ପରେଡରେ ଭାଗ ନେଉଥିବା ସମସ୍ତଙ୍କର କୋଭିଡ୍ ପରୀକ୍ଷା
ପ୍ରଦର୍ଶନୀ ପଡ଼ିଆର ଚାରି ପାଖ ସିଲ୍ ହେବ
ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ତମ ସ୍ବାଧୀନତା ଦିବସ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସକାଳ ୮ଟା ୫୮ରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବେ। ସେଠାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ଡିଜି, ଏନସିସି ଉପ ମହାନିର୍ଦେଶକ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବେ। ୯ଟାରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ। ଏହାପରେ ପୁଲିସ ବ୍ୟାଣ୍ଡରେ ଜାତୀୟ ସଂଗୀତ ଧୂନ୍ ପରିବେଷଣ କରାଯିବ। ଭାଗ ନେଇଥିବା ଓଏସ୍ଏପି, ଏସଏସବି, ଓଡ୍ରାଫ ପ୍ଲାଟୁନ୍ଠାରୁ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିବେ। ଏଥର ସମ୍ପୂର୍ଣ୍ଣ କଟକଣାରେ ସ୍ବାଧୀନତା ଦିବସ ପାଳନ କରାଯିବ। ପରେଡରେ ଅଂଶଗ୍ରହଣକାରୀ ସାମାଜିକ ଦୂରତ୍ବ ରଖିବା ସହ ମାସ୍କ ପିନ୍ଧିବେ। ସମସ୍ତଙ୍କର କୋଭିଡ୍ ପରୀକ୍ଷା ଶେଷ ହୋଇଛି। ପ୍ରଦର୍ଶନୀ ପଡ଼ିଆରେ କୋଭିଡ୍ ଯୋଦ୍ଧା ଓ ଅତିଥିଙ୍କୁ ମିଶାଇ ପ୍ରାୟ ଶହେ ଜଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି କୌଣସି ଗଣମାଧ୍ୟମକୁ ଏ ବର୍ଷ ପ୍ରବେଶ ଅନୁମତି ମିଳିବ ନାହିଁ।
ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପୂରା ଉତ୍ସବର ସିଧା ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଦର୍ଶନୀ ପଡ଼ିଆକୁ ଚାରି ପାଖରୁ ସିଲ୍ କରି ଦିଆଯିବ। ସକାଳ ୬ଟାରୁ ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ ରହିବ। ସିସିଟିଭି କ୍ୟାମେରା ଲାଗିବା ସହ ବୋମା ନିଷ୍କ୍ରିୟକାରୀ ଦଳ, ସ୍ପେସାଲ ଟାକ୍ଟିକାଲ୍ ୟୁନିଟ୍, କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍ ଉପସ୍ଥିତ ରହିବେ। ରୁଟ୍ ଲାଇନିଂ ସହ ସବୁ ଫାଟକ ନିକଟରେ ସୁରକ୍ଷାକର୍ମୀ ମୁତୟନ ରହିବେ। ଯେଉଁମାନଙ୍କ ପାଖରେ ପ୍ରବେଶପତ୍ର ଥିବ, କେବଳ ସେମାନଙ୍କୁ ଛଡ଼ାଯିବ। ରାତିରେ ବିଭିନ୍ନ ଛକରେ ନାକା ଲାଗିବା ସହ ଗୁରୁତ୍ବପୂର୍ଣ୍ଣ ଛକରେ ଯାଞ୍ଚ କରାଯାଉଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/m7.jpg)