ରାଜଧାନୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

୪ଟି ସ୍ଥାନରେ ୫ ପ୍ରକଳ୍ପ ଉଦ୍‌ଘାଟିତ, ବିଜେଡି ଶିବିର ଚଳଚଞ୍ଚଳ; ରାଜଧାନୀ ରାଜନୀତି ଉଷ୍ମ

ଭୁବନେଶ୍ବର : କରୋନା କଟକଣା ଯୋଗୁଁ ବେଶ୍ କିଛି ମାସ ହେଲା ରାଜଧାନୀରେ ‌ସେପରି କିଛି ବଡ଼ ପ୍ରକଳ୍ପ ଆରମ୍ଭ ‌ହୋଇ ନ ଥିଲା। ମୁଖ୍ୟମନ୍ତ୍ରୀ ବି ନବୀନ ନିବାସରୁ କମ୍ ବାହାରୁଥିଲେ। ତେବେ ଶୁକ୍ରବାର ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ୫ଟି ପ୍ରକଳ୍ପର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀବାସୀଙ୍କୁ ଖୁସି କରି ଦେଇଛନ୍ତି। ଏଯାଏ ପୌର ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇ ନ ଥିଲେ ହେଁ ମୁଖ୍ୟମନ୍ତ୍ରୀ ରାଜଧାନୀବାସୀଙ୍କ ଏକାବେଳକେ ଏତେଗୁଡ଼ିଏ ପ୍ରକଳ୍ପ ‌ଭେଟି ଦେଇଥିବାରୁ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡିର ତିନି ବିଧାୟକ ଯଥା ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହାକୁ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ରାଜଧାନୀ ରାଜନୈତିକ ବାତାବରଣକୁ ମଧ୍ୟ ଏହା ଉଷ୍ମ କରିଦେଇଛି।

ଶଙ୍ଖ ହୁଳହୁଳିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ
ଶୁକ୍ରବାର ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଅନୁଷ୍ଠିତ ଏହିସବୁ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଏଜି ଛକରୁ ଆରମ୍ଭ ହୋଇ ସହିଦନଗର, ପଟିଆ, ପୋଖରୀପୁଟରେ ଶେଷ ହୋଇଥିଲା। ରାଜଧାନୀବାସୀଙ୍କ ସୁବିଧା ପାଇଁ ଏକାଧିକ ପ୍ରକଳ୍ପ ଭେଟି ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସବୁଠି ଶଙ୍ଖ ହୁଳୁହୁଳିରେ ସ୍ବାଗତ କରାଯାଇଥିଲା। ସହରର ପ୍ରତି ଛକରେ ବିଜେଡି ନେତା, କର୍ମୀଙ୍କ ପ୍ରବଳ ସମାଗମ ହୋଇଥିଲା। କେତେକ ସ୍ଥାନରେ କିଛି ସମୟ ପାଇଁ ଟ୍ରାଫିକ୍‌ ଜାମା ହୋଇଥିଲେ ମଧ୍ୟ ଲୋକଙ୍କ ଉତ୍ସାହ ଉପରେ ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା। ସହିଦନଗରରେ ଶହ ଶହ ମହିଳା ମୁଖ୍ୟମନ୍ତ୍ରୀଙ୍କ ହୁଳହୁଳି ମାଧ୍ୟମରେ ସ୍ବାଗତ କରିଥିବା ବେଳେ ଆଚାର୍ଯ୍ୟ ବିହାର, ସୈନିକ ସ୍କୁଲ, ଗଜପତି ନଗର, ନାଲ୍‌କୋ ଛକ, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା, ପଟିଆ, କିଟ୍‌ ଛକରେ ହଜାର ହଜାର ସଂଖ୍ୟାରେ ମହିଳା କର୍ମୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ। କିଟ୍‌ ଛକ ପାଖରୁ ପଟିଆ ‘ମୋ ବସ୍‌’ ସିଟି ଡିପୋ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ମହିଳା, ପୁରୁଷମ‌ାନେ ଛିଡ଼ା ହୋଇ ନବୀନ ନବୀନ… କହି ଚାଲିଥିଲେ। ଶଙ୍ଖନାଦରେ ସାରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। କଳାରାହାଙ୍ଗ ପଞ୍ଚାୟତର ମହିଳାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଧାଇଁ ଆସିଥିଲେ। ପୋଖରୀପୁଟରେ ମଧ୍ୟ ଅନୁରୂପ ପରିବେଶ ଥିଲା। ପୂର୍ବତନ କର୍ପୋ‌ରେଟରମାନେ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ରାଜଧାନୀରେ ଗଡ଼ିବ ଇ-ରିକ୍ସା
ରାଜଧାନୀ ରାସ୍ତାରେ ଗଡ଼ିବ ଇ-ରିକ୍ସା। କ୍ରୁଟ୍‌ ଜରିଆରେ ରାଜଧାନୀବାସୀଙ୍କୁ ଏଭଳି ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆଗାମୀ ଦିନରେ ‘ମୋ ବସ୍‌’ କାର୍ଯ୍ୟକ୍ରମରେ ଆଉ ଶହେ ବସ୍‌ ସାମିଲ କରିବାକୁ ସ୍ଥିର ହୋଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ପଟିଆଠାରେ ଅତ୍ୟାଧୁନିକ ‘ମୋ ବସ୍‌’ ଡିପୋ ଲୋକାର୍ପଣ ଉତ୍ସବରେ ଯୋଗଦେଇ ଶ୍ରୀ ଜେନା କହିଲେ ‘ମୋ ବସ୍‌’ ଡିପୋରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି। ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ସୌରଶକ୍ତି ଦ୍ବାରା କାର୍ଯ୍ୟକ୍ଷମ ହେଉଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ଲାଣ୍ଟ ରହିଛି। ଏଥିସହ ମେକାନାଇଜ୍ଡ ୱାସିଙ୍ଗ୍‌ ଓ ୱାର୍କସପ୍‌ ବ୍ୟବସ୍ଥା, ସଞ୍ଚିତ ବର୍ଷା ଜଳର ପୁନଃ ବ୍ୟବହାର ସୁବିଧା, ଡିପୋ ପରିସରରେ ଇନ୍ଧନ ଯୋଗାଣ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ‘ମୋ ବସ୍‌’ ଏବେ ସଫଳତାର ଶୀର୍ଷରେ ପହଞ୍ଚିଛି। ଭୁବନେଶ୍ବର, କଟକ, ପୁରୀ, କୋଣାର୍କ, ଜଟଣୀକୁ ସଂଯୋଗ କରୁଛି। ଏବେ ୨୮ଟି ରୁଟ୍‌ରେ ୨୨୫ଟି ମୋ ବସ୍‌ ଚାଲୁଥିବା ନେଇ ସେ ସୂଚନା ଦେଇଥିଲେ।

ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନରେ ୨୧ ବର୍ଗଙ୍କୁ ମିଳିବ ସେବା
ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀପୁଟଠାରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଉଦ୍‌ଘାଟିତ ହୋଇଛି; ଯେଉଁଠାରେ ଭିନ୍ନକ୍ଷମ ପିଲାଙ୍କୁ ପ୍ରାକ୍‌-ବିଦ୍ୟାଳୟ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ ସହ ବିଭିନ୍ନ ପ୍ରକାରର ଉପଶମ ବ୍ୟବସ୍ଥା ଯୋଗାଇ ଦିଆଯିବ। ୩ରୁ ୧୮ ବର୍ଷ ବୟସର ୨୧ଟି ବର୍ଗର ପିଲାଙ୍କୁ ଏହି କେନ୍ଦ୍ରରେ ସେବା ମିଳିବ। ଏହି କେନ୍ଦ୍ରରେ ଭିନ୍ନକ୍ଷମ ପିଲାଙ୍କୁ ଥଇଥାନ ସେବା ସହ ଭୌତିକ ଚିକିତ୍ସା(ଫିଜିଓଥେରାପି), ବ୍ୟବହାରିକ ଚିକିତ୍ସା(ଅକୁପେସନାଲ ଥେରାପି), ମାନସିକ ଚିକିତ୍ସା, ବାକ୍‌ ଓ ଶ୍ରବଣ ଚିକିତ୍ସା, ତାଲିମ ଓ ଉତ୍‌ଥାନ ସହ ଅନ୍ୟାନ୍ୟ ପରାମର୍ଶ ସେବା ଯୋଗାଇ ଦିଆଯିବ। ଏଥିସହ ପ୍ରାକ୍‌-ବିଦ୍ୟାଳୟ ଶିକ୍ଷା ଚିକିତ୍ସା, ଅନ୍ତର୍ଭୁକ୍ତି ଶିକ୍ଷା ସହ ସ୍ୱତନ୍ତ୍ର ଶିକ୍ଷା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଆତ୍ମନିଯୁକ୍ତି/ଶ୍ରମଭିତ୍ତିକ ରୋଜଗାର ସୁବିଧାର ବ୍ୟବସ୍ଥା ‌ଏବଂ ସେମାନଙ୍କର ଥଇଥାନ ନିମନ୍ତେ ପ୍ରତିବନ୍ଧକହୀନ ପରିବେଶ ସୃଷ୍ଟି କରିବ। ବିଭିନ୍ନ ଶିକ୍ଷାଦାନ-ଶିକ୍ଷଣ ଉପକରଣରେ ସମୃଦ୍ଧ ଏକ ପାଠାଗାର ଏହି କେନ୍ଦ୍ରରେ ଉପଲବ୍ଧ ହେବ। ଭିନ୍ନକ୍ଷମ ପିଲାଙ୍କୁ ବିଭିନ୍ନ ରଙ୍ଗ ଓ କଳ୍ପନା ସହ ପରୀକ୍ଷାପୂର୍ବକ ସେମାନଙ୍କ କୌଶଳ ଆବିଷ୍କାର କରିବା ଲକ୍ଷ୍ୟରେ ଏକ ଚାରୁ ଓ କାରୁକଳା ତାଲିମ କେନ୍ଦ୍ର କାର୍ଯ୍ୟ କରିବ। ଏହି କେନ୍ଦ୍ରରେ ଭିନ୍ନକ୍ଷମ ଶିଶୁଙ୍କ ଅଭିଭାବକଙ୍କୁ ଆବାସିକ ସୁବିଧା ସହ ପରାମର୍ଶ ଓ ନିଃଶୁଳ୍କ ଖାଦ୍ୟପେୟର ବ୍ୟବସ୍ଥା ରହିବ।

‘ମୋ ବସ୍‌’ ଡିପୋରେ ରହିପାରିବ ୧୨୫ ବସ୍‌
ପଟିଆ ଓ ଭଗବାନପୁରରେ ‘ମୋ ବସ୍‌’ ଡିପୋକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ପଟିଆଠାରେ ହିଁ ଭଗବାନପୁର ବସ୍‌ ଡିପୋ ‌ଉଦ୍‌ଘାଟନ ହୋଇଥିଲା। ପଟିଆରେ ୧୯ ହଜାର ବର୍ଗମିଟର ଅଞ୍ଚଳରେ ଏହି ଡିପୋ ନିର୍ମାଣ ହୋଇଥିବା ବେଳେ ଭଗବାନପୁରରେ ୨୩ ହଜାର ବର୍ଗମିଟର ଜାଗାରେ ଏହା ସ୍ଥାପନ ହୋଇଛି। ଏହି ଦୁଇଟି ଡିପୋକୁ କ୍ରୁଟ୍‌ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’ ଭାବେ ବିବେଚନା କରୁଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ଅତ୍ୟାଧୁନିକ ଡିପୋ ହୋଇଛି। ଦୁଇଟି ଯାକ ଡିପୋରେ ୧୨୫ଟି ଲେଖାଏଁ ବସ୍‌ ରହିପାରିବ।

ସମ୍ବନ୍ଧିତ ଖବର