ଭୁବନେଶ୍ବର: ସମ୍ପ୍ରତି ରାଜ୍ୟରେ ବେଶ୍‌ ଦ୍ରୁତବେଗରେ ବଢ଼ି ଚାଲିଛି ଶିଶୁ ନିଖୋଜ ତଥା ଅପହରଣ ମାମଲା। ପ୍ରତିଦିନ ରାଜ୍ୟର କେଉଁଠୁ ନା କେଉଁଠୁ ଏଭଳି ଘଟଣାକୁ ନେଇ ଲୋମଟାଙ୍କୁରା ଖବର ଆସୁଛି। କେଉଁଠି ଅର୍ଥଲାଳସାରେ ଶିଶୁ ଅପହରଣ କରାଯାଉଛି ତ କେଉଁଠି ଯୌନପିପାସା ମେଣ୍ଟାଇବା ଉଦ୍ଦେଶ୍ୟରେ ଏଭଳି ଅଭାବନୀୟ ଘଟଣା ଘଟୁଛି। ଉଦ୍‌ବେଗର କଥା ହେଉଛି ଅଧିକାଂଶ କ୍ଷେତ୍ରରେ ଅପହୃତ ଶିଶୁଙ୍କୁ ନୃଶଂସ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଏଭଳି କୁତ୍ସିତ ଚିନ୍ତାଧାରା ବୃଦ୍ଧିକୁ ନେଇ ସବୁ ମହଲରେ ଚିନ୍ତା ପ୍ରକାଶ ପାଇଲାଣି। 

Advertisment

ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ତଥ୍ୟ ଅନୁସାରେ ୮ ମାସରେ ରାଜ୍ୟରେ ୨୦ ହଜାର ଶିଶୁ ନିଖୋଜ ମାମଲା ହୋଇଛି। ୨୦୨୪ ଜୁନ୍‌ରୁ ୨୦୨୫ ଫେବ୍ରୁଆରି ୨୮ ମଧ୍ୟରେ ଏହିସବୁ ମାମଲା ରୁଜୁ ହୋଇଛି। ୨୦୨୦ ମସିହାରେ ୩୯୧୫ ଶିଶୁଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ୨୦୨୧ରେ ଏଭଳି ମାମଲା ସଂଖ୍ୟା ବଢ଼ିବଢ଼ି ୫୯୧୨ ଛୁଇଁଥିଲା। ଏବେ ଓଡ଼ିଶାରେ ଏଭଳି ଘଟଣାମାନ ବହୁ ପରିମାଣରେ ଦେଖିବାକୁ ମିଳୁଛି। ରାଜଧାନୀ ସମେତ ଢେଙ୍କାନାଳରୁ ଗଞ୍ଜାମ ପର୍ଯ୍ୟନ୍ତ ଚଳିତ ଏପ୍ରିଲ୍‌ ମାସରେ ଯେତିକି ଅଘଟଣ ଘଟିଲାଣି, ତାହା ଏକ ରେକର୍ଡ ବୋଲି ଚର୍ଚ୍ଚା ହେଉଛି। ଏପ୍ରିଲ୍‌ ୧୩ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ରାମମନ୍ଦିର ସମ୍ମୁଖରେ ‌ଶୋଇଥିବା ଜଣେ ଦୃଷ୍ଟିବାଧିତ ମା’ କୋଳରୁ ଦେଢ଼ ବର୍ଷର ପୁଅକୁ ଜଣେ ଦୁର୍ବୃତ୍ତ ଉଠାଇ ନେଇଥିଲା। ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। କିନ୍ତୁ କମିସନରେଟ୍‌ ପୁଲିସ ଏହି ଛୁଆଚୋରି ମାମଲାରେ ଖୁବ୍‌ଶୀଘ୍ର ସଫଳତା ପାଇଥିଲା। ଅପହର୍ତ୍ତାକୁ ଗିରଫ କରାଯିବା ସହ ଅପହୃତ ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କରାଯାଇଥିଲା।

ପୁଲିସର ସଫଳତା କିନ୍ତୁ ବେଶି ଦିନ ଚର୍ଚ୍ଚାରେ ରହି ନଥିଲା। ଏପ୍ରିଲ ୧୫ରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ରତନପୁର ଗାଁରେ ଘଟିଥିଲା ଆଉ ଏକ ନାବାଳକ ନିଖୋଜ ମାମଲା। ପ୍ରାୟ ୫ଦିନ ପରେ ନାବାଳକର ମୃତଦେହ ସେହି ଗାଁର ଜଣକ ପାଇଖାନା ଟାଙ୍କିରୁ ମିଳିଥିଲା। ସମ୍ପର୍କୀୟ ଦାଦା ତା’ର ଯୌନପିପାସା ମେଣ୍ଟାଇବା ପରେ ନାବାଳକକୁ ମାରି ପାଇଖାନା ଟାଙ୍କିରେ ପୂରାଇ ଦେଇଥିଲା। ଏହି ଅଭାବନୀୟ ଘଟଣା ମଧ୍ୟ ସମଗ୍ର ରାଜ୍ୟରେ ହଇଚଇ ଖେଳାଇଦେଇଥିଲା। ମାମଲା ଏତିକିରେ ସରି ନଥିଲା। ଏପ୍ରିଲ ୧୮ ତାରିଖ ସକାଳୁ ସକାଳୁ ପୁଣି ଏକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଲା। ସ୍କୁଲ୍‌ରୁ ଫେରୁଥିବା ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ରାଜଧାନୀ ଉପକଣ୍ଠ ପାଞ୍ଚଗାଁରୁ ଦୁର୍ବୃତ୍ତମାନେ କାର୍‌ରେ ଉଠାଇନେଲେ। ନାବାଳକଙ୍କ ମୁଣ୍ଡଜାମିନ ରଖି ୨୦ ଲକ୍ଷ ଟଙ୍କା ମାଗିଥିଲେ। କାରଣ ସେମାନେ ଜାଣିଥିଲେ ଯେ ନାବାଳକର ବାପା ଜମି ବିକି ୫୦ ଲକ୍ଷ ଟଙ୍କା ପାଇଥିଲେ। କିନ୍ତୁ ପୁଲିସ ଏହି ମାମଲାରେ ଘଟଣାଦିନ ହିଁ ଅପହର୍ତ୍ତାମାନଙ୍କୁ ଗିରଫ କରିବା ସହ ନାବାଳକକୁ ଉଦ୍ଧାର କରିପାରିଥିଲା। ଉଲ୍ଲେଖନୀୟ କଥା ହେଉଛି ଏହି ମାମଲାର ମାଷ୍ଟରମାଇଣ୍ଡ ଥିଲା ଅପହୃତ ନାବାଳକର ଟ୍ୟୁସନ୍‌ ଶିକ୍ଷକ। ସେହିଭଳି ଏସବୁ ମାମଲା ଭିତରେ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଆସିଥିଲା ଆଉ ଏକ ନାବାଳକ ନିଖୋଜ ମାମଲା। ଏହା ଆଜି ବି ଅସମାହିତ ହୋଇରହିଛି।