ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ କାମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ୧୮ ମାସ‌ରେ ସରିବ

ଖର୍ଚ୍ଚ ହେବ ୧୮୦ କୋଟି
ଖଣ୍ଡଗିରି ଡିପୋରେ ରହିବ ଓଏସ୍‌ଆରଟିସି ବସ୍‌
ଓୟୁଏଟି ଫାର୍ମରେ ଘରୋଇ ବସ୍‌ ରହିବ

ଭୁବନେଶ୍ବର : ବରମୁଣ୍ଡା ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡକୁ ରାଜ୍ୟ ସରକାର ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବେ ନିର୍ମାଣ କରୁଛନ୍ତି। ପ୍ରାୟ ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ବସ୍‌ ଟର୍ମିନାଲର କାମ ଚଳିତବର୍ଷ ଅଗଷ୍ଟ ୨୩ରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ୧୮ ମାସ ମଧ୍ୟରେ କାମ ଶେଷ କରିବାକୁ ବିଡିଏକୁ ଟାର୍ଗେଟ୍ ଦେଇଛନ୍ତି।

ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାମ ଦେଖିବାକୁ ଯିବା ପୂର୍ବରୁ ଏହି କାମ ପାଇଁ ଖଣ୍ଡଗିରିବାରିକୁ ସ୍ଥାନାନ୍ତର ହୋଇଥିବା ଓଏସ୍‌ଆର୍‌ଟିସି ବସ୍‌ ଡିପୋ ବୁଲି ଦେଖିଥିଲେ। ସେଠାରେ କେତେ ବସ୍‌ ପାର୍କିଂ ହେବ, କିପରି ହେବ, ତାହା ପଚାରି ବୁଝିଥିଲେ। ଏହାପରେ ବରମୁଣ୍ଡା ବସଷ୍ଟାଣ୍ଡକୁ ଆସି ଉନ୍ନତୀକରଣ ପାଇଁ ପ୍ରସ୍ତୁତ ହୋଇଥିବା ନକ୍ସା ଓ ଡିଜାଇନ୍‌କୁ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କାର୍ତ୍ତିକେୟନ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଅନ୍ତଃରାଜ୍ୟ ବସ୍ ଟର୍ମିନାଲର ରୂପାନ୍ତରୀକରଣ କାର୍ଯ୍ୟ ହେଉଥିବାରୁ ଏହା ଧାର୍ଯ୍ୟ ସମୟରେ ଶେଷ ହେବ ବୋଲି ଆଶା କରାଯାଉଛି।

ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ମୁଖ୍ୟମନ୍ତ୍ରୀଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡର ଡିଜାଇନ୍ ଦେଖାଇବା ସହ କେଉଁ ପ୍ରକଳ୍ପ କେଉଁଠି ହେବ, ତାହା ଦେଖାଇଥିଲେ। ବସ୍‌ଷ୍ଟାଣ୍ଡ କାମ ସମୟରେ କିପରି ଯାତ୍ରୀଙ୍କ ଯାତାୟାତରେ କୌଣସି ପ୍ରକାରର ସମସ୍ୟା ହେବନି, କାମ ସମୟରେ ଯାତ୍ରୀମାନେ ବର୍ତ୍ତମାନ ଭଳି ବରମୁଣ୍ଡା ବସଷ୍ଟାଣ୍ଡରୁ ଉଠିବେ ଓ ଓହ୍ଲାଇବେ, ବିକଳ୍ପ ବସଷ୍ଟାଣ୍ଡ କେଉଁଠି ହେବ, ତାହା ବୁଝାଇଥିଲେ। ଶ୍ରୀ ଚୌଧରୀ କହିଛନ୍ତି ଯେ ଖଣ୍ଡଗିରିବାରିରେ ହୋଇଥିବା ବସ୍‌ ଡିପୋରେ ଓଏସ୍‌ଆରଟିସି ବସ୍‌ ରହିବ। ଘରୋଇ ବସ୍‌ଗୁଡ଼ିକର ରହଣି ପାଇଁ ଓୟୁଏଟି ଫାର୍ମରୁ ୧୦ ଏକର ଜମି ନିଆଯାଇ ଏହାକୁ ବିକଶିତ କରାଯାଉଛି। ଏଠାରେ ଘରୋଇ ବସ୍‌ ପାର୍କିଂ କରିବ। ଯେଉଁ ଅନୁସାରେ କାମ ହେବ, ସେହି ଅନୁଯାୟୀ ବସ୍‌ଗୁଡ଼ିକୁ ଏଠାକୁ ଛଡ଼ାଯିବ। ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ବସ୍‌ଗୁଡ଼ିକ ବରମୁଣ୍ଡା ବସଷ୍ଟାଣ୍ଡରୁ ହିଁ ଯାତ୍ରୀ ଉଠାଇବେ ବୋଲି ଶ୍ରୀ ଚୌଧରୀ କହିଛନ୍ତି। ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନି ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାମ ନେଇଛି।

ଦୀର୍ଘ ୧୦ ବର୍ଷ ହେଲା ରାଜ୍ୟ ସରକାର ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ନେଇ ଯୋଜନା କରୁଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇପାରୁ ନଥିଲା। କେତେବେଳେ ଟେଣ୍ଡର୍‌ ପାଇଥିବା ସଂସ୍ଥା କାମ ଆରମ୍ଭ କରିବା ପୂର୍ବରୁ ଛାଡ଼ି ପଳାଇଥିଲା ତ କେତେବେଳେ ଟେଣ୍ଡର୍ ଶେଷ ହେବା ପ‌ରେ ‌ଟର୍ମିନାଲର ଉଚ୍ଚତା ନେଇ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କେଁ ବାହାର କରିବାରୁ କାମ ଅଧା‌ରେ ଅଟକି ଯାଇଥିଲା। ଶେଷରେ ସେପ୍ଟେମ୍ବର ୨୬, ୨୦୧୯ରେ ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ଉପରେ କ୍ୟାବି‌ନେଟ୍ ମୋହର ବାଜିଥିଲା। ଏହାପରେ ବସଷ୍ଟାଣ୍ଡ ସ୍ଥାନାନ୍ତର କରି କାମ ଆରମ୍ଭ କରିବା ବାକି ଥିଲା। ଏବେ ବହୁ ବାଦ ବିବାଦ ପରେ ନିର୍ମାଣ କାମ ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ବସଷ୍ଟାଣ୍ଡରେ ବସି କାର୍ଯ୍ୟ ସମୀକ୍ଷା କରିବା ପରେ ବରମୁଣ୍ଡା ବସଷ୍ଟାଣ୍ଡ ବିଶ୍ବସ୍ତରୀୟ ହେବ ବୋଲି ସବୁ ବାଟ ଫିଟିଛି।

ଏବେ ୧୧ ଏକର ଜମିରେ, ଭବିଷ୍ୟତ ସମ୍ପ୍ରସାରଣ ପାଇଁ ୪.୫ ଏକର ରହିବ
ବସଷ୍ଟାଣ୍ତକୁ ଟର୍ମିନାଲ ଅଞ୍ଚଳ ଏବ˚ ବାଣିଜ୍ୟିକ ଅଞ୍ଚଳ ଦୁଇଟି ପୃଥକ ଭାବେ ବିକଶିତ କରାଯିବ। ପ୍ରାୟ ୧୫.୫ ଏକର ଅଞ୍ଚଳରେ ଥିବା ବସଷ୍ଟାଣ୍ତର ୧୧ ଏକର ଜାଗାରେ ବିକାଶ କରାଯିବ। ବାକି ୪.୫ଏକର ଜମି ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସ˚ରକ୍ଷିତ ରହିବ। ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ଅଧିକ ସ˚ଖ୍ୟକ ସିଟି ବସ୍‌ ଚଳାଚଳ କରିବ। ପ୍ରସ୍ତାବିତ ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକ ପାର୍କି˚, ଏଲିଭେଟର ଓ ଏସ୍‌କ୍ଲାଭେଟର‌୍‌ ରହିବ। ପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳ ବିଶୋଧନ, ବସ୍‌ ଧୋଇବା ପାଇଁ ଆବଶ୍ୟକ ବ୍ୟବସ୍ଥା, ପୂରା ବସଷ୍ଟାଣ୍ତରେ ଵାଇଫାଇ ସେବା ଉପଲବ୍ଧ ହେବ। ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ୍ ସ˚ଯୋଗ ହେବ। ଏହି ବସ୍‌ଷ୍ଟାଣ୍ତର ସ୍ବତନ୍ତ୍ରତା ହେବ; ଏଠାରୁ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକାତା, ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ। ଉଭୟ ଘରୋଇ ଓ ଓଏସ୍‌ଆରଟିସି ଏହି ବସ୍‌ ସେବା ଯୋଗାଇବେ।

ସମ୍ବନ୍ଧିତ ଖବର