ପିଲାମ‌ାନେ ପିତାମାତାଙ୍କ ଯତ୍ନ ନିଅନ୍ତୁ: ବାଚସ୍ପତି

ଆରଆରଟିସି ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ

ଚନ୍ଦ୍ରଶେଖରପୁର: ନ୍ୟାସନାଲ ରିସୋର୍ସ ସେଣ୍ଟର ଫର୍‌ ଓମେନ୍‌ ଡେଭଲପ୍‌ମେଣ୍ଟ (ଏନ୍ଆର୍‌ସିଡବ୍ଲ୍ୟୁଡି) ଦ୍ୱାରା ପରିଚାଳିତ ରିଜିଓନାଲ ରିସୋର୍ସ ଆଣ୍ଡ ଟ୍ରେନିଂ ସେଣ୍ଟର (ଆରଆରଟିସି) ପକ୍ଷରୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ସହଯୋଗରେ ଭୁବନେଶ୍ୱରସ୍ଥିତ ରେଳ ପ୍ରେକ୍ଷାଳୟରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି। ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ପିଲା ତାଙ୍କ ପିତାମାତାଙ୍କ ଇଚ୍ଛା ଓ ତାଙ୍କର ଯତ୍ନ ନେବା ପାଇଁ ଆହ୍ୱାନ ଦେଇଥିଲେ। ପଦ୍ମଶ୍ରୀ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନେ ଡାକ୍ତରଙ୍କ ପରାମର୍ଶ କରି କର୍ମଜୀବୀ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ଉପମା ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବୟସ୍କ ଲୋକଙ୍କ ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏକ ନୀତି ଖୁବ୍‌ଶୀଘ୍ର ପ୍ରଣୟନ କରାଯିବ। ଏନ୍ଆଇଏସ୍‌ଡିର ଉପନିର୍ଦ୍ଦେଶକ ଡ. ଏସ୍‌.ସି ଶ୍ରୀଧରା ଚନ୍ନାକେଶବା ରଙ୍ଗା ରେଡ୍ଡୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ଭାସ୍କର ଶର୍ମା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଣୟନ ହୋଇଥିବା ଯୋଜନା ସମ୍ପର୍କ‌‌ରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଏନ୍ଆରସିଡବ୍ଲୁଡିର ସମ୍ପାଦକ ସୁକାନ୍ତ କୁମାର ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ନାଗେଶ୍ୱର ପଟ୍ଟନାୟକ ସଭାପତିତ୍ୱ କରିଥିଲେ।

ଏହି ଅବସରରେ ଆର୍‌ଆର୍‌ଟିସି ପକ୍ଷରୁ ଆଇଇସି ମ୍ୟାଟେରିଆଲ୍ ବଣ୍ଟନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ଆରଆରଟିସି ପକ୍ଷରୁ ଏକ ୱାକାଥନ୍, ସ୍ୱାସ୍ଥ୍ୟ ଶିବିର, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୟୋଜ୍ୟେଷ୍ଠ ବ୍ୟକ୍ତି, ଜାତୀୟ ସମର ଶିକ୍ଷାର୍ଥୀବାହିନୀ(ବାଳିକା ବିଭାଗ), ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତା, ବରିଷ୍ଠ ନାଗରିକ ବାସସ୍ଥାନର ଅନ୍ତେବାସୀଗଣ, ସାମାଜିକ କର୍ମୀଙ୍କୁ ନେଇ ପ୍ରେସ୍‌ ଛକରୁ ୱାକାଥନ୍‌ ଆରମ୍ଭ ହୋଇଥିଲା। ରେଳ ପ୍ରେକ୍ଷାଳୟରେ ପହଞ୍ଚିବା ପରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର