ଭୁବନେଶ୍ୱର : ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଅନେକଗୁଡ଼ିଏ ଲୋକାଭିମୁଖୀ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିରେ ଦୁଇଟି ଅତ୍ୟାଧୁନିକ ‘ମୋ ବସ୍‌’ ଡିପୋ ଓ ୧୧୦ଟି ଯାତ୍ରୀବାହୀ ବସ୍‌ ଓ ଓଟିଡିସିର ‘ନିମନ୍ତ୍ରଣ’ ରେସ୍ତୋ‌ରାଁ ରହିଛି। ପଟିଆ ଓ ଭଗବାନପୁରରେ ଦୁଇଟି ମୋ ବସ୍‌ ଡିପୋ ତିଆରି ହୋଇଛି। ପଟିଆରେ ୧୯ ହଜାର ବର୍ଗମିଟର ଅଞ୍ଚଳରେ ହୋଇଥିବା ବେଳେ ଭଗବାନପୁରରେ ୨୩ ହଜାର ବର୍ଗମିଟର ଜାଗାରେ ଏହା ସ୍ଥାପନ ହୋଇଛି। ଏହି ଦୁଇଟି ଡିପୋକୁ କ୍ରୁଟ୍‌ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’ ଭାବେ ବିବେଚନା କରୁଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଅତ୍ୟାଧୁନିକ ଡିପୋ ହେବାକୁ ଯାଉଥିବା ସୂଚନା ମିଳିଛି। ଦୁଇଟି ଡିପୋରେ ୧୨୫ଟି ଲେଖାଏଁ ବସ୍‌ ରହିପାରିବ। ଏଠାରେ କେବଳ ବସ୍‌ ରହିବ ନାହିଁ; ଆହୁରି ଅନେକ ସେବା ଉପଲବ୍ଧ ହେବ। ଏଠାରେ ଫିଲିଙ୍ଗ୍ ଷ୍ଟେସନ ସହ ୱାର୍କସପ୍‌, ସମ୍ପୂର୍ଣ୍ଣ ଡିପୋ ପାଇଁ ସୋଲାର ପ୍ୟାନେଲ୍‌ ବ୍ୟବସ୍ଥା ହେବା ସହ ବର୍ଷାଜଳ ଅମଳ ପ୍ରକଳ୍ପ, ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ରହିଛି।

Advertisment

publive-image

ସେହିଭଳି ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ୧୧୦ଟି ନୂଆ ଯାତ୍ରୀବାହୀ ବସ୍‌କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ବିଏସ୍-୬ ଶ୍ରେଣୀର ଏହି ବସ୍‌ରେ ଜରୁରୀକାଳୀନ ସୁରକ୍ଷା ବଟନ୍‌, ରୁଟ୍‌ ଟ୍ରାକିଂ ବ୍ୟବସ୍ଥା, ସିସିଟିଭି କ୍ୟାମେରା, ଆରାମଦାୟକ ସିଟ୍‌ ସହ ବସ୍‌ ଟ୍ରାକିଂ କରିବା ବ୍ୟବସ୍ଥା ରହିଛି।