ବାରଙ୍ଗ/ମେଣ୍ଢାଶାଳ: ୨ ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଚନ୍ଦକା ଥ‌ାନା ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଚନ୍ଦକା ଥାନା ଛତାବର ଅଞ୍ଚଳର ଜଣେ ଯୁବତୀଙ୍କୁ ପିପିଲି ଥାନା ଅଞ୍ଚଳ ଉଜାଣିପଡ଼ାର ରିଙ୍କୁ ପ୍ରଧାନ(୨୧) ବିବାହ ପ୍ରତିଶ୍ରୁତି ଦେଇ ୪ବର୍ଷ ହେଲା ପ୍ରେମ କରି ଆସୁଥିଲା। କିନ୍ତୁ ତାଙ୍କୁ ବିବାହ କରିବା ପରିବର୍ତ୍ତେ ପ୍ରତାରଣା ଦେଲା। ସେତିକିରେ ମନ ବୁଝିଲା ନାହିଁ ଯେ ଯୁବତୀଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ନକଲି ଫେସବୁକ୍ ଆଇଡିରେ ସେୟାର୍‌ କଲା। ଯୁବତୀଙ୍କ ପରିବାରଲୋକେ ବିବାହ ପାଇଁ ସ୍ଥିର କରିଥିବା ଯୁବକ ନିକଟକୁ ଅଶ୍ଳୀଳ ଫଟୋ ପଠାଇ ବାହାଘର ଭାଙ୍ଗିଲା। ପରିବାରଲୋକ ଅନ୍ୟ ଉପାୟ ନପାଇ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ରିଙ୍କୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଏକ ଘଟଣାକ୍ରମେ ଛତାବରରେ ରହୁଥିବା ପ୍ରଶାନ୍ତ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦକା ପୁଲିସ। ସେ ମେଣ୍ଢାଶାଳରେ ସେଲୁନ୍ କରିଥିଲା। ଜଣେ ସମ୍ପର୍କୀୟ ଭଉଣୀଙ୍କୁ ୪ ବର୍ଷ ହେବ ଭଲ ପାଉଥିଲା। ୭ ମାସ ତଳେ ଯୁବତୀଙ୍କୁ ମନ୍ଦିରରେ ବିବାହ କରି ପାଖରେ ରଖିଥିଲା। କିନ୍ତୁ ବିବାହର କିଛି ଦିନ ପରେ ଯୁବତୀଙ୍କୁ ନିର୍ଯାତନା ଦେଇ ଆସୁଥିଲା। ଏ ସଂପର୍କରେ ଯୁବତୀଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।