ଭୁବନେଶ୍ବର: ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ରାଜଧାନୀରୁ ଶିଶୁ ଅପହରଣ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ଅପହର୍ତ୍ତା କେଦାରସନ ପଣ୍ଡାକୁ ଗିରଫ କରାଯାଇଛି। ପିଲାଟିକୁ ରଖିଥିବା ମହିଳା ଝେଲମରାଣୀ ପଣ୍ଡାକୁ ଅଟକ ରଖି ପୁଲିସ ଅପହରଣ ପଛର ଅସଲ କାରଣ ଜାଣିବାକୁ ପଚରାଉଚରା କରୁଛି। କିନ୍ତୁ ଏହା ଭିତରେ ମାମଲାଟି ନୂଆମୋଡ଼ ନେବାକୁ ଯାଉଛି। ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମହିଳା ଝେଲମରାଣୀ ପଣ୍ଡାଙ୍କୁ ପୁଲିସ ଏବେ ରାଜସାକ୍ଷୀ କରିବାକୁ ଯୋଜନା କରୁଛି। ଅପହରଣ ପଛରେ ଝେଲମରାଣୀଙ୍କର ପ୍ରଚ୍ଛନ୍ନ ହାତ ନଥିବାରୁ ପୁଲିସ ଏଭଳି ପଦକ୍ଷେପ ନେବା ଯୋଜନାରେ ରହିଛି।
ପୁଲିସକୁ ଝେଲମରାଣୀ ଦେଇଥିବା ବୟାନ ଅନୁସାରେ ସେ ଅଭିଯୁକ୍ତ କେଦାରସନକୁ ଗୋଟିଏ ଅନାଥ ଶିଶୁ ଦରକାର ବୋଲି କହିଥିଲେ। ନିଜର ଏକମାତ୍ର ଅସୁସ୍ଥ ପୁଅ ଭଲ ହୋଇଯିବ ବୋଲି ଏକ ଅନାଥ ଶିଶୁକୁ ଲାଳନପାଳନ କରିବା ପାଇଁ ତାଙ୍କୁ କେହି କହିଥିଲା। ସେହି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ସେ କେଦାରସନକୁ କୌଣସି ଏକ ଅନାଥ ଶିଶୁ ଯୋଗାଡ଼ କରିବାକୁ କହିଥିଲେ। କେଦାରସନ ଭୁବନେଶ୍ବରରେ ମାଳମାଳ ଅନାଥ ଶିଶୁ ବୁଲୁଛନ୍ତି ବୋଲି କହିଥିଲା ଏବଂ ନିଶ୍ଚୟ ଯୋଗାଡ଼ କରିବ ବୋଲି କହିଥିଲା। କିନ୍ତୁ ସେ ଯେ ଜଣେ ଦୃଷ୍ଟିବାଧିତ ମା କୋଳରୁ ଛୁଆ ଚୋରି କରି ଆଣିବ, ସେ ବିଶ୍ବାସ ନଥିଲା। ପିଲାଟିକୁ ଚୋରି କରି ଆଣିବା ପରେ କେଦାରସନ ମିଛ କହିଥିଲା। ସେ ରାଜଧାନୀର ରାଜରାସ୍ତାରୁ ଅନାଥ ଶିଶୁଟିକୁ ଆଣିଛି ବୋଲି କହିଥିଲା। କିନ୍ତୁ ପରଦିନ ଘଟଣା ଜଣାପଡ଼ିବା ପରେ ଝେଲମରାଣୀ ପିଲାଟିକୁ ତା ମା’କୁ ଫେରାଇ ଦେବା ପାଇଁ କେଦାରସନକୁ କହିଥିଲେ। ହେଲେ, ସେ ରାଜି ହୋଇନଥିଲା। ଏମିତିକି ଆଉ ଧରାଛୁଆଁ ଦେଲା ନାହିଁ ଏବଂ ପୁରୀ ପଳାଇଗଲା। ଝେଲମରାଣୀଙ୍କ କହିବା କଥା ସେ ତାଙ୍କ ଅଞ୍ଚଳର ଥାନାକୁ ଯାଇ ସବୁ ସତ କହିବେ ବୋଲି ଭାବିଥିଲେ। ମାତ୍ର ଭୟରେ ସୋମବାର ଦିନ ଥାନାକୁ ଯାଇପାରିଲେ ନାହିଁ। ମଙ୍ଗଳବାର ସେ ଥାନାକୁ ଯାଇ ସବୁ ସତ ମାନିଯାଇଥାନ୍ତେ। ମାତ୍ର ତା ପୂର୍ବରୁ ପୁଲିସ ତାଙ୍କ ଘରେ ପହଞ୍ଚିଗଲା। କୌଣସି ମନ୍ଦ ଉଦ୍ଦେଶ୍ୟରେ ସେ ପିଲା ଚୋରି କରିବା ପାଇଁ କହି ନଥିଲେ।
ଅନ୍ୟ ପକ୍ଷରେ ପୁଲିସ କହିବା କଥା ଝେଲମରାଣୀଙ୍କ କଥାରେ କିଛି ସତ୍ୟତା ଥିବା ଅନୁଭବ ହେଉଛି। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ। ୯ବର୍ଷ ବୟସର ପୁଅ କିଡ୍ନି ରୋଗୀ। ଭୁବନେଶ୍ବର ଏମ୍ସରେ ପୁଅର ଚିକିତ୍ସା ଚାଲିଛି। ପେସାଦାର ଅପରାଧୀ କେଦାରସନ ହିଁ ଝେଲମରାଣୀଙ୍କୁ ମିଛ କହିଥିଲା। ମା’ କୋଳରୁ ପିଲାକୁ ଉଠାଇ ନେଇ ଅନାଥ ଶିଶୁ ବୋଲି କହିଥିଲା। ଏହି ମାମଲାର ପ୍ରମୁଖ ଦିଗଟି ହେଉଛି ସାକ୍ଷୀ ଯୋଗାଡ଼। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୁଲିସ ପାଇଁ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନାହାନ୍ତି। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ବୈଷୟିକ କୌଶଳ ହିଁ ପୁଲିସର ଭରସା। ତେଣୁ ଝେଲମରାଣୀ ରାଜସାକ୍ଷୀ ହେଲେ, ଅଭିଯୁକ୍ତ କେଦାରସନକୁ ଉପଯୁକ୍ତ ଦଣ୍ଡ ମିଳିପାରିବ। ତେଣୁ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ କହିବା କଥା ଝେଲମରାଣୀଙ୍କୁ ଅଧିକ ପଚରାଉଚରା କରାଯାଉଛି ଏବଂ ରାଜସାକ୍ଷୀ କରିବାକୁ ଯୋଜନା କରାଯାଉଛି। ଆସନ୍ତକାଲି କୋର୍ଟରେ ତାଙ୍କ ବୟାନ ରେକର୍ଡ କରାଯିବ ଏବଂ ତାଙ୍କୁ ନୋଟିସ୍ ଦେଇ ଛଡ଼ାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/16/qlV4yxh3UHG6sIzXuJO5.jpg)