ଭୁବନେଶ୍ୱର : ବିନା ଆମିଷରେ ମାସେ ବିତିବା ପରେ ଛାଡ଼ଖାଇ ସକାଳକୁ ଚାତକ ଭଳି ଚାହିଁ ରହିଛନ୍ତି ଆମିଷ ରଙ୍କୁଣା। ତେବେ ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ଅନେକ ବୁଧବାର ପାଳିବାକୁ ଲକ୍ଷ୍ୟ ରଖିଛନ୍ତି। ଆମିଷ ବଜାରର ସୂଚନା ମୁତାବକ, ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ୨ ହଜାର କୁଇଣ୍ଟାଲ୍ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ। ତେବେ ରୋହୀ ଓ ଭାକୁର ବ୍ୟତୀତ ବଡ଼ ମାଛ ଉପରେ ନଜର ରହିବ। ସେହିଭଳି ରାଜଧାନୀରେ ଦେଢ଼ ହଜାର କୁଇଣ୍ଟାଲରୁ ଅଧିକ ଚିକେନ୍ ଦୋକାନ ଥିବା ବେଳେ ୧ହଜାର କୁଇଣ୍ଟାଲ୍ ଚିକେନ୍ ବିକ୍ରିବଟା ହେବ। ଭୁବନେଶ୍ବର ଓ ଆଖପାଖରେ ୩୦୦ରୁ ଅଧିକ ମଟନ୍ ଦୋକାନ ଥିବା ବେଳେ ୨ଶହ କୁଇଣ୍ଟାଲ୍ ମଟନ୍ ବିକ୍ରି ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି।
ଅଲ୍ ଇଣ୍ଡିଆ ଜମିତୁଲ କ୍ୟୁରେଶର ସମ୍ପାଦକ ଏସ୍.କେ ସର୍ଜନ କହିଛନ୍ତି, ରାଜଧାନୀରେ କେବଳ ୪ ନମ୍ବର ହାଟ ମଧ୍ୟରେ ୨୦ଟି ମଟନ୍ ଦୋକାନ ରହିଥିବା ବେଳେ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହ˚ସପାଳ, ଓସ୍କାର ସିଟି ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଊର୍ଧ୍ବ ଦୋକାନ ରହିଛି। ବର୍ତମାନ ଖାସି ୬୫୦ରେ ବିକ୍ରି ହେଉଥିବା ବେଳେ ସେଦିନ ଚାହିଦା ପାଇଁ ୭୦୦ ଟଙ୍କା ରହିବ। ତେବେ ମଙ୍ଗଳବାର ଅପେକ୍ଷା ବୁଧବାର ବିକ୍ରିବଟା ଭଲ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ବେଙ୍ଗଲର ନରଖୁଲଡଙ୍ଗା, ମାଲ୍ଦା, କ୍ଷେତ୍ରୀପୁରରୁ ୭୦ ପ୍ରତିଶତ ଛେଳି ଆସିଥିବା ବେଳେ ବଲାଙ୍ଗିର, ନୟାଗଡ଼, ଦଶପଲା, କାକଟପୁର ଓ ନିମାପଡ଼ାରୁ ୩୦ ପ୍ରତିଶତ ଛେଳି ଆସିଛି। ତେବେ ଲୋକଙ୍କ ପକେଟ୍ରେ ପଇସା କମି ଥିବାରୁ ଏଥର ପୂର୍ବ ବର୍ଷ ଭଳି ବେପାର ହେବ ନାହିଁ।
୪ ନମ୍ବର ଚିକେନ୍ ମାର୍କେଟ୍ର ବ୍ୟବସାୟୀ ମନୱର ସାହା କହିଛନ୍ତି, ବ୍ରଏଲର ଚିକେନ୍ ମୂଲ୍ୟ ୧୮୦ ରହିଥିବା ବେଳେ ଏହା ୨ଶହକୁ ବୃଦ୍ଧି ପାଇବ। ସେହିଭଳି ବନରାଜ ୨୫୦ ଓ ଦେଶୀ ଚିକେନ୍ର ଦର ୪୫୦ ଟଙ୍କା ରହିବ। ଏହା ବ୍ୟତୀତ ଛାଡ଼ଖାଇରେ ଅନେକ ବାହାଘର ଭୋଜି ରହୁଥିବାରୁ କେବଳ ରାଜଧାନୀରେ ଚିକେନ୍ ବ୍ୟବସାୟ ୧ ହଜାର କୁଇଣ୍ଟାଲ୍ ଅତିକ୍ରମ କରିବ ବୋଲି ସେ କହିଛନ୍ତି। ଆନ୍ଧ୍ରା ବ୍ୟତୀତ ପିପିଲି ଅଞ୍ଚଳରୁ ବ୍ରଏଲର ଆସିଥିବା ବେଳେ ବାରିପଦାରୁ ଦେଶୀ କୁକୁଡ଼ା ଆସିଛି ବୋଲି ସେ କହିଛନ୍ତି। ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି ରହିବ। ୪ ନମ୍ବର ମାଛ ମାର୍କେଟ୍ ସଂଘର ସଭାପତି ଶେଖ୍ ହୁସେନ କହିଛନ୍ତି, ଆନ୍ଧ୍ରା ସମେତ ପୁରୀ, ବାଲେଶ୍ବର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା, ସୋରଡ଼ା ଡ୍ୟାମ୍ରୁ ମାଛ ଆସିବ। ଇଲିସିର ଦର ସାଇଜ୍ ଅନୁଯାୟୀ ୬୦୦ରୁ ୨୨୦୦ ଟଙ୍କା ମଧୢରେ ରହିବ। ସେହିଭଳି ପାମ୍ପ୍ଲେଟ୍ ଦର ୭୦୦ରୁ ୧୬୦୦, ରୋହି ଓ ଭାକୁର ଦର ୧୬୦ରୁ ୨୫୦ ଟଙ୍କା ରହିବ। ଟାଇଗର୍ ଚିଙ୍ଗୁଡ଼ିର ଦର ୫୫୦ ଟଙ୍କା ରହିବ। ଏହା ବ୍ୟତୀତ ବାଗ୍ଦା ଚିଙ୍ଗୁଡ଼ି, କଣ୍ଟାଳି ଏବ˚ ଟାଇଗର୍ ଚିଙ୍ଗୁଡ଼ି ମଧୢ ଭଲ ବିକ୍ରି ହେବ। ରୋହି ଓ ଭାକୁର ବ୍ୟତୀତ ମିରିକାଳି, ପୋହଳା, ଗିମାଣି, ଥୋଡ଼ି, ବାଳିଆ, ଜଳଙ୍ଗ, ଆଳି, ସୁର୍ମାଇ, ପାମ୍ପ୍ଲେଟ୍ ଭଳି ମାଛର ଭଲ ବିକ୍ରିବଟା ହେବ ବୋଲି ହୁସେନ୍ ସୂଚନା ଦେଇଛନ୍ତି।