ରାତି ୯ରୁ ଟ୍ୱିନ୍‌ ସିଟିରେ ୧୪୪ ଧାରା, ଚେକିଂ କଡ଼ାକଡ଼ି

ଭୁବନେଶ୍ବର : ଅନ୍‌ଲକ୍‌-୨ ଆରମ୍ଭ ହେବା ପରେ କମିସନରେଟ୍‌ ପୁଲିସ ଟ୍ବିନ୍‌ ସିଟିରେ ୧୪୪ ଧାରା ଜାରି କରିଛି। ସରକାରଙ୍କ ନିଷ୍ପତ୍ତି ଅନୂଯାୟୀ ଏହି ୧୪୪ ଧାରା ରାତି ୯ରୁ ସକାଳ ୫ଟା ଯାଏ ବଳବତ୍ତର ରହିବ। ରାତି ୯ଟା ପରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାରବାରକୁ ସୁଯୋଗ ଦିଆଯିବ ନାହିଁ। କୌଣସି ପ୍ରକାରର ଗାଡ଼ି ଚଳାଚଳ କରିବ ନାହିଁ। ଦୋକାନ ବଜାର ଖୋଲିବ ନାହିଁ। ଏଥିପାଇଁ ଚଢ଼ଉ ଜୋରଦାର ହେବ। ବିଭିନ୍ନ ଥାନା ଅଞ୍ଚଳରେ ଅଧିକାରୀମାନେ ପାଟ୍ରୋଲିଂ କରି ଏନ୍‌ପୋର୍ସମେଣ୍ଟ କରିବେ। ଯେଉଁମାନେ ଏହାକୁ ନ ମାନି ଗାଡ଼ି ଚଳାଚଳ କରିବେ ବା ବାହାରକୁ ବାହାରିବେ ସେମାନଙ୍କ ନାମରେ ଫୌଜଦାରି ମାମଲା ରୁଜୁ ହେବା ସହ ଜରିମାନା ଆଦାୟ ହେବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରକାଶ ପାଇଥିବା ଆଦେଶନାମା‌ରେ ସ୍ପଷ୍ଟ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି କୁହାଯାଇଛି।

ଏହି ନିର୍ଦ୍ଦେଶନାମାକୁ ଆଖି ଆଗରେ ରଖି ଆଜି ରାତିରେ ଜାତୀୟ ରାଜପଥ ସହ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି ହୋଇଛି। ଜାରୁରୀକାଳୀନ ସେବା ବିନା ଯାଉଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯିବା ସହ ଜରିମାନା କରାଯାଇଛି। ବାଣୀବିହାର, ରସୁଲଗଡ଼, ଜୟଦେବ ବିହାର, ଏଜି ପ୍ରଭୃତି ଛକରେ ପୁଲିସ ଅଧିକାରୀମାନେ ଚେକିଂ କରିଛନ୍ତି।

ସୂଚନାଯୋଗ୍ୟ, ଅନ୍‌ଲକ୍‌-୧ ସମୟରେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିଥିଲା। ଏହି ସମୟରେ ଅତ୍ୟାବଶ୍ୟକ ସେବା ବିନା ଅନେକ ଲୋକ ବିନା କାରଣରେ ଗାଡ଼ି ଧରି ଘୂରି ବୁଲୁଥିଲେ। ଏହାକୁ ଆଖି ଆଗରେ ରଖି ଅନ୍‌ଲକ୍‌-୨ରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ପାଇଁ ସ୍ଥିର ହୋଇଛି। ଏଣୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ନ ହୋଇ ଘରେ ରହିବା ପାଇଁ କମିସନରେଟ୍‌ ପୁଲିସ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର