ବାଲିଅନ୍ତା ବଜାର : ହାଇକୋର୍ଟରେ ଚାକିରି କରାଇଦେବା ନାଁରେ ୨ ଆଶାୟୀଙ୍କଠାରୁ ପାଖାପାଖି ୧୬ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ପାହାଳ ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦାର ରଂଜନ କୁମାର ନାୟକ (୩୮)। ପାହାଳ ଥାନା ଅଧିକାରୀ ସୁଚିତ୍ରା‌ ପରିଡ଼ାଙ୍କ ନେତୃତ୍ବରେ ଏକ ଟିମ୍‌ ଗତକାଲି ବିଳମ୍ବିତ ରାତିରେ ତ୍ରିଶୁଳିଆ ଅଞ୍ଚଳରୁ ରଞ୍ଜନକୁ ଗିରଫ କରିଥିଲା। ତା’ ନିକଟରୁ ହଳେ ପୁଲିସ୍‌ ଓ ହଳେ ଡାକ୍ତର ପୋଷାକ, ଷ୍ଟେଥୋ ସହ ଅନ୍ୟ କିଛି ସଂରଜାମ ଜବତ ହୋଇଛି। ଆଜି ତାକୁ କୋର୍ଟଚାଲାଣ କରାଯାଇଛି।

Advertisment

ପୁଲିସ୍‌ ସୂଚନାନୁଯାୟୀ, ରଂଜନ ଜଣେ ପେସାଦାର ଠକ। ସେ ପାହାଳ ଥାନା ଅନ୍ତର୍ଗତ ଅଟଳା ପଞ୍ଚମୁଖୀ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲା। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ପୁଲିସ୍‌ର ପରିଚୟ ଦେଇ ଲୋକଙ୍କୁ ଠକୁଥିଲା। ବିଶେଷକରି ଚାକିରି ଆଶାୟୀ ଯୁବପିଢ଼ିମାନଙ୍କୁ ସେ ଟାର୍ଗେଟ୍‌ କରୁଥିଲା। ହାଇକୋର୍ଟ ଏଏସ୍‌ଓ ପଦରେ ଚାକିରି କରାଇଦେବାକୁ କହି ରଂଜନ ଭରତପୁର ଥାନା ଘାଟିକିଆ ଅଞ୍ଚଳର ଅକ୍ଷୟ କୁମାର ମହନ୍ତ ଓ ଧରଣୀଧର ପଣ୍ଡା ନାମକ ଦୁଇଜଣ ଯୁବକଙ୍କୁ ଜାଲରେ ଫସାଇଥିଲା। ସେ କ୍ରାଇମ୍‌ବ୍ରାଞ୍ଚରେ ଇନ୍ସ‌ପେକ୍ଟର୍‌ ଭାବେ କାମ କରୁଛି ଓ ହାଇକୋର୍ଟର ବିଚାରପତିଙ୍କ ସହ ତା’ର ଭଲ ସଂପର୍କ ଅଛି ବୋଲି କହିଥିଲା। ତେଣୁ ସେ ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇ ପର୍ଯ୍ୟାୟକ୍ରମେ ଦୁଇଜଣଙ୍କଠାରୁ ୧୬ ଲକ୍ଷ ଟଙ୍କା ଠକି ନେଇଥିଲା। ସେହି ଟଙ୍କାରେ ସେ ‘ଭାରତ ଅପେରା’ ନାମକ ଏକ ଯାତ୍ରା ପାର୍ଟି ଖୋଲିଥିଲା।

ଅପରପକ୍ଷେ, ସେ ହାଇକୋର୍ଟ ଏଏସ୍‌ଓ ନିଯୁକ୍ତି ଅର୍ଡର୍‌ର ଏକ ଜାଲ୍‌ କାଗଜ ଅକ୍ଷୟଙ୍କୁ ଧରାଇଥିଲା। କିନ୍ତୁ ଏହା ଜାଣି ପାରି ଅକ୍ଷୟ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କରିଥିଲେ। ହେଲେ ଆଜିକାଲି କହି ସେ ଦିନ ଗଡ଼ାଇ ଚାଲିଥିଲା। ଦୀର୍ଘ ଦିନ ପରେ ବି ଟଙ୍କା ନ ମିଳିବାରୁ ଅକ୍ଷୟ ଗତ ୧୫ତାରିଖରେ ଏ ସଂପର୍କ‌ରେ ପାହାଳ ଥାନାରେ ଅଭିଯୋଗ କରିଥିଲେ। ପରେ ଏ ସଂପର୍କରେ ଧରଣୀଧର ଅଭିଯୋଗ କରିଥିଲେ। ଏ ସଂପର୍କରେ ଭୁବନେଶ୍ୱର ଜୋନ୍‌-୪ ଏସିପି ଶୁଭ ନାରାୟଣ ମୁଦୁଲି ଆଜି ପାହାଳ ଥାନା‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତତି। ତେବେ ରଂଜନ ବିରୋଧରେ ଆହୁରି ଠକେଇ ଅଭିଯୋଗ ଆସିପାରେ ବୋଲି କୁହାଯାଉଛି।