ଭୁବନେଶ୍ବର: ବର୍ଷାଦିନେ ରାଜଧାନୀରେ ଜଳ ନିଷ୍କାସନ ବ୍ୟବସ୍ଥା ଉତ୍କଟ ରୂପ ଧାରଣ କରୁଛି। ସହରର ବିଭିନ୍ନ ଅଞ୍ଚଳରେ ଦେଖା ଦେଉଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଆଜି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଅଞ୍ଚଳରେ ରହୁଥିବା ଜଳ ନିଷ୍କାସନ ସମସ୍ୟାକୁ ଗୁରତ୍ବର ସହ ନେଇ ବର୍ଷା ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ସାରିବାକୁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ବିଏମ୍ସି କମିସନର ଦର୍ଶାଇଥିଲେ, ସହରରେ ୭୭.୦୭ କିମି ବିଶିଷ୍ଟ ୧୫ଟି ମୁଖ୍ୟ ପ୍ରାକୃତିକ ଡ୍ରେନ୍ ରହିଛି। ବିଏମ୍ସି ଅଞ୍ଚଳରେ ୧୮୩୯ କିମି ଆଭ୍ୟନ୍ତରୀଣ ଡ୍ରେନ୍ ରହିଛି। ସେଥିରୁ ବିଏମ୍ସି ଅଧୀନରେ ୧୩୮୦ କିମି, ପୂର୍ତ୍ତ ବିଭାଗ ଅଧୀନରେ ୩୬୦.୨୨ କିମି, ଇଡ୍କୋ ଅଧୀନରେ ୬୫.୦୨ କିମି ଓ ଜାତୀୟ ରାଜପଥ ଅଧୀନରେ ୩୪.୪୩ କିମି ଡ୍ରେନେଜ୍ ବ୍ୟବସ୍ଥା ରହିଛି।
ନାଳ ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
ଅଗ୍ରାଧିକାର ଭିତ୍ତିରେ ଡ୍ରେନେଜ୍ କାମ ସାରିବାକୁ ନିର୍ଦ୍ଦେଶ
ସେହିପରି ବିଭିନ୍ନ କାରଣରୁ ସହରରେ ଅତ୍ୟଧିକ ବର୍ଷା ହେଲେ ଇସ୍କନ ମନ୍ଦିର ରାସ୍ତା, କଟକ ରୋଡ୍, ଆୟୁର୍ବେଦିକ୍ ମେଡିକାଲ କଲେଜ ସମ୍ମୁଖ ରାସ୍ତା, ଅହଲ୍ୟାନଗର, ମହିଳା ସିଟି କଲେଜ, ଏମ୍ସ ଅଞ୍ଚଳ, ଭଗବାନପୁର, ଫରେଷ୍ଟ ପାର୍କ, ଲକ୍ଷ୍ମୀସାଗର, ନହରକଣ୍ଟା, ରୁଦ୍ରପୁର ଆଦି ଅଞ୍ଚଳ ଆଦିରେ ଜଳ ନିଷ୍କାସନ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ଏସବୁ ଅଞ୍ଚଳରେ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି, ରାଜ୍ୟ ପାଣ୍ଠିରୁ ଭିନ୍ନ ଭିନ୍ନ ନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ଖର୍ଚ୍ଚ ନିମନ୍ତେ ପଦକ୍ଷେପ ନିଆଯାଇଛି। ଏଥିପାଇଁ ପ୍ରାୟ ୩୦୦ କୋଟି ବ୍ୟୟ ଆକଳନ କରାଯାଇଥିବା ବେଳେ କେଉଁ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପଡ଼ିବ, କେଉଁ କାର୍ଯ୍ୟ ଅଧିକ ଦିନ ଲାଗିବ, ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ଡ୍ରେନେଜ୍ କାର୍ଯ୍ୟକୁ ସଂପୃକ୍ତ ବିଭାଗ ପରସ୍ପର ସହିତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ବୈଠକରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ, ବିଡିଏ ଉପାଧ୍ୟକ୍ଷ ଏନ୍. ଥିରୁମାଳା ନାୟକ, ଜାତୀୟ ରାଜପଥ ପ୍ରାଧିକରଣ ସମେତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ।