ଭୁବନେଶ୍ବର: ଗତ ତିନି ସପ୍ତାହ ଭିତରେ ଦୁଇ ଦୁଇଟି ଶିଶୁ ନିର୍ଯାତନାଜନିତ ମାମଲା ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି। ପ୍ରଥମ ଘଟଣାରେ ନୂଆପଲ୍ଲୀ ଥାନା ଅଞ୍ଚଳର ଜଣେ ନାବାଳିକା ଘରୋଇ ସହାୟିକାଙ୍କୁ ନିଷ୍ଠୁର ଘର ମାଲିକ ନିସ୍ତୁକ ମାଡ଼ ମାରି ରାସ୍ତା କଡ଼ରେ ଫିଙ୍ଗି ଦେଇଥି‌ଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା। ଦ୍ବିତୀୟ ମାମଲାଟି ଥିଲା ମଞ୍ଚେଶ୍ବର ଥାନା ଅଞ୍ଚଳର। ଏକ ଦମ୍ପତି ତାଙ୍କ ନାବାଳିକା ଘରୋଇ ସହାୟିକାଙ୍କୁ ନିର୍ମମ ଭାବେ ଚେଙ୍କ ଦେଉଥିଲେ। ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଖୋଦ୍‌ ରାଜଧାନୀରେ ଏଭଳି ନିଷ୍ଠୁର ପ୍ରଥା କିଛି ନୂଆ ନୁହେଁ। କିନ୍ତୁ ୨୦୨୨ ମସିହାରେ ରାଜଧାନୀରେ ପୁଣି ଏଭଳି କୁତ୍ସିତ ପ୍ରଥା ତିଷ୍ଠି ରହିଥିବାରୁ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। କେବଳ ଶିଶୁ ଶ୍ରମିକ ପ୍ରଥା ନୁହେଁ, ନାବାଳିକା ବିବାହ ପ୍ରଥା ବି ଆଜି ରାଜଧାନୀରରେ କିଛି କମ୍ ହେଉନାହିଁ। ଗତ ମାସକ ଭିତରେ ରାଜଧାନୀରୁ ଏଭଳି ତିନି ତିନିଟି ମାମଲାରେ ନାବାଳିକାମାନଙ୍କୁ ବାହାବେଦିରୁ ଉଦ୍ଧାର କରାଯାଇଛି। ସେହିଭଳି ମାସକ ଭିତରେ ଦୁଇ ଦୁଇଟି ଶିଶୁ ବିକ୍ରି ମାମଲା ମଧ୍ୟ ପୁଲିସର ରେକର୍ଡଭୁକ୍ତ ହୋଇଛି। ତେଣୁ ରାଜଧାନୀରେ ଶିଶୁ ନିର୍ଯାତନାର କରୁଣ କାହାଣୀର ତାଲିକା ବେଶ୍ ଲମ୍ବା।

Advertisment

ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌ ସୂଚନାନୁସାରେ ଗୋଟିଏ ବର୍ଷ ମଧ୍ୟରେ ୧୫୭ ନିଖୋଜ ଶିଶୁ, ଯୌନ ନିର୍ଯାତନାର ଶିକାର ୧୪ ଶିଶୁ, ଶିଶୁ ଶ୍ରମିକ ଭାବେ ନିର୍ଯାତନା ଶିକାର ହୋଇଥିବା ୧୯, ବାଲ୍ୟ ବିବାହ ଉଦ୍ୟମ ବେଳେ ୧୦, ଶିଶୁ ବିକ୍ରି ବେଳେ ୨ ଏବଂ ବିପଜ୍ଜନକ ଭାବେ ପରିତ୍ୟକ୍ତ ହୋଇପଡ଼ିଥିବା ୨୪ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ତେଣୁ ବିଭିନ୍ନ ବାଟରେ ନିର୍ଯାତନାର ଶିକାର ହେଉଥିବା ୨୨୬ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏସବୁ ବିଭିନ୍ନ କାରଣରୁ ଅଭିଯୋଗ ହେବା ପରେ ଲୋକଲୋଚନକୁ ଆସିଛି। ତେଣୁ ଏମିତିରେ ବହୁ ମାମଲା ମଧ୍ୟ ଲୋକଲୋଚନର ଅନ୍ତରାଳରେ ରହିଯାଇଛି। ତେଣୁ ବାସ୍ତବରେ ଶିଶୁ ନିର୍ଯାତନା ମାମଲା ବହୁ ଅଧିକ। ବଡ଼ କଥା ହେଉଛି ଉଦ୍ଧାର ହୋଇଥିବା ଶିଶୁମାନଙ୍କ ନାହାନ୍ତି ଭିକ୍ଷାବୃତ୍ତି କରୁଥିବା ଶିଶୁ। ରାଜଧାନୀରେ ଶହ ଶହ ସଂଖ୍ୟାରେ ଶିଶୁ ଭିକ ମାଗୁଛନ୍ତି।

ରାଜ୍ୟରେ ଭିକ୍ଷାବୃତ୍ତି ଉପରେ କଟକଣା ଲାଗିଥିଲେ ବି ଶିଶୁ ଭିକାରୀ ଦେଖିବାକୁ ମିଳୁଛନ୍ତି। ସେମାନଙ୍କ ଥଇଥାନ ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଭିକ୍ଷାବୃତ୍ତି କରୁଥିବା ଅଧିକାଂଶ ଶିଶୁ ରାଜ୍ୟ ବାହାର ହୋଇଥିବାରୁ ସେମାନଙ୍କୁ ସିଡବ୍ଲୁସିରେ ହାଜର କରିବା ପରେ ସେମାନଙ୍କ ଅଭିଭାବକମାନଙ୍କ ପାଖକୁ ପଠାଇ ଦିଆଯାଏ। ଉଦ୍ଧାର ହେଉଥିବା ଶିଶୁ ଶ୍ରମିକମାନଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ହୋଇଥାଏ। ଉଦ୍ଧାର ହେବା ପରେ ସେମାନଙ୍କୁ ଅଭିଭାବକଙ୍କ ପାଖକୁ ପଠାଇ ଦିଆଯାଏ ସିନା ପରେ ପୁଣି ସେମାନେ କାର୍ଯ୍ୟକ୍ଷେତ୍ରକୁ ଲେଉଟି ଆସନ୍ତି। ଅନେକ କ୍ଷେତ୍ରରେ ସେମାନଙ୍କ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ସେମାନଙ୍କୁ ବାଧ୍ୟ କରେ। ସେମାନଙ୍କ ଥଇଥାନ ପାଇଁ ଦକ୍ଷତା ବିକାଶ ତାଲିମ ପ୍ରଦାନର ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ରାଜଧାନୀରେ ଅଧିକାଂଶ ଶିକ୍ଷିତ ଲୋକ ଘର କାମ ପାଇଁ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରୁଛନ୍ତି। ସେମାନଙ୍କ ବିରୋଧରେ ଦଣ୍ଡାଦେଶ ହେଉନାହିଁ। ସେହିଭଳି ଶିଶୁ ଶ୍ରମିକ ରଖୁଥିବା କମ୍ପାନି ବିରୋଧରେ ଶ୍ରମ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଶିଶୁ ଯୌନ ନିର୍ଯାତନା ମାମଲାରେ ନ୍ୟାୟ ପ୍ରଦାନ ମଧ୍ୟ ବିଳମ୍ବିତ ହୋଇଛି। ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ ପୀଡ଼ିତା ପରିବାର ଅଭିଯୋଗ ପ୍ରତ୍ୟାହାର କରି ନିଅନ୍ତି। ତେଣୁ ଲମ୍ବା ସମୟର ଅଦାଲତି ମାମଲାରେ ପୀଡ଼ିତା ପରିବାର ଘାଣ୍ଟି ନହୋଇ ମାମଲାରୁ ଓହରି ଯାଆନ୍ତି। ଫଳରେ ଅଭିଯୁକ୍ତମାନେ ସହଜରେ ଖଲାସ ହୋଇଯାଆନ୍ତି। ପୁଣି ଶିଶୁ ସୁରକ୍ଷା ପାଇଁ ଥିବା ନିୟମ ଏବଂ ବ୍ୟବସ୍ଥା ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ। ଅବିବାହିତ ମା’ ଶିଶୁକୁ ଚାଇଲ୍ଡ ଲାଇନ ଜରିଆରେ ଦେଇ ପାରିବେ। ଏହା ସତ୍ତ୍ବେ ମଧ୍ୟ ଅନେକ ଶିଶୁଙ୍କୁ ଜଙ୍ଗଲରେ ବିପଜ୍ଜନକ ଭାବରେ ଛାଡ଼ି ଦିଆଯାଏ। କିଛି ଦିନ ପୂର୍ବରୁ ଭରତପୁର ଜଙ୍ଗଲରୁ ଗୋଟିଏ ଦିନର ନବଜାତ ଶିଶୁକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେହିଭଳି ମା’ ବାପା ହରାଇଥିବା ୮ ଓ ୬ ବର୍ଷର ୨ ଜଣ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇ ବାଳାଶ୍ରମରେ ରଖାଯାଇଛି। ରାଜ୍ୟରେ ପୃଷ୍ଠପୋଷକତା ବ୍ୟବସ୍ଥା ରହିଛି। ଯେଉଁଠି ଜଣେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ ନକରି ମଧ୍ୟ କୌଣସି ଶିଶୁଙ୍କୁ ପାଳନ କରିପାରିବେ। ମାତ୍ର ବିଦେଶ ଭଳି ଓଡ଼ିଶାରେ ଏହା ସଫଳ ହେଉନାହିଁ।

ସୂଚନାଯୋଗ୍ୟ, ୮୦ ଦଶକରେ କଳାହାଣ୍ଡିରେ ଶିଶୁ ବିକ୍ରି ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମାତ୍ର ଆଜି ବି ୨୦୨୨ ମସିହାରେ ରାଜଧାନୀର ଛାତି ଉପରେ ଏଭଳି ଅମାନବୀୟ ମାମଲାର ସଂଖ୍ୟା କିଛି କମ୍ ନୁହେଁ। ସହରର ବିଭିନ୍ନ ବସ୍ତିରେ ଦାରିଦ୍ର୍ୟର ସ୍ଥିତି ଏଭଳି ଯେ ନିଜେ ମା’ ସ୍କୁଲ ପଢୁଆ ଝିଅମାନଙ୍କୁ ଜହ୍ଲାଦ ଘର ମାଲିକମାନଙ୍କ ପାଖକୁ ଘର କାମ ପାଇଁ ପଠାଉଛନ୍ତି। ସେଠାରେ ସେମାନେ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହେଉଛନ୍ତି। ମହାମାରୀ କରୋନାର ଭୟଙ୍କର ପ୍ରଭାବ ଲାଗି ଏଭଳି ମାମଲା ବୃଦ୍ଧି ପାଇଥିବା କହିଛନ୍ତି ରୁଚିକା ଚାଇଲ୍ଡ ଲାଇନ ନିର୍ଦେଶକ ବେଣୁଧର ସେନାପତି।