ଅସ୍ଥାୟୀ କୁଣ୍ଡ କରି ଘରେ ‘ଛଟ୍‌ ପୂଜା’ କୁଆଖାଇ ନଦୀ କୂଳରେ ଦିନ ତମାମ୍‌ ଜୋର୍‌ଦାର୍‌ ପାଟ୍ରୋଲିଂ

ଭୁବନେଶ୍ବର: ପ୍ରତିବର୍ଷ ଭଳି ଆଜି କାର୍ତିକ ମାସ ଷଷ୍ଠୀ ତିଥି ତଥା ବିହାରୀ ସଂପ୍ରଦାୟର ବଡ଼ ପର୍ବ ଛଟ୍‌ରେ ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ପଠା ଧୂପ ଦୀପ, ହୁଳହୁଳି ଓ ବନ୍ଦାଣରେ ପ୍ରକମ୍ପିତ ହେଉ ନଥିଲା। କୁଆଖାଇ ନଦୀକୂଳ ‘ଛଟ୍‌ ଘାଟ‌’ରେ ସଜେଇ ହୋଇନଥିଲା। ଏଠାରେ ପିଲାଙ୍କ କୋଳାହଳ ଶୁଣିବ‌ାକୁ ମିଳିନଥିଲା କି ମେଳା ମଉଜ ଜମିନଥିଲା। ଶହ ଶହ ବିହାରୀ ସମ୍ପ୍ରଦା‌ୟର ମହିଳା ଏଠି ଏକାଠି ହୋଇ ସୂର୍ଯ୍ୟ ଦେବଙ୍କୁ ଭକ୍ତିଅର୍ଘ୍ୟ ବି ଢାଳି ନଥିଲେ। କରୋନା କଟକଣା ଯୋଗୁଁ ଆଜି ବିହାର ସମ୍ପ୍ରଦାୟର ଏତେ ବଡ଼ ପୂଜା ଫିକା ପଡ଼ି ଯାଇଥିଲା। ତଥାପି ପରମ୍ପରା ପାଳନପୂର୍ବକ ବିଭିନ୍ନ କଲୋନି ଓ ସାହିରେ କିଛି ବିହାରୀ ମହିଳା ଏକାଠି ହୋଇ କୃତ୍ରିମ ଜଳାଶୟ କରି ଛଟ୍‌ ପୂଜା ପାଳିଥିଲେ।

କୁଆଖାଇ ନଦୀକୂଳରେ ପ୍ରତିବର୍ଷ ଛଟ୍‌ ପୂଜା ପାଇଁ ବ୍ୟାପକ ଆୟୋଜନ ହୁଏ। ନଦୀ ତଟରେ ପ୍ରାୟ ୫୦୦ରୁ ଊର୍ଧ୍ବ ବ୍ରତଧାରୀ ସୂର୍ଯ୍ୟ ଦେବତାଙ୍କ ପୂଜାରେ ସାମିଲ ହେଉଥିବା ବେଳେ ପ୍ରାୟ ୩,୫୦୦ ଲୋକ ଏକତ୍ରିତ ହୋଇଥା’ନ୍ତି। ଖାଲି ଭୁବନେଶ୍ୱର ନୁହେଁ, ଖୋର୍ଧା ଓ ଜଟଣୀ ସହ ଆଖପାଖ ଅଞ୍ଚଳର ବହୁ ବିହାରୀ ଲୋକ ଏଠାକୁ ଆସିଥାନ୍ତି। କିନ୍ତୁ ଚଳିତ ବର୍ଷ କମିସନରେଟ୍‌ ପୁଲିସ୍‌ କରୋନାକୁ ନଜରରେ ରଖି ‘ଛଟ୍‌’ ପୂଜା ପାଇଁ ଅନୁମତି ଦେଇନାହିଁ। କାଳେ କିଏ ନିୟମ ଉଲ୍ଲଙ୍ଘନ କରିବ, ତେଣୁ ଆଜି ମଞ୍ଚେଶ୍ବର ଥାନା ପୁଲିସ୍‌ ଦିନତମାମ ନଦୀ ପଠାରେ ଜୋର୍‌ଦାର୍‌ ପାଟ୍ରୋଲିଂ ଜାରି ରଖିଥିଲା। ଏଣୁ ରାଜଧାନୀରେ ରହୁଥିବା ବିହାରୀ ମହିଳାମାନେ ନିଜ ନିଜ ଘରେ ଅସ୍ଥାୟୀ ଜଳାଶୟ ତିଆରି କରି ଛଟ୍‌ ପୂଜା କରିଥିଲେ। ଖାରବେଳନଗରଠାରେ କିଛି ବିହାରୀ ମହିଳା ଏକାଠି ହୋଇ ଛାତ ଉପରେ ପ୍ଲାଷ୍ଟିକ୍‌ର ଅସ୍ଥାୟୀ କୁଣ୍ଡ ପ୍ରସ୍ତୁତ କରି ସମ୍ମିଳିତ ହୋଇ ସୂର୍ଯ୍ୟଦେବତାଙ୍କୁ ସ୍ମରଣ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.