବରରୁ ସତ୍ୟଭାମା ଏକ କଲ୍‌ ପାଇଲେ। କଲ୍‌ କରିଥିଲେ ବିଦେଶୀ ବନ୍ଧୁ। ସତ୍ୟଭାମାଙ୍କ ମନ ଖୁସି ହୋଇ ଯାଇଥିଲା। ବିଦେଶୀ ବନ୍ଧୁ କହିଲା ଯେ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କୁ ଅଟକାଇ ଦିଆଯାଇଛି। ତାଙ୍କ ଏଟିଏମ୍ କାର୍ଡ ଭାରତରେ କାମ କରୁନି। ତେଣୁ ଦେଢ଼ଲକ୍ଷ ଟଙ୍କା ନ ପଠାଇଲେ ସେ ଅସୁବିଧାରେ ପଡ଼ିବେ ଓ ତାଙ୍କ ୭୦ ହଜାର ପାଉଣ୍ଡ ସମସ୍ୟା ମଧ୍ୟ ସମାଧାନ ହୋଇ ପାରିବନାହିଁ। ପୁଣି ସତ୍ୟଭାମା ବିଦେଶୀ ବନ୍ଧୁକୁ ବିଶ୍ବାସ କଲେ ଓ ବନ୍ଧୁ ଦେଇଥିବା ଏକ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କା ପଠାଇ ଦେଲେ। କିନ୍ତୁ ତା’ ପରେ ବନ୍ଧୁଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା। ସତ୍ୟଭାମା ଯେତେ ଚେଷ୍ଟା କଲେ ବି ନା ଉକ୍ତ ଏଜେଣ୍ଟ ନା ବିଦେଶୀ ବନ୍ଧୁ କାହା ଫୋନ୍‌ ଖୋଲା ନଥିଲା। ସେତେବେଳେ ଯାଇ ସତ୍ୟଭାମା ଠକାମିର ଶିକାର ହୋଇଥିବା ବୁଝି ପାରିଥିଲେ।

ବନ୍ଧୁତା କରି ତିନୋଟି ଉପାୟରେ ଲୁଟୁଛନ୍ତି
୧) ଫେସ୍‌ବୁକ୍‌ରେ ବିଦେଶୀ ଓ ବେନାମୀ ନାଁରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଇ ତିନୋଟି ଉପାୟରେ ସାଇବର ଠକ ଲୁଟୁଛନ୍ତି। ଠକ ବନ୍ଧୁତା କରି ଟଙ୍କା, ଦାମୀ ଗିଫ୍ଟ ପଠାଇବା ବାହାନାରେ ଟିକସ ପାଇଁ ଟଙ୍କା ଦାବି କରୁଛନ୍ତି। ଦାମୀ ଗିଫ୍ଟ, ଲକ୍ଷାଧିକ ଟଙ୍କା ପାଇବା ଲୋଭରେ ଜାଲରେ ଫସିଥିବା ଲୋକ ଟଙ୍କା ପଠାଇ ଚାଲେ। ଶେଷରେ ଯେତେବେଳେ କିଛି ନ ମିଳେ ଜାଲରେ ଫସିଥିବା ଲୋକଟି ଠକାମିର ଶିକାର ହୋଇଥିବା ଜାଣିପାରେ।

୨) ବନ୍ଧୁତା ବଢ଼ାଇବା ପରେ ଠକ ଟଙ୍କା ପଠାଇବାର ଲୋଭ ଦେଖାଏ। ଏଥିପାଇଁ ଜାଲରେ ଫସିଥିବା ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ନମ୍ବର, ସିଭିଭି ନମ୍ବର ମାଗିନିଏ। ବିଶ୍ବାସ ଜନ୍ମାଇବା ପାଇଁ ପ୍ରଥମେ କିଛି ଟଙ୍କା ପଠାଇ ଥାଏ। ଠକ ପାଖରେ ସମ୍ପୂର୍ଣ୍ଣ ବିବରଣୀ ଥିବାରୁ ଶେଷରେ ସେ ଆକାଉଣ୍ଟ ଖାଲି କରିଦିଏ।

୩) ବିଶେଷକରି ଯୁବପିଢ଼ିମାନେ ଠକାମିର ଶିକାର ହୁଅନ୍ତି। ଠକ ବନ୍ଧୁତା କରିବା ପରେ ଜାଲରେ ଫସିଥିବା ବ୍ୟକ୍ତିର କିଛି ସାଙ୍ଗଙ୍କ ତାଲିକା ସଂଗ୍ରହ କରିନିଏ। ଯଦି ଏହି ସମ୍ପର୍କ ପ୍ରେମ ଆଡ଼କୁ ବଢେ, ତାହାଲେ ଅଶ୍ଳୀଳ ଭିଡ଼ିଓ କଲିଂ ମଧ୍ୟ ହୁଏ। କିନ୍ତୁ ଠକ ଏହାର ସୁଯୋଗ ନେଇ ସ୍କ୍ରିନ୍ ରେକର୍ଡିଂ କରିଦିଏ। ଏହା ପରେ ଜାଲରେ ଫସିଥିବା ବ୍ୟକ୍ତିକୁ ଭିଡିଓ ଭାଇରାଲ୍ କରିବାର ଧମକ ଦେଇ ଟଙ୍କା ଆଦାୟ କରେ। ଏମିତି ମଧ୍ୟ ଅନେକ ଠକାମିର ଶିକାର ହେଉଛନ୍ତି। ହେଲେ ଲୋକଲଜ୍ଜା ଭୟରେ ଅଭିଯୋଗ କରନ୍ତି ନାହିଁ।

ସତର୍କ କରାଇଲେ ଡିସିପି
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି, ବିଦେଶୀ ଲୋକଙ୍କ ନାଁରେ ଆସୁଥିବା ଫ୍ରେଣ୍ଡ ରିକ୍ୟୁଏଷ୍ଟଠାରୁ ଦୂରରେ ରୁହନ୍ତୁ। ଏହାକୁ ଗ୍ରହଣ କରନ୍ତୁ ନାହିଁ। ସେହିପରି ଅନ୍ୟ ଯେଉଁ ଅଚିହ୍ନା ଲୋକଙ୍କଠାରୁ ରିକ୍ୟୁଏଷ୍ଟ ଆସୁଛି, ତାହାକୁ ଗ୍ରହଣ କରିବା ପୂର୍ବରୁ ମ୍ୟୁଚୁଆଲ୍ ଫ୍ରେଣ୍ଡ ତାଲିକାକୁ ଯାଞ୍ଚ କରନ୍ତୁ। ସେହିପରି ଦୁନିଆରେ କୌଣସି ଜିନିଷ ମାଗଣାରେ ମିଳେ ନାହିଁ। ତେଣୁ ମାଗଣା ଲୋଭ ଦେଖାଉଥିବା ଏଭଳି ଠକଙ୍କଠାରୁ ଦୂରରେ ରୁହନ୍ତୁ। ରାତି ଅଧରେ କାହା ସହ ଚାଟିଂ କରନ୍ତୁ ନାହିଁ। ଚନ୍ଦ୍ରଶେଖରପୁର ଥାନା ଘଟଣା ସାମ୍ନାକୁ ଆସିବା ପରେ ଡିସିପି ଉମାଶଙ୍କର ଦାଶ ସତର୍କ କରାଇଛନ୍ତି।

ସମ୍ବନ୍ଧିତ ଖବର