ଭୁବନେଶ୍ବର : ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା କୁକୁଡ଼ା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ନେଇ କୌଣସି ସ୍ପଷ୍ଟୋକ୍ତି ନାହିଁ। ସରକାରୀ ଘୋଷଣା ଓ ବିଭାଗୀୟ ଅଧିକାରୀଙ୍କ କଥାରେ ତାଳମେଳ ରହୁନାହିଁ। ବାସ୍ତବରେ ଯଦି ସରକାର କୁକୁଡ଼ା ଚାଷୀଙ୍କୁ ସହାୟତା କରିବା ପାଇଁ ଚାହୁଛନ୍ତି, ତେବେ କ୍ଷତିଗ୍ରସ୍ତଙ୍କୁ ଶତପ୍ରତିଶତ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଦାବି କରିଛି ଓଡ଼ିଶା କୁକୁଡ଼ା ଚାଷୀ ସଂଘ। ଏନେଇ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଜ୍ୟୋତିକାନ୍ତ ମହାପାତ୍ର ଓ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ାଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଲୋୟର ପିଏମଜିରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା। ସଂଘର ଦାବିଗୁଡ଼ିକ ମଧ୍ୟ‌ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସର୍ଭେ କରିବା, ବର୍ଗଫୁଟକୁ ୩୦୦ଟଙ୍କା ହିସାବରେ କ୍ଷତିପୂରଣ ଦେବା, କୃଷି ପଲିସି-୨୦୧୩ ଆଧାରରେ ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ୍‌କୁ ଆଦେଶ ଦେବା, ଶୂନ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇବା, ସାଧାରଣ ବୀମା କମ୍ପାନିଙ୍କ ଦ୍ବାରା ଆସୁଥିବା ସମସ୍ତ ସୁବିଧା ଫନି ପ୍ରଭାବିତଙ୍କୁ ପ୍ରଦାନ କରିବା, ସ୍ବତନ୍ତ୍ର ରିଲିଫ୍‌ ପ୍ୟାକେଜ୍‌ ବା ଫାର୍ମ ନବୀକରଣ ଓ ପୁନଃ ଅର୍ଥ ବିନିଯୋଗ ସୁବିଧା ଯୋଗାଇବା ପ୍ରଭୃତି ରହିଛି।