ଠକିଦେଲା ହାଉସିଂବୋର୍ଡ: ଘରେ ପଶୁପଶୁ ଚାଳ ବାଜିଲାଣି, ପାର୍କିଂ ପାଇଁ ଟଙ୍କା ନେଲେ, ସୁବିଧା ଦେଲେନି

ବଢ଼ୁଛି ଭୁବନେଶ୍ବରର କଳେବର। ଲୋକସଂଖ୍ୟା ସହ ତାଳ ଦେଇ ଗଢ଼ି ଉଠୁଛି ନୂଆନୂଆ ବସ୍ତି, କଲୋନି, ଆପାର୍ଟମେଣ୍ଟ। କିନ୍ତୁ ଏ ଭିଡ଼ ଭିତରେ ଅନେକଙ୍କ ସ୍ବର ଚାପି ହୋଇଯାଉଛି। କେଉଁଠି ବିଲଡର୍‌ ତ କେଉଁଠି ସରକାରୀ କଳର ଅବହେଳାରୁ ହଜାର ହଜାର ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ରାଜଧାନୀରେ ଏମିତି ବି ସାହି-ବସ୍ତି-କଲୋନି ଅଛି, ଯାହାର ଚାଲିଚଳଣି, ରୀତିନୀତି, ପରମ୍ପରା ଅନ୍ୟମାନଙ୍କ ପାଇଁ ଉଦାହରଣ। ତାହାକୁ ଲୋକଲୋଚନକୁ ଆଣିବା ତଥା ଅଭାବ, ଅସୁବିଧାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ସମ୍ବାଦ’ ଆରମ୍ଭ କରିଛି ନୂଆ ଅଭିଯାନ ‘ସ୍ବର ଆପଣଙ୍କର’। ଏହି କ୍ରମରେ ‘ସମ୍ବାଦ’ର ଖଣ୍ଡଗିରି ଜୋନ୍‌ ଟିମ୍‌ ଡୁମୁଡୁମାସ୍ଥିତ ‘ସୁଦର୍ଶନ ଏନକ୍ଲେଭ’ ବୁଲି ପ୍ରତ୍ୟକ୍ଷ ଭାବେ ସେମାନଙ୍କ ଅନୁଭୂତି ସାଉଁଟିଥିଲା।
ରିପୋର୍ଟ: ଗାର୍ଗୀ ଶତପଥୀ, ହରପ୍ରିୟା ପୃଷ୍ଟି
ଫଟୋ: ଅସିତ ଶତପଥୀ

ଖଣ୍ଡଗିରି: ହାଉସିଂବୋର୍ଡ ଘର। ଜମିଜମା ଝମେଲା ନାହିଁ କି ଠକେଇର ଶିକାର ହେବାକୁ ପଡ଼ିବନି। ହେଉ ପଛେ ୪-୫ ଲକ୍ଷ ଅଧିକ, କିନ୍ତୁ ସବୁଆଡ଼ୁ ନିରାପଦ। ଏଇଠି ଘରଟିଏ ମିଳିଗଲେ, ଭୁବନେଶ୍ବରରେ ମୁଣ୍ଡ ଗୁଞ୍ଜିବାକୁ ଆଉ ହନ୍ତସନ୍ତ ହେବାକୁ ପଡ଼ିବନି। ଏମିତି ଚିନ୍ତା କରି ବହୁ ଲୋକ ଧାରକରଜ, ବ୍ୟାଙ୍କରୁ ଋଣ ନେଇ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି)ଠାରୁ ୧୭ ଲକ୍ଷରେ ଏଲ୍‌ଆଇଜି ଓ ୪୦ ଲକ୍ଷ‌‌ରେ ଏମ୍‌ଆଇଜି ଫ୍ଲାଟ୍‌ କିଣିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏ ବିଶ୍ବସନୀୟ ସଂସ୍ଥା ଯେ ସେମାନଙ୍କୁ ଏମିତି ଦଗା ଦେବ, ତାହା ସେମାନେ କଳ୍ପନା କରି ନଥିଲେ। ଆଗୁଆ ଫ୍ଲାଟ୍‌ ବାବଦ ପୂରା ଟଙ୍କା ପୈଠ ପରେ ବି ନିର୍ଦ୍ଧାରିତ ସମୟରେ ସେମାନଙ୍କୁ ଘର ମିଳିଲାନି। ବହୁ ସଂଘର୍ଷ ପରେ ଗତବର୍ଷ ହାଉସିଂବୋର୍ଡ ସେମାନଙ୍କୁ ଘର ଚାବି ଦେଇଛି। କିନ୍ତୁ ଘରେ ନ ପଶୁଣୁ ଚାଳ ବାଜିବା ଭଳି ଫ୍ଲାଟ୍‌ ହାତେଇବାର ବର୍ଷଟିଏ ଯାଇନି, ପୁଳାପୁଳା ସମସ୍ୟା ଏବେ ସେମାନଙ୍କୁ ନାକରେ କନ୍ଦାଇଲାଣି। ଏ ଚରମ ବେଦନା ହେଉଛି ଡୁମୁଡୁମା ଫେଜ୍‌-୭‌ରେ ରହୁଥିବା ସୁଦର୍ଶନ ଏନ୍‌କ୍ଲେଭ୍‌ ବାସିନ୍ଦାଙ୍କର।

ସୋସାଇଟି ଭିତରେ ୮ ମହଲା ବିଶିଷ୍ଟ ସମସ୍ତ ୫ଟି ଅଟ୍ଟାଳିକାରେ ବହୁ ଫାଟ ଦେଖା‌ଗଲାଣି। କେଉଁଠି ବାହାର ଚୂନ ଛାଡ଼ିଗଲଣି ତ କେଉଁଠି ପାଣି ଜକେଇଲାଣି। ମଳ ପରିଚାଳନା ପାଇଁ ଥିବା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଅଚଳ ହୋଇ ସେଥିରୁ ଏମିତି ଭଣଭଣ ଦୁର୍ଗନ୍ଧ ବାହାରୁଛି ଯେ ପାଖ ଫ୍ଲାଟ୍‌ ବାସିନ୍ଦା ଝରକା ଖୋଲି ପାରୁନାହାନ୍ତି। ବାହାରଠାରୁ ଭିତର ଅବସ୍ଥା ଆହୁରି ଦୁର୍ବିଷହ। ଲୋକଙ୍କ ଘର ଭିତରେ ପାଣି ଜକେଇ ପଲସ୍ତରା ଛାଡ଼ିଲାଣି। ଉପର ଗାଧୁଆ ଘରର ପାଣି ଛାତ ଭେଦି ତଳ ଲୋକଙ୍କ ଘର ଓଦା କରୁଛି। ଟ୍ୟାପ୍‌କୁ ପାଣି ଆସୁନି। ଏଲ୍‌ଆଇଜି ପଟେ ଏଯାଏ ଅଧା ଲିଫ୍ଟ ବି ଲଗା ଯାଇନି। ଗାଡ଼ି ପାର୍କିଂ ସ୍ଥାନରେ ନାଗ-ନାଗୁଣୀ ଖେଳୁଛନ୍ତି। ଏସବୁ ଅବ୍ୟବସ୍ଥା ହାଉସିଂବୋର୍ଡର ନିମ୍ନମାନର କାର୍ଯ୍ୟକୁ ପଦାରେ ପକାଇ ଦେଇଥିବା ବେଳେ ଏହି ପ୍ରକଳ୍ପରେ ବ୍ୟାପକ କେଳେଙ୍କାରୀ ହୋଇଛି ବୋଲି ସୋସାଇଟି ବାସିନ୍ଦା ଅଭିଯୋଗ କରିଛନ୍ତି।

ରକ୍ଷଣାବେକ୍ଷଣ ବାବଦକୁ ୩୫ ଲକ୍ଷ, ଟଙ୍କାକର କାମ ନାହିଁ
କୋଠାଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ହାଉସିଂବୋର୍ଡ ବର୍ଷକ ପାଇଁ ଲୋକଙ୍କଠାରୁ ୩୫ ଲକ୍ଷ ଟଙ୍କା ଆଗୁଆ ନେଇ ଯାଇଛି। କିନ୍ତୁ ଏତେ ସବୁ ଅବ୍ୟବସ୍ଥା ସତ୍ତ୍ବେ ସେଥିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଉନାହିଁ। ଏପରିକି କାହାରିକୁ ମଧ୍ୟ ଏ ସମ୍ବନ୍ଧୀୟ ଦାୟିତ୍ବ ଦିଆଯାଇନାହିଁ। ସୋସାଇଟି ଭିତରେ ଥିବା ଦୁଇଟି କମ୍ୟୁନିଟି ହଲ୍‌ର ଅବସ୍ଥା ବି ତଦ୍ରୂପ। ପାଣି ଜକେଇ ଛାତରୁ ଛେଲା ଛାଡ଼ିଲାଣି। ଝରକାଗୁଡ଼ିକୁ ବି ଠିକ୍‌ ଭାବେ ବନ୍ଦ ହେଉନି।

ଅନ୍ଧାରରେ ଜମୁଛି ଅସମାଜିକଙ୍କ ଆଡ଼ା
ଆପାର୍ଟମେଣ୍ଟକୁ ସଂଯୋଗ ରାସ୍ତାରେ ଆଜି ପର୍ଯ୍ୟନ୍ତ ଷ୍ଟ୍ରିଟ୍‌-ଲାଇଟ୍‌ ବ୍ୟବସ୍ଥା କରାଯାଇନାହିଁ। ଅନ୍ଧାର ହେଲେ ଅସାମାଜିକଙ୍କ ଆଡ଼ା ଜମୁଛି। ଚାରିପାଖ ପାଚେରି ଅଧାପନ୍ତରିଆ ଥିବାରୁ ବର୍ଷେ ମଧ୍ୟରେ ୧୫ରୁ ୨୦ଟି ଛୋଟମୋଟ ଚୋରି ହେଲାଣି।

ମିଳିମିଶି ପାଳନ୍ତି ପର୍ବପର୍ବାଣୀ
ତମାମ ଅବ୍ୟବସ୍ଥା ସତ୍ତ୍ବେ ଗୋଟିଏ ବର୍ଷର ରହଣି ଭିତରେ ସୋସାଇଟିର ବିଭିନ୍ନ ବର୍ଗର ଲୋକ ହୋଲି, ଦୀପାବଳି, ସାବିତ୍ରୀ ଭଳି ପୂଜାପର୍ବ ମିଳିମିଶି ପାଳିଛନ୍ତି। ସ୍ବାଧୀନତା ଓ ଗଣତନ୍ତ୍ର ଦିବସରେ ବି ସମସ୍ତେ ଏକାଠି ହୋଇ ମାଟି ମା’ର ବନ୍ଦନା କରନ୍ତି। ଆପାର୍ଟମେଣ୍ଟରେ ବର୍ତ୍ତମାନ ସୁଦ୍ଧା ୨୨୦ ପରିବାର ବସବାସ କରୁଛନ୍ତି।

ପଶିପାରୁନି ଆମ୍ବୁଲାନ୍ସ

ପ୍ରକଳ୍ପ ଇସ୍ତାହାରରେ ଲୋକଙ୍କୁ ବହୁ ଗୋଲାପି ସ୍ବପ୍ନ ଦେଖାଇଥିଲା ହାଉସିଂବୋର୍ଡ। କିନ୍ତୁ ଏବେ ବି ଏହି ଅଞ୍ଚଳ ଯେମିତି କେଉଁ ଅପନ୍ତରା ଅଞ୍ଚଳରେ ଥିବା ଭଳି ମନେ ହେଉଛି। ସୋସାଇଟିକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ତିଆରି ହୋଇପାରିଲା ନାହିଁ। ଆମ୍ବୁଲାନ୍ସ ପଶିବାରେ ବି ଅସୁବିଧା ହେଉଛି। କିଛି ଦିନ ତଳେ ଜଣେ ଅସୁସ୍ଥ ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହେବା ବିଳମ୍ବ ହୋଇଥିଲା। ସୋସାଇଟି ଭିତର ରାସ୍ତା ସଂକୀର୍ଣ୍ଣ ଥିବାରୁ ଦମକଳ ଗାଡ଼ି ପଶିପାରିବ କି ନାହିଁ, ଲୋକ ସନ୍ଦେହରେ ଅଛନ୍ତି।

ପାର୍କିଂ ପାଇଁ ଟଙ୍କା ନେଲେ, ସୁବିଧା ଦେଲେନି

ଫ୍ଲାଟ୍‌ ବିକ୍ରି ବେଳେ ହାଉସିଂବୋର୍ଡ ଯେତିକି ସୁବିଧା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା, ତାହା ସବୁ ଧୂଆଁବାଣ ଥିଲା। ୧୯୬ଟି ଏମଆଇଜି ଫ୍ଲାଟ୍‌ ପାଇଁ ୧୯୬ ପାର୍କିଂ ସୁବିଧା ଦିଆଯିବାର ଥିଲା। ଏଥିପାଇଁ ଘର ପିଛା ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନିଆଯାଇଥିଲା। କିନ୍ତୁ ପାର୍କିଂ ସୁବିଧା ନାହିଁ। ଖରା-ବର୍ଷା-ଶୀତରେ ଗାଡ଼ି ସବୁ ଖୋଲା ଆକାଶ ତଳେ ରହୁଛି। ସୋସାଇଟି ଭିତରେ ପିଲାଙ୍କ ପାଇଁ ଖେଳ ପଡ଼ିଆର ପ୍ରତିଶ୍ରୁତି ବି ପାଣିର ଗାର ହୋଇଛି।

ଆଲୋ‌ଚନା କରିଥିଲେ

ଉମାକାନ୍ତ ଦଳେଇ (ସଭାପତି), ସଂଜୀବ କର (ଉପସଭାପତି), ଶିବପ୍ରସାଦ ମିଶ୍ର (ସାଧାରଣ ସଂପାଦକ), ହରେକୃଷ୍ଣ ମହାନ୍ତି (ଅତିରିକ୍ତ ସଂପାଦକ), ଶିବାନନ୍ଦ ମିଶ୍ର, ଉମାକାନ୍ତ ପରିଜା, ଗୌରେନ୍ଦ୍ର ପାତ୍ର, ତରୁନ୍‌ ସାହୁ, ଏନ୍‌.ଏନ୍‌ ମିଶ୍ର, ପ୍ରବୀର କୁମାର ନାୟକ, ତପନ ସାହୁ, ସୁଦାମ ଶେଖର ରଥ, କର୍ଣ୍ଣଚନ୍ଦ୍ର, ସୁକାନ୍ତ କୁମାର ମହାପାତ୍ର, ରୋଜାଲିନ୍‌ ଆଚାର୍ଯ୍ୟ, ଲିଲି ଦାସ, ଦିଲୀପ ଦାସ, ନାରାୟଣ ଚନ୍ଦ୍ର ହାତୀ, ସୁବାସ ଚନ୍ଦ୍ର ବାରିକ, ଶ୍ରୀମନ୍ତ ମିଶ୍ର, ଶିବପ୍ରସାଦ ମିଶ୍ର ପ୍ରମୁଖ।

ସମ୍ବନ୍ଧିତ ଖବର