ବାର୍ଡ-ଫ୍ଲ ଛଡ଼ାଇନେଲା ବେପାର : ରାଜଧାନୀ‌ରେ ଚିକେନ୍ ଓ ଅଣ୍ଡା ବ୍ୟବସାୟ ମାନ୍ଦା

ଭୁବନେଶ୍ବର : ଗତମାସ ଶେଷ ଆଡ଼କୁ ଓୟୁଏଟିର କୁକୁଡ଼ା ଗବେଷଣା ଫାର୍ମରେ ବାର୍ଡ-ଫ୍ଲୁ ବ୍ୟାପିବା ପରେ ରାଜଧାନୀରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଥିଲା। ଓୟୁଏଟି ଫାର୍ମର ୧ କିମି ବ୍ୟାସାର୍ଦ୍ଧ ଭିତରେ ସମସ୍ତ କୁକୁଡ଼ାକୁ ମରା ଯାଇଥିଲା। ତେବେ ଏହା ଭିତରେ ଯଥେଷ୍ଟ ଦିନ ବିତିଗଲାଣି। ରାଜଧାନୀ‌ରେ ବି ଆଉ ବାର୍ଡ-ଫ୍ଲୁର ଭୟ ନାହିଁ। କିନ୍ତୁ ଏବେ ବି ଲୋକଙ୍କ ମନରୁ ଭୟ ସଂପୂର୍ଣ୍ଣ ଭାବେ ଦୂର ହୋଇନାହିଁ। ଗତ ମାସ ୨୫ ତାରିଖରୁ ଓୟୁଏଟି ନିକଟସ୍ଥ ଚିକେନ୍ ଫ୍ରେସ୍‌କୁ ବନ୍ଦ ରଖାଯାଇଥିବା ବେଳେ ଅନ୍ୟ ୩ଟିରେ ପୂର୍ବରୁ ଯେତିକି ବ୍ୟବସାୟ ହେଉଥିଲା, ତାହା ମାନ୍ଦା ହୋଇଯାଇଛି।

ରାଜଧାନୀରେ ଓୟୁଏଟି, ସହିଦନଗର, ଚନ୍ଦ୍ରଶେଖରପୁର ଓ ଆଇଆର୍‌ସି ଭିଲେଜ୍‌ରେ ମୋଟ୍‌ ୪ଟି ଚିକେନ୍‌-ଫ୍ରେସ୍ ରହିଛି। ଏଠାରେ ଚିକେନ୍ ସହ ଅଣ୍ଡା ବିକ୍ରି କରାଯାଉଛି। ମାତ୍ର ରାଜଧାନୀରେ ବାର୍ଡ-ଫ୍ଲୁ ଦେଖାଦେବା ପରେ ଚିକେନ୍ ଫ୍ରେସ୍‌ରେ ବ୍ୟବସାୟ ମାନ୍ଦା ହୋଇଯାଇଛି। ପୂର୍ବରୁ ଚିକେନ୍ ଫ୍ରେସ୍‌ର ଗୋଟିଏ ଗୋଟିଏ କେନ୍ଦ୍ରରେ ଆମିଷ ବାରରେ ୨/୩ କ୍ବିଣ୍ଟାଲ ଚିକେନ୍ ବିକ୍ରି ହୋଇଥାଏ। ଏବେ ପରିସ୍ଥିତି ଏପରି ହୋଇଛି ଯେ ୪୦/୫୦ କେଜିର ଚିକେନ୍ ବିକ୍ରି ହେବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ବିଶେଷଭାବେ ପ୍ରଭାବିତ ହୋଇଛି ଓୟୁଏଟି ଚିକେନ୍ ଫ୍ରେସ୍‌। ରାଜଧାନୀରେ ଓପୋଲଫେଡ୍‌ର ୬୦ଟି ବୁଥ୍ ରହିଥିବା ବେଳେ ଓୟୁଏଟି ଚିକେନ୍ ଫ୍ରେସରୁ ଏସବୁ ବୁଥ୍‌କୁ ସର୍ବାଧିକ ଚିକେନ୍ ଯୋଗାଣ ହୋଇଥାଏ। ତେବେ ତାହା ବନ୍ଦ ଥିବାରୁ ଚିକେନ୍ ଯୋଗାଣ ମଧ୍ୟ ଏକପ୍ରକାର ବାଧାପ୍ରାପ୍ତ ହୋଇଛି। ସେହିପରି ଅଣ୍ଡା ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି। ପୂର୍ବରୁ ଦିନକୁ ୧୦୦/୧୫୦ ଅଣ୍ଡା ପ୍ୟାକେଟ୍‌ ବିକ୍ରି ହେଉଥିବା ବେଳେ ଏବେ ୪୦ ପ୍ୟାକେଟ୍‌ ବି ବିକ୍ରି ହେଉ ନ ଥିବା ଓପୋଲଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଚିକେନ୍ ଫ୍ରେସ୍‌କୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ୁଛି।

ଓପୋଲଫେଡ୍‌ର ମହାପ୍ରବନ୍ଧକ ବିମଳ ମହାପାତ୍ର ଓ ମାର୍କେଟିଂ ମ୍ୟାନେଜର୍‌ ସୁରେନ୍ଦ୍ରନାଥ ପ୍ରଧାନଙ୍କ ସୂଚନା ଅନୁସାରେ, ବା‌ର୍ଡ-ଫ୍ଲୁ ଯୋଗୁଁ ରାଜଧାନୀରେ ଚିକେନ୍ ବ୍ୟବସାୟ ନୈରାଶ୍ୟଜନକ ରହିଛି। ପୂର୍ବରୁ ଯେତିକି ଚିକେନ୍ ଓ ଅଣ୍ଡା ବିକ୍ରି ହେଉଥିଲା, ଏବେ ତାହା ଯଥେଷ୍ଟ କମି ଯାଇଛି। ଏହାସହ ଚିକେନ୍‌ ଫ୍ରେସ୍ ଏସ୍‌ଓପି ପାଳନ କରୁଥିବାରୁ ସୋମବାର ଦିନ ଏହାକୁ ବନ୍ଦ ରଖାଯାଉଛି। ତେବେ ବାର୍ଡ-ଫ୍ଲୁ ଯୋଗୁଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଓୟୁଏଟି ଚିକେନ୍ ଫ୍ରେସ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ତେଣୁ ସରକାରଙ୍କ ସହ ଆଲୋଚନା ପରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। କୁକୁଡ଼ା ମାଂସ ଓ ଅଣ୍ଡାକୁ ୩୫ ଡିଗ୍ରିରୁ ଅଧିକ ତାପମାତ୍ରାରେ ସିଝାଇ ଖାଇଲେ ବାର୍ଡ-ଫ୍ଲୁ ଭୂତାଣୁ ନଷ୍ଟ ହୋଇଯାଏ ବୋଲି ଓପୋଲଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର