ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡ଼ିଆଠାରେ ଆୟୋଜିତ ଛଟ୍ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ, ଓଡ଼ିଶା ସରକାର ‘ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତା’ର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାରେ ଛଟ୍ ପୂଜା ଏହି ସାଂସ୍କୃତିକ ଏକତାର ଉଦାହରଣ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଯୋଗ ଦେଇଥିଲେ ଏବଂ ସମସ୍ତ ପୂଜାର ବିଧି ପାଳନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ରାଜ୍ୟବାସୀଙ୍କ ମଙ୍ଗଳା କାମନା କରିଥିଲେ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ସତ୍ୟ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତି ବୋଲି ଛଟ୍ ପର୍ବ ଆମକୁ ଶିଖାଇଥାଏ। ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଓ ପରିବେଶ ପ୍ରତି ଆମର ଋଣସ୍ୱୀକାର ବ୍ୟକ୍ତ କରୁଛୁ। ଛଟ୍ ପର୍ବର ସବୁଠୁ ବଡ଼ ବିଶେଷତା ହେଉଛି, ଏହି ପର୍ବରେ କୌଣସି ଦେଖାଣିଆ କିମ୍ବା ଆଡ଼ମ୍ବର ନଥାଏ। କେବଳ ନିଷ୍ଠା ଓ ଆତ୍ମିକ ଶ୍ରଦ୍ଧା ରହେ। ଏହି ପର୍ବ ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ। ଏହି ପର୍ବର ଆତ୍ମା। କହିବାକୁ ଗଲେ, ଛଟ୍ ପୂଜାର ପରମ୍ପରା ଉତ୍ତର ଭାରତୀୟ ରାଜ୍ୟ-ବିହାର, ଝାଡ଼ଖଣ୍ଡ, ଉତ୍ତର ଦେଶ ରାଜ୍ୟମାନଙ୍କରେ ପାଳନ କରାଯାଏ। ଏହା ଅତ୍ୟନ୍ତ ଆନନ୍ଦର କଥା ଯେ ଏବେ ଓଡ଼ିଶାରେ ମଧ୍ୟ ଛଟ୍ ପୂଜାର ଉତ୍ସବ ବିଶେଷ ଉଲ୍ଲାସ ଓ ଭକ୍ତିଭାବର ସହିତ ପାଳନ ହେଉଛି। ଓଡ଼ିଶା ବିକାଶର ନୂତନ ମାର୍ଗରେ ଆଗକୁ ବଢ଼ୁ, ଆମ ଚାଷୀ, ଶ୍ରମିକ, ଯୁବ ଓ ମାତୃଶକ୍ତି ସଶକ୍ତ ହୁଅନ୍ତୁ। ପ୍ରତ୍ୟେକ ଘରେ ଖୁସିର ଆଲୋକ ବିକିରଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶ୍ୱାସ ଫାଉଣ୍ଡେସନର ସଭାପତି ରାଜକୁମାର, ଉପସଭାପତି ଅଜୟ ବାହାଦୂର ସିଂହ, ସାଧାରଣ ସଚିବ ଅଶୋକ ଭଗତ୍ ଓ ବିହାର ଉନ୍ନୟନ ପରିଷଦର ସଂଯୋଜକ ଆନନ୍ଦ ମୋହନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/untitled-6-2025-10-29-07-03-38.jpg)