ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି କ୍ରୁଟ୍(କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ) ସେବାର ସମୀକ୍ଷା କରିଛନ୍ତି। କ୍ରୁଟ୍ ମୁଖ୍ୟାଳୟ ଓ ଗାଡ଼କଣସ୍ଥିତ ଇଲେକ୍ଟ୍ରି ବସ୍ ଡିପୋ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କ୍ରୁଟ୍ ପରିବହନ ସେବା ପରିଚାଳନା ଓ ଭୁବନେଶ୍ବରରେ ବର୍ଦ୍ଧିତ ଇଲେକ୍ଟ୍ରି ବସ୍ ସେବା ନେଟ୍‌ୱର୍କର ସ୍ଥିତି ପରଖିଛନ୍ତି। ଏହି ଅବସରରେ ଶ୍ରୀ ଆହୁଜା ବସ୍‌ର କ୍ରୁ ସଦସ୍ୟ, ଗାଇଡ୍ ଓ ବୈଷୟିକ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସୁଗମ, ନିରାପଦ ଓ ନିର୍ଭରଯୋଗ୍ୟ ସାର୍ବଜନୀନ ପରିବହନ ସେବା ସୁନିଶ୍ଚିତ କରିବାରେ ସେମାନଙ୍କର ଅଭିଜ୍ଞତା ଓ ଚ୍ୟାଲେଞ୍ଜଗୁଡ଼ିକୁ ବୁଝିଥିଲେ। 

Advertisment

କ୍ରୁଟ୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟରରେ, ସେ ସମୟାନୁବର୍ତ୍ତିତା, ଦକ୍ଷତା ଓ ଯାତ୍ରୀ ସନ୍ତୋଷ ବୃଦ୍ଧି କରିବାରେ ସାହାଯ୍ୟ କରୁଥିବା ରିୟଲ୍-ଟାଇମ୍ ମନିଟରିଂ ସିଷ୍ଟମ୍, ଡାଟା ଆନାଲିଟିକ୍ସ ଓ ସିଡ୍ୟୁଲ୍ ଅପ୍ଟିମାଇଜେସନ୍ ପ୍ରକ୍ରିୟାଗୁଡ଼ିକର ସମୀକ୍ଷା କରିଥିଲେ। ପରିବହନ ସେବା ପରିଚାଳନାରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାରକୁ ପ୍ରଶଂସା କରିଥିଲେ। ଉଚ୍ଚ ସେବା ମାନଦଣ୍ଡ ବଜାୟ ରଖିବା ଓ ସବୁଜ ଗତିଶୀଳତା ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସହରାଞ୍ଚଳ ପରିବହନକୁ ସ୍ବଚ୍ଛ ଓ ସ୍ଥାୟୀ କରିବା ପାଇଁ ବୈଦ୍ୟୁତିକ ବସ୍ ପରିଚାଳନାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡ. ଏନ୍. ଥିରୁମାଲା ନାଏକ ମୁଖ୍ୟ ସଚିବଙ୍କୁ ଚାଲୁଥିବା କାର୍ଯ୍ୟ ଓ ଆଗାମୀ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। କ୍ରୁଟ୍ ମହାପ୍ରବନ୍ଧକ ସଞ୍ଜୟ ବିଶ୍ୱାଳ, ସହଦେବ ସମାଧିଆ, ବରିଷ୍ଠ କ୍ରୁଟ୍‌ମାନେ ଉପସ୍ଥିତ ଥିଲେ।