ଭୁବନେଶ୍ବର: ଗତ ବର୍ଷକରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବଦଳି ଯାଇଛି। ପୁଲିସ ନିରପେକ୍ଷ ଭାବେ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଉଛି। ଯାହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି ଆଜି ଭୁବନେଶ୍ବର ବାଣୀବିହାରସ୍ଥିତ ନୂତନ ଡିସିପି କାର୍ଯ୍ୟାଳୟକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରିମହଲା ବିଶିଷ୍ଟ ଏହି ନୂତନ ଭବନରେ ସାଇବର୍ ସେଲ୍, ସିସିଟିଏନ୍ଏସ୍ ରୁମ୍, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍, ଲିଗାଲ୍ ସେଲ, ପାସ୍ର୍ପୋଟ ବିଭାଗ ଆଦି ରହିଛି। ସମ୍ମଳନୀ କକ୍ଷ, ଟ୍ରେନିଂ ହଲ୍, ଦିବ୍ୟାଙ୍ଗଙ୍କ ପାଇଁ ରୢାମ୍ପର ସୁବିଧା ମଧ୍ୟ ରହିଛି । ଏହି ନୂଆ ଭବନଟି ପୁଲିସ ପ୍ରଶାସନକୁ ଦକ୍ଷତାର ସହ ଲୋକଙ୍କୁ ଠିକ୍ ସମୟରେ ସେବା ଯୋଗାଇ ଦେବାପାଇଁ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ରାଜ୍ୟରେ ପ୍ରତ୍ୟେକ ଥାନାରେ କାର୍ଯ୍ୟରତ ତଦନ୍ତକାରୀ ଅଫିସରଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅଧିକ ଦୁଇଚକିଆ ଯାନର ବ୍ୟବସ୍ଥା କରାଯାଇଛି। ଆଜି କମିସନରେଟ୍ ପୁଲିସର ବିଭିନ୍ନ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ୪୨୫ଟି ଦୁଇଚକିଆ ପ୍ରଦାନ କରାଯାଇଛି। ଆଗକୁ ଥାନାମାନଙ୍କୁ ଅଧିକ ଚାରିଚକିଆ ଯାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଅପରାଧିକ ତଦନ୍ତ ପ୍ରକ୍ରିୟାରେ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂହ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାଦା ପ୍ରକାଶ ମିଶ୍ର, ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନାଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।
ନୂତନ ଡିସିପି କାର୍ଯ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଗତ ବର୍ଷକରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବଦଳି ଯାଇଛି। ପୁଲିସ ନିରପେକ୍ଷ ଭାବେ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଉଛି। ଯାହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି...
/sambad/media/media_files/2025/06/11/m55PjTDk8EL3JqZUL1zU.jpg)