ଭୁବନେଶ୍ବର : ଫୁଙ୍ଗୁଳା ଦେହରେ ବିନା ଦ୍ବିଧାରେ ସେ ଷ୍ଟେସନ୍ର ଏ କୋଣରୁ ସେ କୋଣକୁ ଦୌଡ଼ି ଯାଉଥିଲା। ନୁଖୁରା ଚୁଟିକୁ ଅନବରତ କୁଣ୍ଡେଇ କୁଣ୍ଡେଇ ଯେମିତି ବିରକ୍ତ ହୋଇ ଯାଉଥିଲା। ରାସ୍ତା ଉପରେ ଏକ ବୁଲା କୁକୁର ସହ ସେ ଖେଳରେ ମାତି ଯାଇଥିଲା। ନଜର କିନ୍ତୁ ଏତେ ତୀକ୍ଷ୍ଣ ଥିଲା ଯେ ଷ୍ଟେସନ୍ରୁ ଯାତ୍ରୀ ବାହାରିବା ମାତ୍ରେ ସେ ହାତ ପତେଇ ଜିଦ୍ କରୁଥିଲା। ଯେମିତି ନଛୋଡ଼ବନ୍ଧା ଥିଲା ସେ। କିଛି ନ ପାଇବା ଯାଏ ବାଟ ଛାଡ଼ୁନଥିଲା। ଆଉ ଯଦି କେହି କିଛି ବଢ଼େଇ ଦେଉଥିଲା, ସୁନା ପିଲାଟେ ଭଳି ଆସି ପୁଣି ସେଇ ବୁଲା କୁକୁର ସାମ୍ନାରେ ବସି ଯାଉଥିଲା। ଏଣୁତେଣୁ ଗପୁଥିଲା। ଯେମିତି ସେଇ କ୍ଷଣର ରୋଜଗାର ବାବଦରେ ସେ କୁକୁରକୁ ଜଣାଇ ଦେଉଥିଲା। ଆସନ୍ତାକାଲି କେତେ ଆଡ଼ମ୍ବରରେ ପାଳନ ହେବ ଶିଶୁ ଦିବସ। ଚକ୍ଲେଟ, ପେନ୍ସିଲ୍, ସ୍ମାଇଲ୍ ବ୍ୟାଚ୍ ଭଳି ରକମ ରକମର ଉପହାର ଶିଶୁଙ୍କୁ ବଣ୍ଟାଯିବ। ମାତ୍ର ଏ କୁନି ଝିଅଟି....। ଖଡ଼ି ସିଲଟ ବଦଳରେ ତା’ ହାତରେ ବାପା ମା’ ଥାଳ ଧରାଇ ଦେଇନାହାନ୍ତି ଯେ ଯେମିତି ତାକୁ ସମାଜର ବଡ଼ବାବୁଙ୍କ ପାଖେ ନିଲାମ କରି ଦେଇଛନ୍ତି।
ଯେବେ ସେଇ ସ୍ଥାନରୁ ଆଉ ଟିକେ ଆଗେଇଲୁ, ସାମ୍ନାରେ ପଡ଼ିଥିଲା ୧୩-୧୪ ବର୍ଷର କୁନି ଝିଅଟେ। ତା’ ହାତରେ ଥିଲା ଏକ ମଇଳା କପଡ଼ା। ନିର୍ଦ୍ବନ୍ଦ୍ବରେ ସେ ସେଇ କପଡ଼ାକୁ ଆଘ୍ରାଣ କରି ଚାଲିଥିଲା। ଯେମିତି ଏହା ତାକୁ ଅସୁମାରୀ ଆନନ୍ଦ ଦେଉଥିଲା। ଯେବେ ଏ ବାବଦରେ ତାକୁ କିଛି ପଚାରିବାକୁ ଉଦ୍ୟତ ହେଲୁ, ସେ ଫଁ..କରି ଚିହିଁକି ଉଠିଥିଲା। କହିଲା, ମୁଁ ବାହା ହେଇଛି ମୋ’ର ସ୍ବାମୀ ଅଛି, ଡାକିବି। ତା’ର ଏ ବ୍ୟବହାର ଦେଖି ତା’ କଥାକୁ ବିଶ୍ବାସ କରିବୁ, ନା ତାକୁ ଆକଟ କରିବୁ; କିଛି ସମୟ ଦ୍ବନ୍ଦ୍ବରେ ପଡ଼ିଗଲୁ। ଏହା କହି ସେ ସେଠାରୁ ଆଡ଼େଇ ଆଡ଼େଇ ପଳେଇଥିଲା।
ଠିକ୍ ସେଇବାଟରେ ରାସ୍ତା କଡ଼ରେ ୩ଜଣ କୋମଳମତି ପିଲା ବଡ଼ଙ୍କ ସାଙ୍ଗେ ତାସ୍ ଖେଳରେ ମାତି ଯାଇଥିଲେ। କିଛି ସମୟ ସେଠି ରହି ତାଙ୍କୁ ଲକ୍ଷ୍ୟ କରିବା ଭିତରେ ଜଣେ ବୟସ୍କ ବ୍ୟକ୍ତି ଖେଳ ମଝିରେ ଛୋଟ ପିଲାଟିର ପିଠିରେ ଦୁର୍ମାର୍ କଲେ। କିଛି କ୍ଷଣ ସେ ଲୋକଟିର କଥାକୁ କାନେଇବା ପରେ ଜଣା ପଡ଼ିଲା, ପିଲାଟି ଖେଳରେ ଭୁଲ୍ କଲା ବୋଲି ତା’କୁ ଏମିତି ମାଡ଼ ଖାଇବାକୁ ପଡ଼ିଲା। ଆସନ୍ତାକାଲି ରାଜଧାନୀରେ ଶିଶୁ ଦିବସ ପାଳନର ଚିତ୍ରକୁ ଆଜିର ଏହି କୁନି ଝିଅଟିର ଅବସ୍ଥା ସହ ତଉଲିବା ବେଳେ ଯେ କୌଣସି ଲୋକର ଆଖି ନିଶ୍ଚେ ଓଦା ହୋଇଯିବ। ଥରେ ଭାବିବାକୁ ବାଧ୍ୟ କରିବ...।