ଚିକେନ୍‌ ଦର ୨୫୦ ଛୁଇଁଲା

କୁକୁଡ଼ା ଚାଷ ୬୦% ହ୍ରାସ ପାଇଛି, ପୁରୁଣା ଦର ଫେରିବାକୁ ୩ ମାସ ଲାଗିବ

ଭୁବନେଶ୍ବର : କରୋନା ଭୟରେ ଅନେକ ଚିକେନ୍‌ ଖିଆ ଛାଡ଼ି ଦେଇଥିଲେ। ଚାହିଦା ଏତେ କମିଗଲା ଯେ କୁକୁଡ଼ା ଗୋଟା ୪୦-୫୦ ଟଙ୍କାରେ ବିକ୍ରି ହେଲା। ଏପ୍ରିଲ୍‌ ମାସରେ ଏପରି ସ୍ଥିତି ଉପୁଜିବା ପରେ କୁକୁଡ଼ା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଏବେ କିନ୍ତୁ ଦର ଶୁଣି ଚିକେନ୍‌ ରଙ୍କୁଣାଙ୍କ ମୁଣ୍ଡ ଘୂରାଇ ଦେଲାଣି। ମାସେ ତଳେ ୧୦୦ଟଙ୍କାରେ ଚିକେନ୍‌ କିଣିଥିବା ଲୋକେ ଆଜି କୁନ୍ଥେଇ ଅଢ଼େଇଶ ଟଙ୍କା ଗଣିଛନ୍ତି। ଚିକେନ୍‌ ନୁହେଁ ବରଂ ମାଛ ଖାଇବେ ବୋଲି କହିଲେଣି।

Shutterstock

କରୋନା ଓ ଅପପ୍ରଚାର ହିଁ ଚିକେନ୍‌ ଦରବୃଦ୍ଧିର ପ୍ରମୁଖ କାରଣ ସାଜିଛି। ଏଥର ବର୍ଷ ଆରମ୍ଭରୁ କୁକୁଡ଼ା ଉତ୍ପାଦନ ବୃଦ୍ଧି ପାଇଥିଲା। ମାତ୍ର କରୋନା ମହାମାରୀ ଓଡ଼ିଶାରେ ପ୍ରବେଶ କରିବା ପରେ ଅନେକ ଚିକେନ ଖାଇବା ବନ୍ଦ କରିଦେଲେ। ଅପପ୍ରଚାର ଯୋଗୁଁ କୁକୁଡ଼ା ଚାଷୀ ଓ ଚିକେନ ବ୍ୟବସାୟୀ ପ୍ରଭାବିତ ହେଲେ। ସ୍ଥିତି ଏତେ ଦୟନୀୟ ହେଲା ଯେ କୁକୁଡ଼ା ଚାଷୀ ଅଢ଼େଇ କେଜି ଓଜନର କୁକୁଡ଼ା ଗୋଟା ୪୦ ଟଙ୍କାରେ ବିକିଲେ। କୁକୁଡ଼ାର ଦରଠୁ ଦାନାର ଦର ବଳି ଯାଉଥିଲା। ତେଣୁ ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ଭଳି ସ୍ଥିତି ଉପୁଜିଲା। ଲୋକେ ଆଉ ଅଯଥା କୁକୁଡ଼ାକୁ ଦାନା ଖାଇବାକୁ ଦେଇ କ୍ଷତି ସହିବାକୁ ଚାହିଁଲେ ନାହିଁ। ଯାହା ପାରିଲେ ବିକିଲେ। ଆଉ ଯାହା ବଳିଲା ତାକୁ ପୋତିଦେଲେ। ଚିକେନ୍‌ ଖାଇବାରେ ସମସ୍ୟା ନାହିଁ ବୋଲି ସରକାର ସଚେତନ କରିବା ପରେ ପୁଣି ଏପ୍ରିଲ୍‌ ମଧ୍ୟ ଭାଗରୁ ଚିକେନ୍‌ ଦର ସ୍ବାଭାବିକ ସ୍ଥିତିକୁ ଫେରିଲା। କିନ୍ତୁ ଅଭାବୀ ବିକ୍ରି ଯୋଗୁଁ କୁକୁଡ଼ା ଚାଷୀ ଚାଷ ବନ୍ଦ କରିଦେଲେ। କାଁ ଭାଁ ଚାଷ ହେଲା। ଏହାର କୁପରିଣାମ ଆଜି ଚିକେନ୍‌ ବଜାର ଉପରେ ପଡ଼ିଛି।

ଓଡ଼ିଶା କୁକୁଡ଼ା ଚାଷୀ ସଂଘର ସଭାପତି ହରମୋହନ ଦାସଙ୍କ ସୂଚନା ମୁତାବକ, ରାଜ୍ୟରେ ସପ୍ତାହକୁ କୋଟିଏ କୁକୁଡ଼ା ଉତ୍ପାଦନ ହୁଏ। ଏବେ ଉତ୍ପାଦନ ୪୦ଲକ୍ଷକୁ ଖସି ଆସିଛି। ତେଣୁ ଏବେ ବଜାର ଚାହିଦା ୬୦ ପ୍ରତିଶତ ଭରଣା ହୋଇପାରୁନାହିଁ। ଯାହା ବି ଚାଷ ହେଉଛି, ଚାହିଦା ଯଥେଷ୍ଟ ବଢ଼ି ଯାଇଥିବାରୁ ତାହା ଆବଶ୍ୟକତା ପୂରଣ କରିପାରୁନାହିଁ। କୁକୁଡ଼ା ଆଉ ଅଢ଼େଇ କେଜି କିମ୍ବା ୩ କେଜି ପର୍ଯ୍ୟନ୍ତ ବଢ଼ିବାକୁ ଦିଆଯାଉନାହିଁ। ଚାହିଦା ଯୋଗୁଁ ଦେଢ଼ କେଜି ଓଜନ ବିଶିଷ୍ଟ କୁକୁଡ଼ା ବଜାରକୁ ଛଡ଼ା ଯାଉଛି। ଡ୍ରେସିଂ ପରେ ଏଥିରୁ ମାଂସ କମ୍ ବାହାରୁଛି। ତେଣୁ ଗୋଟେ ପଟେ ଆବଶ୍ୟକତାର ୪୦ ପ୍ରତିଶତ କୁକୁଡ଼ା ବଜାରକୁ ଆସୁଛି ଏବଂ ଅନ୍ୟପକ୍ଷରେ କୁକୁଡ଼ା ଓଜନ ବଢ଼ିବା ପୂର୍ବରୁ ବଜାରକୁ ଆସୁଥିବାରୁ ଦରବୃଦ୍ଧି ହୋଇ ଚାଲିଛି। ପଶ୍ଚିମବଙ୍ଗରେ ଅମ୍ଫାନ ଯୋଗୁଁ କୁକୁଡ଼ା ଫାର୍ମ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରୁ ମଧ୍ୟ କୁକୁଡ଼ା ଆସିପାରୁନାହିଁ। ତେବେ ଅଣ୍ଡା ଉତ୍ପାଦନ ଉପରେ ଏତେଟା ପ୍ରଭାବ ପଡ଼ିନାହିଁ ବୋଲି ସେ କହିଛନ୍ତି।

ଗତକାଲି ପର୍ଯ୍ୟନ୍ତ ୨୪୦ ଟଙ୍କାରେ ଚିକେନ ଉପଲବ୍ଧ ହେଉଥିଲେ ହେଁ ରାଜଧାନୀରେ ଆଜିଠୁ ଦର ୨୫୦ଟଙ୍କା ଛୁଇଁଛି। ଏହା ପଛରେ ଗତ ୨ଦିନ ତଳେ ହୋଇଥିବା ନିଶାର୍ଦ୍ଧ କାଳବୈଶାଖୀ ହିଁ ପ୍ରମୁଖ କାରଣ ସାଜିଛି। ଭୁବନେଶ୍ବରକୁ ପ୍ରାୟତଃ ଉପକଣ୍ଠ ସମେତ ପିପିଲିସ୍ଥିତ କୁକୁଡ଼ା ଫାର୍ମରୁ କୁକୁଡ଼ା ଆସେ। ହେଲେ ବାତ୍ୟା ଯୋଗୁଁ ପିପିଲିରେ ଫାର୍ମ ଭୁଶୁଡ଼ି ୩ଲକ୍ଷରୁ ଅଧିକ କୁକୁଡ଼ା ମରିଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡ଼ିଛି। ପୂର୍ବ ସ୍ଥିତି ଫେରିବାକୁ ଅନ୍ୟୂନ ୩ରୁ ୪ ମାସ ଲାଗିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର