ଭୁବନେଶ୍ବର: ବେପାର ହଉ କି ନ ହଉ, ଆଉ ଚିନ୍ତା ନାହିଁ। ବହୁ ଦିନର ଆଶା ପୂରଣ ହେଇଗଲା। ମୁଖ୍ୟମନ୍ତ୍ରୀଙ୍କ ପାଦ ପଡ଼ିଲାନି ଯେ ସାମ୍ନାସାମ୍ନି ଭଗବାନଙ୍କ ଦର୍ଶନ ହେଲା ଭଳି ଲାଗିଲା। ମୋ’ଠୁ ସିନା ଜିନିଷ କିଣିଲେନି, ହେଲେ କେତେ କଥା ପଚାରିଲେ। ଏ ଦିନ ମୁଁ କେବେ ବି ଭୁଲିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ମିସନ୍ ଶକ୍ତି ମେଳାରେ ବୁଲିବା ବେଳେ ସ୍ବାବଲମ୍ବୀ ମହିଳାମାନଙ୍କ ସହ କଥୋପକଥନ ପରେ କେନ୍ଦୁଝର ଆନନ୍ଦପୁରର ଜୟ ହନୁମାନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସ୍ମିତାରାଣୀ ମହାନ୍ତିଙ୍କ ଏଇ ଭାବବିହ୍ବଳ ଅଭିବ୍ୟକ୍ତି ହିଁ ସୂଚେଇ ଦେଉଥିଲା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରାହ୍ଣ ଠିକ୍ ୫ଟା ୫୦ ମିନିଟ୍ରେ ମୁଖ୍ୟମନ୍ତ୍ରୀ ମେଳା ମଧ୍ୟକୁ ପ୍ରବେଶ କରିବା ପରେ ଶଙ୍ଖ ଓ ହୁଳହୁଳିରେ ମହିଳାମାନେ ତାଙ୍କୁ ପାଛୋଟି ନେଇଥିଲେ। ଦେବଗଡ଼ର ହର୍ବାଲ ମହିଳା ଉତ୍ପାଦକ ଗୋଷ୍ଠୀ ଷ୍ଟଲ୍ରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀ ଥୁଆ ଯାଇଥିବା ବାଦମ ବ୍ୟାଗ୍ରୁ କିଛି ବାଦାମ ଆଣି ପାଟିରେ ପକାଇଥିଲେ। ବାଉଁଶ ପାତି କାରିଗରୀ ଜିନିଷର ବିକ୍ରିବଟା କରୁଥିବା ଦମୟନ୍ତୀ ସାହୁ ବି ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଭାବବିହ୍ବଳ ହୋଇଯାଇଥିଲେ। ମହିଳାମାନଙ୍କ ପାଇଁ ଏତେ ସୁଯୋଗ ସୃଷ୍ଟି କରିଥିବା ଦେବତୁଲ୍ୟ ଲୋକଙ୍କୁ ଦର୍ଶନ କରିବା ଭଳି ଅନୁଭବ ହେଉଛି ବୋଲି କହିଥିଲେ। କାଠରେ ବିଭିନ୍ନ କାରିଗରୀ ପ୍ରସ୍ତୁତ କରି ଆଣିଥିବା ଶକ୍ତି ମହା ସରସ୍ବତୀ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଷ୍ଟଲ୍ରେ ଥିବା ଗହଣା ବାକ୍ସଟି ମୁଖ୍ୟମନ୍ତ୍ରୀଙ୍କୁ ଏତେ ଆକର୍ଷିତ କରିଥିଲା ଯେ ସେ ତାକୁ ତୁରନ୍ତ କିଣି ନେଇ ୫ଶହ ଟଙ୍କିଆ ଟେ ବଢ଼େଇଥିଲେ। ନନ୍ଦିନୀ ମହାରଣାଙ୍କ କହିବା ମୁତାବକ, ମୁଖ୍ୟମନ୍ତ୍ରୀ ଆସୁ ଆସୁ ଗହଣା ବାକ୍ସଟି ନେବା ପାଇଁ କହି ମୂଲ୍ୟ ପଚାରିଲେ। ମୁଁ ୨୫୦ ଟଙ୍କା କହିବା ମାତ୍ରେ ମତେ ୫ ଶହ ଟଙ୍କିଆଟେ ବଢ଼େଇଲେ। ଏ ୫ଶହ ଟଙ୍କିଆ ନୋଟ୍ଟି ମୁଁ ସବୁଦିନ ପାଇଁ ମୋ ପାଖରେ ରଖିବି ବୋଲି ସେ ଖୁସିରେ ଗଦ୍ଗଦ ହୋଇ କହି ପକାଇଥିଲେ। ପରେ ଏକ କାଗଜ କାରିଗରୀ ଷ୍ଟଲ୍କୁ ଯାଇ ସେଠାରେ ଏକ ପେନ୍ ଷ୍ଟାଣ୍ଡ୍ ଉଠାଇ, ଏସବୁ କେଉଁଥିରେ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଏହି ମହିଳାଜଣକ ତାଙ୍କ ହାତରୁ ଦିନେ ସଫଳ ମହିଳା ଉଦ୍ୟୋଗୀ ଭାବେ ୫୦ହଜାର ଟଙ୍କାର ଚେକ୍ ପୁରସ୍କାରସ୍ବରୂପ ଗ୍ରହଣ କରିଥିବା କଥା ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଦେଇଥିଲେ। ପରେ ସେ ନାରୀ ଜାଗରଣ ମହିଳା ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ଖୋଲିଥିବା ଷ୍ଟଲ୍ରୁ ସବାଇ ଘାସରେ ପ୍ରସ୍ତୁତ ଏକ ବ୍ୟାଗ୍ କିଣି ସେଠାରେ ମଧ୍ୟ ୨୫୦ଟଙ୍କା ଦେଇଥିଲେ। ବ୍ୟାଗ୍ର ପ୍ରସ୍ତୁତି ପ୍ରଣାଳୀ କୁନି ମହାନ୍ତଙ୍କଠାରୁ ବୁଝିବା ସହ କେତେ ରୋଜଗାର ହେଉଛି ସେ ବାବଦରେ ପଚାରି ବୁଝିଥିଲେ। ଏମିତି ପ୍ରାୟ ୧୪ଟି ଷ୍ଟଲ୍ ବୁଲିବା ସହ ସମସ୍ତଙ୍କୁ ହିନ୍ଦୀରେ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ। ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ୨୦୨ଟି ଷ୍ଟଲ୍ରେ ବିଭିନ୍ନ ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ, ମସଲା ଓ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ ହେଉଥିବା ବେଳେ ଏପର୍ଯ୍ୟନ୍ତ ୨.୦୩ କୋଟି ଟଙ୍କାର ବିକ୍ରିବଟା ହୋଇସାରିଲାଣି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ମିସନ୍ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ, ମିସନ ଶକ୍ତି ନିର୍ଦେଶିକା ସୁଜାତା ଆର୍ କାର୍ତିକେୟନ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରାଜେଶ ପ୍ରଭାକର ପାଟିଲ୍ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।