ରମାଦେବୀ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପୁରୁଣା ଭିତ୍ତିଭୂମି ପାଇବ ନୂଆ ରୂପ

ବିଭିନ୍ନ ଅଟ୍ଟାଳିକାର ନବୀକରଣ ପାଇଁ ଖର୍ଚ୍ଚ ହେବ ୧୮ କୋଟି

ଭୁବନେଶ୍ବର, ୮।୨ (ଇମିସ): ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପୁରୁଣା ଏକାଡେମିକ ବିଲଡିଂ, ହଷ୍ଟେଲ ବିଲଡିଂ, ଓପନ୍‌ ଏୟାର ଷ୍ଟେଜ୍‌ ଆଦିର ନବୀକରଣ କରାଯିବ। କ୍ୟାମ୍ପସରେ ଥିବା ସମସ୍ତ ପୁରୁଣା ଭିତ୍ତିଭୂମିକୁ ନୂଆ ରୂପ ଦିଆଯିବ। ଏ ବାବଦରେ ରାଜ୍ୟ ସରକାର ୧୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ବିଶ୍ବବିଦ୍ୟାଳୟର ୪ଟି ଅଟ୍ଟାଳିକାକୁ ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହି‌ଲେ, ‘କରୋନା ପରେ ପ୍ରଥମ ଥର ପାଇଁ ତୁମମାନଙ୍କୁ ଭେଟୁଛି। ଓଡ଼ିଶାର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟକୁ ଆସିଥିବାରୁ ବହୁତ ଖୁସି ଲାଗୁଛି। ଆଜି ଯେଉଁ କୋଠାଗୁଡ଼ିକ ଉଦ୍‌ଘାଟିତ ହୋଇଛି, ତାହା ବିଶ୍ବବିଦ୍ୟାଳୟର ଗରିମାକୁ ଆହୁରି ବୃଦ୍ଧି କରିବ। ତୁମମାନଙ୍କ ଆବଶ୍ୟକତା ପୂରଣ କରିବ। ଏହା ଓଡ଼ିଶାର ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ, ଯାହା ମହିଳାଙ୍କ ଶିକ୍ଷା ପାଇଁ ଉତ୍ସର୍ଗୀକୃତ। ଓଡ଼ିଶାରେ ମହିଳାଙ୍କ ଶିକ୍ଷା ତଥା ସଶକ୍ତୀକରଣ ପାଇଁ ମା’ ରମାଦେବୀଙ୍କ ଦର୍ଶନକୁ ଏହା ବହନ କରୁଛି। ତୁମମାନଙ୍କୁ ମିଳୁଥିବା ସୁଯୋଗକୁ ବିନିଯୋଗ କରି କିଭଳି ଆଗକୁ ବଢ଼ିବ ଏବଂ ଚଲାବାଟରେ ଆସୁଥିବା ଆହ୍ବାନଗୁଡ଼ିକର ସମ୍ମୁଖୀନ ହୋଇ ବିଶ୍ୱବିଦ୍ୟାଳୟର ଭବିଷ୍ୟତକୁ ଆଗକୁ ନେବ, ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ମୁଁ ବିଶ୍ୱାସ କରେ; ତୁମେ ତୁମର ପ୍ରତିଭା ଓ ସାହସ ସହ ଶିକ୍ଷାନୁଷ୍ଠାନର ସମ୍ମାନ ବଢ଼ାଇବ। ଏହାକୁ ଦେଶର ଶ୍ରେଷ୍ଠ ଅନୁଷ୍ଠାନରେ ପରିଣତ କରିବ।’
ଶ୍ରୀ ପଟ୍ଟନାୟକ ଆହୁରି କହିଲେ; ‘‘ଛାତ୍ରଛାତ୍ରୀ ହେଉଛନ୍ତି ସମାଜର ଭବିଷ୍ୟତ। ପରିବର୍ତ୍ତନର ବାର୍ତ୍ତାବହ। ପାଠପଢ଼ାରେ ଉତ୍କର୍ଷ ହାସଲ କରିବାକୁ ଓ କ୍ୟାରିୟରରେ ଧ୍ୟାନ ଦେବାକୁ ତୁମେମାନେ ନିଶ୍ଚୟ ଚେଷ୍ଟା କରିବ। ତୁମର ଜ୍ଞାନ ତୁମକୁ ମାର୍ଗଦର୍ଶନ କରିବ ଏବଂ ଜୀବନ ସାରା ପ୍ରେରଣା ଦେବ। ପିତାମାତାଙ୍କ ପାଇଁ ମଧ୍ୟ ଆପଣଙ୍କ ଦାୟିତ୍ବ ରହିଛି। ସେମାନଙ୍କ ସେବା କର ଏବଂ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କର। ସେମାନଙ୍କ ଆଶୀର୍ବାଦ ରହିଲେ ତୁମେ ସବୁଦିନ ପାଇଁ ହସିବ। ପ୍ରତ୍ୟେକ ଛାତ୍ର ଏଥିରେ ଆନ୍ତରିକତାର ସହ ମଗ୍ନ ହେବା ଜରୁରୀ।’

ନୂଆ ଏକାଡେମିକ୍‌ ବ୍ଲକ୍‌, ପାଠାଗାର ଓ ହଷ୍ଟେଲ ବିଲ୍‌ଡିଂ ଉଦ୍‌ଘାଟିତ

ବିଶ୍ବସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମହିଳାଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ‘ମହିଳାମାନେ ଏବେ ସବୁସ୍ତରରେ ସମାଜକୁ ଆଗେଇ ନେଉଛନ୍ତି। ବ୍ୟବସାୟଠାରୁ ଆରମ୍ଭ କରି ଶିଳ୍ପ, କ୍ରୀଡ଼ା, ପ୍ରତିରକ୍ଷା, ଅର୍ଥନୀତି ଆଦି କ୍ଷେତ୍ରରେ ଆଗରେ ରହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ହୁଅନ୍ତୁ କି ଜର୍ମାନୀର ଚାନ୍‌ସେଲର ଆଞ୍ଜେଲା ମର୍କେଲ, ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥନ୍, ବାୟୋକନ୍ ପ୍ରତିଷ୍ଠାତା କିରଣ ମଜୁମଦାର-ସ, ମିସାଇଲ୍ ମହିଳା ଟେସି ଥୋମାସ୍, ଅଲିମ୍ପିଆନ୍ ପିଭି ସିନ୍ଧୁ ଏମିତି ଅନେକ; ଯେଉଁମାନଙ୍କଠାରେ ଆତ୍ମବିଶ୍ୱାସ ରହିଛି। ସେମାନେ ନିଜ ପ୍ରତିଭାକୁ ବିଶ୍ବାସ ଓ ସମ୍ମାନ କରନ୍ତି। ଯେଉଁଥିପାଇଁ ସେମାନଙ୍କ ରାସ୍ତାରେ ଆସିଥିବା ସମସ୍ୟାଗୁଡ଼ିକ କେବେ ବି ପ୍ରଭାବିତ କରିପାରି ନାହିଁ। ତୁମମାନଙ୍କଠାରେ ବି ପ୍ରତିଭା ଭରି ରହିଛି। ମୁଁ ନିଶ୍ଚିତ ଯେ ତୁମେମାନେ ଜୀବନରେ ସଫଳ ହେବ। ନିଜ ପସନ୍ଦ କ୍ଷେତ୍ରରେ ନାଁ କରିବ। ସବୁବେଳେ ବିଶ୍ବାସ କର ଯେ ତୁମେ ସର୍ବୋତ୍ତମ। ନିଜର ସ୍ୱପ୍ନ, ଶକ୍ତି ସହିତ ଆଗକୁ ବଢ଼ ଓ ନିଶ୍ଚିତ କର, ବିଶ୍ବ ତୁମର।’ ଏଭଳି କହି ନିଜ ପ୍ରତିଭା ସହ ସମାଜକୁ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।

ଲୋକାର୍ପଣ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଶ୍ବବଦ୍ୟାଳୟ କୁଳସଚିବ ଶ୍ୟାମଳୀ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଉପକୁଳସଚିବ ନବନୀତ କୌର୍‌ ଧନ୍ୟବାଦ ଦେଇଥିଲେ।

ସକାଳୁ ବଢ଼ିଲା ସୁରକ୍ଷା
କରୋନା କଟକଣା କୋହଳ ପରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ଶିକ୍ଷାନୁଷ୍ଠାନକୁ ଗସ୍ତ କରୁଥିବାରୁ କ୍ୟାମ୍ପସରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଶେଷକରି ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲର ମୃତ୍ୟୁ ଘଟଣାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ନେଇ ଆଜି ସକାଳୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା। ତାହାକୁ ଦୃଷ୍ଟିରେ ରଖି ନବୀନ ନିବାସରୁ ରମାଦେବୀ କ୍ୟାମ୍ପସ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଥିଲେ।
ଭାଷଣ ଦେଲେନି, ବାଜିଲା ଭିଡିଓ ବାର୍ତ୍ତା
ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବା ସହ ମଞ୍ଚରେ ଉପସ୍ଥିତ ରହିଥିଲେ। ହେଲେ ଭାଷଣ ଦେଲେ ନାହିଁ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭିଡିଓ ବାର୍ତ୍ତାକୁ ସ୍କ୍ରିନ୍‌ରେ ପ୍ରଦର୍ଶିତ କରାଯାଇଥିଲା। ସେହିପରି କରୋନା କଟକଣା ମାନି ମଞ୍ଚ ଉପରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଚେୟାରଠାରୁ ୬ ଫୁଟ୍‌ ଦୂରରେ ଅନ୍ୟ ଅତିଥିମାନଙ୍କ ଚେୟାର ପଡ଼ିଥିଲା।
୩୩ କୋଟିର ପ୍ରକଳ୍ପ
୪ଟି କୋଠା ନିର୍ମାଣରେ ୩୩ କୋଟି ୯ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। କୁନ୍ତଳା କୁମାରୀ ଗ୍ରନ୍ଥାଗାର କୋଠା ନିର୍ମାଣ ଲାଗି ୬ କୋଟି ୫୩ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ଅନ୍ବେଷା ହଷ୍ଟେଲ ଲାଗି ୩ କୋଟି ୭୫ ଲକ୍ଷ ଓ ଏକାଡେମିକ୍‌ ବ୍ଲକ-୨ ତଥା ଆର୍ଟସ ବ୍ଲକ ନିର୍ମାଣ ପାଇଁ ୧୭ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟ ଭିତ୍ତିଭୂମି ପାଣ୍ଠିରୁ ୫ କୋଟି ୭୬ ଲକ୍ଷ ଟଙ୍କା ବିନିଯୋଗରେ ଏକାଡେମିକ୍‌ ବ୍ଲକ-୩ ତଥା ସାଇନ୍ସ ବ୍ଲକ ପ୍ରତିଷ୍ଠା ହୋଇଛି।
ଶକୁନ୍ତଳା ପଣ୍ଡା ପାଠାଗାରକୁ ୫୦ ଲକ୍ଷ ଦେଲେ ହରିହର ପଣ୍ଡା
ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ୩୮୦୦ ଛାତ୍ରୀଙ୍କ ଲାଗି କୁନ୍ତଳା କୁମାରୀ ଗ୍ରନ୍ଥାଗାର ପ୍ରତିଷ୍ଠା ହୋଇଛି। ବିଶାଳ ପାଠାଗାର ସାଙ୍ଗକୁ ୫୧ ହଜାର ପୁସ୍ତକ, କ୍ୟାଣ୍ଟିନ୍‌, ଲାଇବ୍ରେରି ରୁମ୍‌, ପଠନ କକ୍ଷ ଆଦି ରହିଛି। ଗ୍ରନ୍ଥାଗାରଟି ବିଶିଷ୍ଟ ସାହିତ୍ୟିକା କୁନ୍ତଳା କୁମାରୀଙ୍କ ନାମରେ ନାମିତ ହୋଇଥିଲା ବେଳେ ଏହା ପରିସରରେ ଏକ ପାଠାଗାରକୁ ବିଶିଷ୍ଟ ସାହିତ୍ୟିକା ଶକୁନ୍ତଳା ପଣ୍ଡାଙ୍କ ନାମରେ ନାମିତ କରାଯାଇଛି। ଏହି ପାଠାଗାର ଲାଗି ଅବସରପ୍ରାପ୍ତ ବିଚାରପତି ହରିହର ପଣ୍ଡା ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
ଝୁଲି ରହିଲା ଦ୍ବିତୀୟ କ୍ୟାମ୍ପସ
ବିଶ୍ବବିଦ୍ୟାଳୟ ଲାଗି ୧୮କୋଟି ଟଙ୍କାର ଅନୁଦାନ ଘୋଷଣା ହୋଇଛି। ତେବେ ଦ୍ବିତୀୟ କ୍ୟାମ୍ପସ ନେଇ କେହି ବି ମୁହଁ ଖୋଲି ନା‌ହାନ୍ତି। ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କିଛି କହି ନ ଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନା ବି ଚୁପ୍‌ ରହିଛନ୍ତି। ଉତ୍ସବ ପରେ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଏବିଷୟରେ ପଚାରିବାରୁ ସେ ‌ଏଡ଼ାଇ ଯାଇଥିଲେ।
ଫୁଟ୍‌ ଓଭରବ୍ରିଜ୍‌ ସମ୍ପର୍କରେ ସ୍ପଷ୍ଟ କଲେନି
ରମାଦେବୀ ସମ୍ମୁଖରେ ହେବାକୁ ଥିବା ପ୍ରସ୍ତାବିତ ଫୁଟ୍‌ ଓଭରବ୍ରିଜ୍‌ ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ପଚାରିବାରୁ ସେ କିଛି ସ୍ପଷ୍ଟ କରି ନ ଥିଲେ। କଥା ଗୋଳାଇ କହିଥିଲେ ଆଗରୁ ଯୋଜନା ହୋଇଥିଲା।
ଯୋଗଦେଲେ ବିଶିଷ୍ଟ ବ୍ୟକ୍ତିବିଶେଷ
ଉତ୍ସବରେ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ପଦ୍ମଜା ମିଶ୍ର, ଶକୁନ୍ତଳା ପଣ୍ଡା ପାଠାଗାରକୁ ଦାନ କରିଥିବା ଅବସରପ୍ରାପ୍ତ ବିଚାରପତି ହରିହର ପଣ୍ଡା, ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚି, ଜୟନ୍ତ ନାରାୟଣ ଷଡ଼ଙ୍ଗୀ, ମିହିର ସେଠୀ, ସୀତାଂଶୁ ଦାଶ, କଳ୍ପନା ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର