ମୁଖ୍ୟମନ୍ତ୍ରୀ ଆସିବେ ବୋଲି…

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଗଛକଟା ଓ ଲିଫ୍‌ଟ ସଜଡ଼ା କାମ

ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗବ‌ାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲକୁ ଦାନ୍ତ ଦେଖାଇବା ପାଇଁ ଆସୁଥିବା ଚର୍ଚା ହେଉଛି। ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି। ହସ୍ପିଟାଲରେ ଅସଜଡ଼ା ହୋଇ ପଡ଼ିଥିବା ଜିନିଷକୁ ସଜଡ଼ା ଚାଲିଛି। ବିଶେଷକରି ବାତ୍ୟା ପରବର୍ତୀ ସମୟରେ ହସ୍ପିଟାଲରେ ପଡ଼ି ରହିଥିବା ଗଛଠାରୁ ଆରମ୍ଭ କରି କାନ୍ଥରେ ରଂଗ ଦେବା ପର୍ଯ୍ୟନ୍ତ ସବୁକିଛି ସଂଧ୍ୟାରେ ଆରମ୍ଭ ହୋଇଯାଇଛି। ହସ୍ପିଟାଲରେ ଥିବା ଲିଫ୍‌ଟକୁ ମଧ୍ୟ ସଜଡ଼ା ଯାଉଛି। ନ୍ୟୁ କ୍ୟାବିନ୍‌ଠାରୁ ପୁରୁଷ ସର୍ଜରି, ନ୍ୟୁ କ୍ୟାବିନ୍‌ ଉପରୁ ପୁରୁଷ ସର୍ଜରି ପର୍ଯ୍ୟନ୍ତ ରଂଗ ଦିଆଯାଉଛି। ପୁରୁଷ ସର୍ଜରି ଓ ମହିଳା ସର୍ଜରି ପାଇଁ ଏକ ଲିଫ୍‌ଟ ରହିଛି। ଅଧିକାଂଶ ସମୟରେ ଏହା ବନ୍ଦ ରହିଥାଏ। ମୁଖ୍ୟମନ୍ତ୍ରୀ ଏହି ଲିଫ୍‌ଟ ଦେଇ ଉପର ମହଲାକୁ ଯିବାର କାର୍ଯ୍ୟକ୍ରମ ରହିଥିବାରୁ ଆଜି ଦିନଭରି ଯୁଦ୍ଧକାଳୀନ ଭିତ୍ତିରେ ଲିଫ୍‌ଟ ମରାମତି ଚାଲିଛି। ଆଜି ଆର ଏଣ୍ଡ ବି ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର, ଏସ୍‌ଡିଏ, ଜିଇଡି ଜେଇ ଓ ଏସ୍‌ଡିଓ ଏସବୁ କାର୍ଯ୍ୟର ତଦାରଖ କରୁଥିବା ଜଣାପଡ଼ିଛି।

ଉଲ୍ଲେଖ ଯେ, କ୍ୟାପିଟାଲ ହସ୍ପିଟାଲର ଓପିଡି ବ୍ଲକ୍‌ରେ ଦୁଇଦିନ ତଳେ ନଳା ଚୋକ୍ ହୋଇଯିବା କାରଣରୁ ମଇଳା ପାଣି ଭାସିଥିଲା। ଶହ ଶହ ରୋଗୀ ସେହି ବାଟ ଦେଇ ଚିକିତ୍ସା ପାଇଁ ଯାଉଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଇ ନ ଥିଲେ। ଏ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କର୍ତୃପକ୍ଷ ତତ୍ପର ହୋଇ ଉଠିଥିଲେ। ଗତକାଲି ୩୦ରୁ ଅଧିକ ଲୋକ ନଳାକୁ ସଫା କରିବା କାର୍ଯ୍ୟରେ ଲାଗିଥିଲେ ଓ ଶେଷରେ ଏହାକୁ ସଫା କରାଯାଇଥିଲା। ତେବେ କେବଳ ମୁଖ୍ୟମନ୍ତ୍ରୀ ଆସିବା ‌େବ‌‌ଳେ ହସ୍ପିଟାଲ କର୍ତୃପକ୍ଷ ତତ୍ପର ହୋଇ ଉଠିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର