ଶିଶୁକନ୍ୟାର ଚାଞ୍ଚଲ୍ୟକର ବୟାନ: ଗରମ ଚଟୁରେ ପିଟୁଥିଲେ ସାବତ ମା; ଶିକୁଳିରେ ବାନ୍ଧି ରଖିଥିଲେ ବାପା

ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲା ଚାଇଲ୍ଡଲାଇନ୍

ଭୁବନେଶ୍ବର/ପିପିଲି : ପିପିଲି ଅଞ୍ଚଳର ଜଣେ ୭ ବର୍ଷର ଶିଶୁକନ୍ୟା ଉପରେ ହୋଇଥିବା ନିର୍ଯାତନାକୁ ଗୁରୁତ୍ବର ସହ ନେଇଛି ଭୁବନେଶ୍ବର ଚାଇଲ୍ଡ ଲାଇନ୍‌। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଗୁରୁବାର ଚାଇଲ୍ଡଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି ଓ ସଂଯୋଜିକା ରୁଲିନା ପାତ୍ର ହସ୍‌ପିଟାଲରେ ପହଞ୍ଚି ଚିକିତ୍ସାଧୀନ ଶିଶୁର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ପଚରାଉଚରା ବେ‌ଳେ ଶିଶୁକନ୍ୟା ଚାଞ୍ଚଲ୍ୟକର ବୟାନ ଦେଇଛି। ଦେଢ଼ ବର୍ଷ ହେବ ନିଜ ଘର ବାରଣ୍ଡାରେ ବାପା ଶିକୁଳିରେ ବାନ୍ଧି ରଖିଥିଲେ। ପ୍ରତିଦିନ ଅଯଥାରେ ଅତି ନିର୍ମମ ଭାବରେ ମାଡ଼ ମାରୁଥିଲେ। ସାବତ ମା’ ଗରମ ପାଣି ଢାଳି ଦେବା ସହ ପେଟରେ ଠିଆ ହୋଇ ଯାଉଥିଲେ। କେବଳ ଭାତ ଆଉ ଲୁଣ ଖାଇବାକୁ ଦିଆଯାଉଥିବାବେଳେ ମାସ ମାସ ଧରି ସେ ଭୋକରେ ଶୋଉଥିଲା। ସାବତ ମା ଗରମ ଚଟୁ ଓ ଝାଡ଼ୁରେ ମଧ୍ୟ ଆକ୍ରମଣ କରୁଥିଲେ। ଶିଶୁକନ୍ୟାକୁ ଏଭଳି ଅକଥନୀୟ ନିର୍ଯାତନା ଦେଇ ଜୀବନରେ ମାରି ଦେବା ପାଇଁ ଏକ ପ୍ରକାର ଯୋଜନା ହୋଇଥିଲା ବୋଲି ଚାଇଲ୍ଡଲାଇନ୍‌ର ତଦନ୍ତରୁ ଜଣାପଡ଼ିଛି।

ଗତକାଲି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଜଣକ ବର୍ତ୍ତମାନ କ୍ୟାପିଟାଲ୍ ହସ୍ପିଟାଲ୍‌ର ଶିଶୁ ୱାର୍ଡ ବେଡ୍ ନଂ୪୯ ରେ ଚିକିତ୍ସାଧୀନ ଅଛି। ତା’ର ଚିକିତ୍ସା ଖର୍ଚ୍ଚ ଚାଇଲ୍ଡଲାଇନ୍‌ ବହନ କରିଛି। ଏହା ସହିତ ତାର ଉତ୍ତମ ଚିକିତ୍ସା ଓ ଯତ୍ନ ପାଇଁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ଚାଇଲ୍ଡଲାଇନ୍‌ର ହସ୍ତକ୍ଷେପ ପରେ ନାବାଳିକାର ଜେଜେଙ୍କ ଅଭିଯୋଗକ୍ରମେ ଆଜି ବାଲିପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିସିପି, ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ,ଓ ସିଡବ୍ଲ୍ୟୁଡିସି(ଶିଶୁ ମଙ୍ଗଳ ସମିତି)ଙ୍କୁ ଚାଇଲ୍ଡଲାଇନ୍‌ ଚିଠି ଲେଖି ଅନୁରୋଧ କରିଛି।

ସୂଚନା ମୁତାବକ, ପିପିଲି ପୌରାଞ୍ଚଳର ଖାଲିକ ସାହା ନିଜ ଝିଅ ରିଜୱାନା ପରୱିନ(୨୭)ଙ୍କୁ ବାଲିପାଟଣା ଥାନା ବାରହଳ ଗାଁର ବେଲାଲ ଖାନଙ୍କୁ ୨୦୧୩ରେ ବିବାହ କରିଥିଲେ। ଏହା ପୂର୍ବରୁ ବେଲାଲ୍ ଏକ ବିବାହ କରିଥିଲେ। ତେଣୁ ରିଜୱାନା ତାଙ୍କ ଦ୍ବିତୀୟ ପତ୍ନୀ ଥିଲେ। ୨୦୧୪ରେ ଏକ କନ୍ୟାକୁ ଜନ୍ମଦେଲେ ରିଜୱାନା। ତେବେ ସ୍ବାମୀ ବେଲାଲ ନିର୍ଯାତନା ଦେବାରୁ ରିଜୱାନା ଝିଅକୁ ନେଇ ୨୦୧୪ ସେପ୍ଟେମ୍ବର ୯ରେ ନିଜ ବାପଘର ପିପିଲିକୁ ଚାଲି ଆସିଥିଲେ। ସେବେଠାରୁ ସେ ପିପିଲିରେ ଥିଲେ। ଏହା ମଧ୍ୟରେ ବେଲାଲ ତୃତୀୟ ବିବାହ କରିଥିଲେ। ପରବର୍ତ୍ତୀ ସମୟ ୨୦୨୦ ମାର୍ଚ୍ଚ ୧୪ ତାରିଖରେ ଜଣେ ଓକିଲଙ୍କ ଜରିଆରେ ଝିଅକୁ ତାଙ୍କ ବାପା ବେଲାଲ ନିଜ ଗାଁ ବାରହଳ ନେଇଯାଇଥିଲେ ବୋଲି ମା’ ରିଜୱାନା ଅଭିଯୋଗ କରିଛନ୍ତି। ରିଜୱାନାଙ୍କ ଅଭିଯୋଗ ଅନୁସାରେ କିଛିଦିନ ପରେ ଝିଅ ଉପରେ ବାପା ବେଲାଲ ଓ ସାବତ ମା’ର ନିର୍ଯାତନା ଅସହ୍ୟ ହୋଇଥିଲା। ଫଳରେ ଝିଅ ଗୁରୁତର ହୋଇ ପଡ଼ିଥିଲା। ତାର ଶରୀର କତରାଲଗା ହୋଇଯାଇଥିବାବେଳେ ତାକୁ ଶିକୁଳିରେ ବାନ୍ଧି ରଖାଯାଇଥିଲା। କିଛିଦିନ ପରେ ସାହି ପଡ଼ିଶା ଲୋକେ ଜାଣିବାରୁ କଥା ପ୍ରଘଟ ହୋଇଥିଲା। ଖବର ପାଇ ପିପିଲିର ଏକ ସାମାଜିକ ସଙ୍ଗଠନ ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଉଦ୍ଧାର କରି ଭୁବନେଶ୍ବର ଆଣିଥିଲେ। ଯେତେବେଳେ ସେ ନିଜ ମା’ଙ୍କ ପାଖରେ ରହିଥିଲା ସେତେବେଳେ ବହୁତ ସୁନ୍ଦର ଓ ସୁସ୍ଥ ଦେଖାଯାଉଥିଲା। ପ୍ରଥମ ଶ୍ରେଣୀରେ ପାଠ ମଧ୍ୟ ପଢ଼ୁଥିଲା। ହେଲେ ଆଉ ପାଠ ପଢ଼ୁନଥିବା ବେଳେ କୁନିଝିଅଟିର ଶରୀର ଏବେ କଙ୍କାଳସାର ହୋଇଯାଇଛି।

ସମ୍ବନ୍ଧିତ ଖବର