ଭୁବନେଶ୍ୱର: ପ୍ରତିଦିନ କେଉଁଠି ନା କେଉଁଠି କୋମଳମତି ଛାତ୍ରଛାତ୍ରୀ ନିର୍ଯାତନାର ଶିକାର ହେଉଛନ୍ତି। ସ୍କୁଲ କର୍ତୃପକ୍ଷଙ୍କ ଅବହେଳା ଓ ଅଭିଭାବକଙ୍କ ଅସାବଧାନତା ପାଇଁ ବାରମ୍ବାର ଏଭଳି ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନି। ଯେଉଁଥିପାଇଁ ଗତ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁ ନିର୍ଯାତନା ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ ରଖି ୨୦୧୮-୧୯ ଶିକ୍ଷାବର୍ଷରେ ସ୍କୁଲ କ୍ୟାମ୍ପସ୍ ଶିଶୁଙ୍କ ଉପଯୋଗୀ କରିବା ଲାଗି ନିର୍ଦେଶ ଦିଆଯାଇଛି। ସେହି ଅନୁଯାୟୀ ଭୁବନେଶ୍ୱରସ୍ଥିତ ଶିଶୁ ସୁରକ୍ଷା ସମିତି (ସିଡବ୍ଲୁସି) ପକ୍ଷରୁ ଖୋର୍ଧା ଜିଲ୍ଲା ଅଧୀନରେ ଥିବା ଭୁବନେଶ୍ୱର, ବେଗୁନିଆ, ବୋଲଗଡ଼, ଖୋର୍ଧା ଓ ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନିକଟକୁ ଚିଠି କରାଯାଇଛି। ଶିଶୁଙ୍କ ପାଇଁ ସ୍କୁଲ କ୍ୟାମ୍ପସରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବାକୁ କୁହାଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଅଧୀନରେ ଥିବା ବିଦ୍ୟାଳୟ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅଧୀନରେ ଥିବା ଆବାସିକ ସ୍କୁଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ, ୧୮ବର୍ଷରୁ କମ୍ ବୟସର ଶିଶୁମାନେ ରହୁଥିବା ଆବାସିକ ସ୍ଥାନରେ ସୁରକ୍ଷା ଯୋଗାଇବାକୁ କୁହାଯାଇଛି। ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ, ପ୍ରି-ସ୍କୁଲ, ଧାର୍ମିକ ଶିକ୍ଷାନୁଷ୍ଠାନରେ ବି ଗାଇଡ୍ଲାଇନ୍ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି।
ଶିକ୍ଷାନୁଷ୍ଠାନ ମୁଖ୍ୟ ପିଲାଙ୍କ କ୍ଲାସ, ବସ୍ ସୁବିଧା, ଅନ୍ତଃବିଦ୍ୟାଳୟ ଖେଳକୁଦ ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଯିବା ସମୟରେ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବେ। ବିଦ୍ୟାଳୟ ଶିକ୍ଷକ, କର୍ମଚାରୀ, ଅଭିଭାବକମାନେ ସେମାନଙ୍କ ପିଲାଙ୍କ ସୁରକ୍ଷା ଦାୟିତ୍ୱ ସମ୍ପର୍କରେ ଅବଗତ ହେବା ଆବଶ୍ୟକ। ଏନେଇ ସମସ୍ତଙ୍କୁ ସଚେତନ କରାଯିବା ଜରୁରୀ। ଶିଶୁମାନେ ଯେପରି ନିର୍ଯାତନା ଶିକାର ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ହେବ। ଏଥିପାଇଁ ଶିକ୍ଷାବର୍ଷ ଆରମ୍ଭରୁ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି। ସୁରକ୍ଷା ସମ୍ପର୍କରେ ସ୍କୁଲ ଡାଏରି ତଥା ପାଠ୍ୟପୁସ୍ତକରେ ଉଲ୍ଲେଖ କରିବା, ସ୍କୁଲ ମ୍ୟାନେଜ୍ମେଣ୍ଟ କମିଟି ସଦସ୍ୟଙ୍କୁ ସଚେତନ କରିବା, ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ମଚାରୀଙ୍କ ନିକଟରେ ସିଡବ୍ଲୁସି ଅଧ୍ୟକ୍ଷ, ଏସ୍ପି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଯୋଗଯୋଗ ନମ୍ବର ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସ୍କୁଲ କ୍ୟାମ୍ପସରେ ହେଲ୍ପ ଲାଇନ୍ ନମ୍ବର ଉଲ୍ଲେଖ କରିବାକୁ ବି କୁହାଯାଇଛି। କ୍ୟାମ୍ପସ୍ର ସୁରକ୍ଷାକୁ ବି ଗୁରୁତ୍ୱ ଦେବାକୁ ହେବ। ସ୍କୁଲ ବିଲ୍ଡିଂର ସୁରକ୍ଷା, ନିର୍ଧାରିତ ଉଚ୍ଚତା ବିଶିଷ୍ଟ ପାଚେରି, ଖେଳପଡ଼ିଆ, ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀର ପିଲାଙ୍କ ପାଇଁ ଆବଶ୍ୟକୀୟ ବିଜୁଳି, ସୁରକ୍ଷା, ଶ୍ରେଣୀଗୃହ ରହିବା ଦରକାର। ଛାତ୍ର ଓ ଛାତ୍ରୀଙ୍କ ଲାଗି ଅଲଗା ଶୌଚାଳୟ, ସ୍କୁଲ ବସ୍ରେ ସୁରକ୍ଷା କରିବାକୁ କୁହାଯାଇଛି। ଶିକ୍ଷକ, କର୍ମଚାରୀ, ବସ୍ ଚାଳକ, କଣ୍ଡକ୍ଟର, ହେଲପର, ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦେବା ପୂର୍ବରୁ ତାଙ୍କ ବିଷୟରେ ଭଲ ଭାବେ ଯାଞ୍ଚ କରାଯିବା ଦରକାର। କ୍ୟାମ୍ପସ ପରିସରରେ ଏକ ‘ପରାମର୍ଶ ବାକ୍ସ’ ରହିବ। ସପ୍ତାହକୁ ଅତି କମ୍ରେ ଥରେ ଏହା ଖୋଲିବ। ଦୁଇ ଜଣ ଅଭିଭାବକ, ଜଣେ ମହିଳା ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଶିଶୁ ସୁରକ୍ଷା ଅଧିକାରୀ ଏହି ସମୟରେ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀ ବାହାରକୁ ବୁଲିବାକୁ ଯିବା ସମୟରେ ଛାତ୍ରୀଙ୍କ ସହ ଜଣେ ମହିଳା ସୁରକ୍ଷା କର୍ମୀ ରହିବା ଅତ୍ୟନ୍ତ ଜରୁରୀ। ବିଦ୍ୟାଳୟରେ ଜଣେ ମହିଳା ଓ୍ଵାଡେନ୍ ନିଯୁକ୍ତ ହେବାକୁ ବି ପରାମର୍ଶ ଦିଆଯାଇଛି।