ଚେକ୍‌ ବାଉନ୍‌ସ ମାମଲାରେ ୧୦ ମାସ ଜେଲ୍‌

ଖଣ୍ଡଗିରି: ଏକ ଅପେରା ପାର୍ଟି କିଣାବିକା ସମୟରେ ହୋଇଥିବା ୪୦ ଲକ୍ଷ ଟଙ୍କାର ଚେକ୍‌ ବାଉନ୍‌ସ ମାମଲାର ଶୁଣାଣି କରି ଭୁବନେଶ୍ୱର ଜେଏମ୍‌ଏଫ୍‌ସି ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନ୍ୟବର ଅଦାଲତ ଦୋଷୀଙ୍କୁ ୧୦ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ହେଲେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ପ୍ଲଟ୍‌ ନମ୍ବର ଏନ/୩/୧୬୭ରେ ରହୁଥିବା ଶିବପ୍ରସାଦ ଦାସ(୬୨)। ଜେଲ୍‌ ଦଣ୍ଡାଦେଶ ସହ ଶିବପ୍ରସାଦଙ୍କୁ ୬୦ ଲକ୍ଷ ଟଙ୍କା ପରିଶୋଧ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଟଙ୍କା ପରିଶୋଧ ନକଲେ ଅଧିକ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ନିର୍ଦେଶ ରହିଛି। ଖଣ୍ଡଗିରି ଥାନା ଆଇଗିଣିଆର କେଦାରନାଥ ଛୁଆଳସିଂହ ଓ ତାଙ୍କର କିଛି ସହଯୋଗୀ ମିଶି ଓମ୍‌ ଶ୍ରୀ ଅପେରା ନାମରେ ଏକ ଯାତ୍ରାପାର୍ଟି ଗଢ଼ିଥିଲେ। ୨୦୧୨ରେ ସେ ଏହି ଅପେରା ପାର୍ଟିକୁ ଶିବପ୍ରସାଦଙ୍କୁ ବିକ୍ରି କରିଥିଲେ। ତେବେ ଧାର୍ଯ୍ୟ ଟଙ୍କାରୁ ବକେୟା ୪୦ ଲକ୍ଷ ଟଙ୍କା ବାବଦରେ ଶିବପ୍ରସାଦ ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ସ୍ଥିତ ସିଣ୍ଡିକେଟ୍‌ ବ୍ୟାଙ୍କର ଏକ ଚେକ୍‌ (ନଂ- ୧୭୮୦୪୧, ତା- ୧୨.୦୩.୨୦୧୨) ଦେଇଥିଲେ। କିନ୍ତୁ ପରେ ଏହି ଚେକ୍‌ ବାଉନ୍‌ସ ହୋଇଯାଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହାର ଆପୋସ ସମାଧାନ ପାଇଁ ଆଲୋଚନା ହୋଇଥିଲେ ବି ସଫଳ ହୋଇ ନଥିଲା। ତେଣୁ କେଦାରନାଥ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଭୁବନେଶ୍ୱର ଜେଏମ୍‌ଏଫ୍‌ସି ରାଜେଶ ରୋଶନ ନନ୍ଦ ଏହି ମାମଲାର ଶୁଣାଣି କରି ଶିବପ୍ରସାଦଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗକାରୀ କେଦାରନାଥଙ୍କ ପକ୍ଷରୁ ଆଇନଜୀବୀ ସମ୍ବିତ ଦାସ ଓ ତାଙ୍କ ସହଯୋଗୀମାନେ ଏହି ମାମଲା ପରିଚଳନା କରୁଥିଲେ।

ସମ୍ବନ୍ଧିତ ଖବର