କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଏଣିକି ଦିନକୁ ୩ହଜାର ନମୁନା ପରୀକ୍ଷା

୧୯୨୯ ନମ୍ବରରେ ମିଳିବ ଟେଷ୍ଟିଂ ଓ ପରୀକ୍ଷା ତଥ୍ୟ
୨୪ଘଣ୍ଟା କାର୍ଯ୍ୟ କରିବ ବିଏମ୍‌ସିର କଲ୍‌ ସେଣ୍ଟର
୩୦ ମିନିଟ୍‌ ଭିତରେ ସହାୟତା ଯୋଗାଇବାକୁ ନିର୍ଦେଶ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ଭୁବନେଶ୍ବର ପାଇଁ ବିପଦ ଆଣିଛି। ରାଜଧାନୀର କଲୋନି, ଆପାର୍ଟମେଣ୍ଟ, ବସ୍ତିଠୁ ନେଇ ଗଳିକନ୍ଦିରେ ପଶିଗଲାଣି କରୋନା। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ କରୋନାର ହଟସ୍ପଟ୍‌ ପାଲଟି ଗଲାଣି। ଗତ ସପ୍ତାହେ ହେବ ଦୈନିକ ୩ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ଯେତିକି ନମୁନା ପରୀକ୍ଷା ହେଉଛି, ତାହା ପର୍ଯ୍ୟାପ୍ତ ନୁହେଁ। ଅଧିକ ପରୀକ୍ଷା ହେଲେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର କରୋନା ଟେଷ୍ଟିଂ ବଢ଼ାଇବା ସହିତ ଟ୍ରାକିଂ ଓ ଆଇସୋଲେସନ୍‌କୁ ଗୁରୁତ୍ବ ଦେଇଛନ୍ତି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜଧାନୀ ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନମୁନା ପରୀକ୍ଷା ବଢ଼ାଇବାକୁ ନିର୍ଦେଶ ଦେଇଛନ୍ତି । ଏଣିକି ରାଜଧାନୀରେ ଦିନକୁ ୩ହଜାର କୋଭିଡ ନମୁନା ପରୀକ୍ଷା କରାଯିବ ବୋଲି ଆଜି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରରେ ଏବେ ୩୩ଟି ରାପିଡ୍‌ ରେସପନ୍‌ସ ଟିମ୍ ବା ଆରଆରଟି କାର୍ଯ୍ୟ କରୁଛି। ଏହି ସଂଖ୍ୟାକୁ ବଢ଼ାଯିବା ସହିତ ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ କାର୍ଯ୍ୟ କରିବେ। ଏମାନେ ଆର୍‌ଆର୍‌ଟି ଗୃହ ପୃଥକବାସରେ ରହୁଥିବା ରୋଗୀମାନଙ୍କୁ ନିରୀକ୍ଷଣ କରିବା ସହିତ ସଂପୃକ୍ତ ଅଞ୍ଚଳରେ କିଭଳି କୋଭିଡ ନିୟମାବଳି କଡ଼ାକଡ଼ି ଭାବେ ପାଳନ ହେବ ତାହାର ତଦାରଖ କରିବେ। ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନିୟମିତ ଯୋଗାଯୋଗ କରାଯିବ। ଅଧିକାଂଶ ସମୟରେ ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତି ବାହାରେ ବୁଲୁଥିବା ନଜରକୁ ଆସୁଛନ୍ତି। ତେଣୁ ସଂପୃକ୍ତ ରୋଗୀମାନେ ଯେପରି ବାହାରେ ନ ବୁଲିବେ ସେଥିପାଇଁ ପ୍ରତ୍ୟେକ ଦିନ ଚେତାବନୀ ମଧ୍ୟ ଦିଆଯିବ।

ରାଜଧାନୀରେ ଟେଷ୍ଟିଂ ଓ ଚିକିତ୍ସା ସମ୍ବନ୍ଧରେ ସୂଚନା ପାଇଁ ଟୋଲ ଫ୍ରି ନମ୍ବର ୧୯୨୯ ଜାରି କରାଯାଇଛି। ତେବେ କଲ୍ ପାଇବାର ଅଧଘଣ୍ଟାରେ ଯେପରି ଲୋକଙ୍କୁ ସହାୟତା ମିଳିପାରିବ ତହା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି କେବଳ ଟେଷ୍ଟିଂ ଓ ଟ୍ରାକିଂ ନୁହେଁ, ଏନଫୋର୍ସମେଣ୍ଟକୁ ମଧ୍ୟ କଡ଼ାକଡ଼ି କରିବା ଦିଗରେ ଆଜି ନିଷ୍ପତ୍ତି ନିଆଯାଇଛି। ରାଜଧାନୀର ବିଭିନ୍ନ ଚା’ ଓ ଅନ୍ୟ ଦୋକାନ ଆଗରେ ଭିଡ଼ ଜମାଉଥିବାରୁ ବିଏମ୍‌ସିର ଟାସ୍କ ଫୋର୍ସକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ଆବଶ୍ୟକ ପଡ଼ିଲେ ପୁଲିସର ସହାୟତା ମଧ୍ୟ ନେଇପାରିବେ। ମନ୍ଦିରରେ ଲୋକଙ୍କ ପ୍ରବେଶ ଓ ବିଭିନ୍ନ ମହୋତ୍ସବ ସମୟରେ ସଂକ୍ରମଣ ଯେପରି ନ ବ୍ୟାପିବ ତାହାର ସୁପରିଚାଳନା ପାଇଁ ମନ୍ଦିର ପରିଚାଳନା କମିଟିମାନଙ୍କୁ ଅନୁରୋଧ କରାଯିବ ବୋଲି ସ୍ଥିର ହୋଇଛି।

ଅପରପକ୍ଷରେ କୋଭିଡ୍‌ କଟକଣା ଓ ରାତ୍ରୀକାଳୀନ କର୍ଫ୍ୟୁ ସଂପର୍କରେ ମାଇକ୍ ଜରିଆରେ ଲୋକଙ୍କୁ ସୂଚନା ଦେବାକୁ ନିର୍ଦେଶ ଦିଆଯାଇଛି। ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ହସ୍ପିଟାଲରେ ଯଥେଷ୍ଟ ସଂଖ୍ୟକ ଟେଷ୍ଟିଂ କିଟ୍ ଓ ଔଷଧ ଉପଲବ୍ଧକୁ ନିଶ୍ଚିତ କରାଯାଇଛି। ଆଜିର ଏହି ବୈଠକରେ ଉନ୍ନୟନ କମିସନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଓ ପ୍ରମୁଖ ସଚିବ ଅନୁ ଗର୍ଗ ପ୍ରମୁଖ ‌ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର