ରାସନ୍‌ ଓ ସାଇକେଲ୍‌ ଦେବା ବାହାନାରେ ଠକାମି, ବନ୍ଧା ହେଲା ଧୂର୍ତ୍ତ ବିଜୟ

ବାଲିପାଟଣା : ଗାଁ ଗହଳିର ନିରୀହ ସାଧାରଣ ଲୋକଙ୍କୁ ରାସନ୍‌, ସା‌ଇକେଲ୍‌ ଓ ନିଯୁକ୍ତି ଯୋଗାଇ ଦେବାର ଲୋଭ ଦେଖାଇ ଠକି ଚାଲିଥିବା ଜଣେ ଧୂର୍ତ୍ତକୁ ବାଲିପାଟଣା ଥାନା ୪୨୦ ଦଫାରେ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଗୁଆପୁର ପଞ୍ଚାୟତ ପୂବାଗଡ଼ ଗ୍ରାମର ବିଜୟ ସ୍ବାଇଁ। ସେ ନିଜକୁ ଏକ ଏନ୍‌ଜିଓ ସଂସ୍ଥାର ମୁଖ୍ୟ ବୋଲି ପରିଚୟ ଦେଇ ଫସାଉଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ ବିଜୟ ଯେଉଁ ନକଲି ସ୍ବେଚ୍ଛାସେବୀ ସଂଗଠନ ଗଢ଼ିଥିଲା, ସେଥିରେ କିଛି ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲା। ଏହି ଏଜେଣ୍ଟମାନେ ଗାଁ ଗାଁ ବୁଲି ଲୋକଙ୍କୁ ବିଭିନ୍ନ ଲୋଭନୀୟ ସ୍କିମ୍‌ ବାବଦରେ ବୁଝାଉଥିଲେ। ସରକାରୀ ଅନୁଦାନରେ ମିଳୁଥିବା ବହୁ ଜିନିଷ ଲୋକଙ୍କୁ ଯୋଗାଇ ଦେବେ ବୋଲି ବୁଝାଉଥିଲେ। ମାତ୍ର ୩୫୦ ଟଙ୍କା ଦେଲେ, ୬ ମାସର ରାସନ୍‌ ମିଳିବ ବୋଲି ଏଜେଣ୍ଟମାନେ କହୁଥିଲେ। ସେହିଭଳି ମାତ୍ର ହଜାରେ ଟଙ୍କାରେ ନୂଆ ସାଇକେଲ ମିଳିବ ବୋଲି ବୁଝାଉଥିଲେ। ବହୁ ସମୟରେ ନିଜେ ବିଜୟ ଲୋକଙ୍କ ପାଖକୁ ଯାଇ ଲୋଭ ଦେଖାଉଥିଲେ। ପ୍ରଥମେ କିଛି କିଛି ଲୋକଙ୍କୁ ରାସନ୍‌ ଯୋଗାଇ ଦେଇଥିଲେ। ଫଳରେ ଲୋକଙ୍କ ବିଶ୍ବାସ ହୋଇଥିଲା। ମାତ୍ର ପରେ ସେମାନେ ଆଉ ଧରାଛୁଆଁ ଦେଲେ ନାହିଁ। ଟଙ୍କା ଜମା କରିଥିବା ଲୋକେ ପଚାରିଲେ ବିଜୟ ସେମାନଙ୍କୁ ଧମକ ଦେଲା। ପମ୍ପାଲୋ ପଞ୍ଚାୟତ ଦରଡ଼ା ଗ୍ରାମର ମାନସ ଭୋଇ ଏଭଳି ଠକାମିର ଶିକାର ହେବା ପରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ବାଲିପାଟଣା ଥାନା ପୁଲିସ ବିଜୟକୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ବିଜୟ ଏହି ଉପାୟରେ ଦୀର୍ଘ ଦିନରୁ ଜାଲିଆତି କାରବାର ଚଳାଇ ଆସୁଥିଲା। ପୂର୍ବରୁ ବୋର୍‌ ୱେଲ୍‌ ସ୍କିମ୍‌ ଲୋଭ ଦେଖାଇ ଲୋକଙ୍କୁ ଠକିଥିଲା।

ସମ୍ବନ୍ଧିତ ଖବର