ଭୁବନେଶ୍ୱର : ‌‌ଶିଶୁର ଜୀବନ ନେଲା ମୁକୁଳା ସ୍ବେରେଜ୍‌ ଖାଲ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ମଞ୍ଚେଶ୍ବର ଥାନା ବାଲିଆପଟା ବସ୍ତି ଅଞ୍ଚଳରେ ସ୍ବେରେଜ୍‌ ଟାଙ୍କି ଖାଲରେ ପଡ଼ି ଜଣେ ୬ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲା, ଉକ୍ତ ବସ୍ତିରେ ରହୁଥିବା ପି. ନରସିଂହାଙ୍କ ପୁଅ ପି. ଶିବା(୬)। ଖାଲରେ ବର୍ଷା ପାଣି ଭର୍ତ୍ତି ହୋଇଥିବାରୁ ଶିବା ବୁଡ଼ି ଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୁକୁଳା ଥିବା ଖାଲରେ ଏହି ଦୁର୍ଘଟଣା ଘଟିଥିବାରୁ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ବାଲିଆପଟା ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉପଯୁକ୍ତ କ୍ଷତିପୂରଣ ଓ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ ବସ୍ତିବାସିନ୍ଦା। ତେବେ ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏହି ଅଘଟଣଟି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ପୁଲିସ ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ ଶିବା ବସ୍ତିର ଅନ୍ୟ ପିଲାଙ୍କ ସହ ଖେଳୁଥିଲା। ଅସାବଧାନତାବଶତଃ ସ୍ବେରେଜ୍‌ ପାଇଁ ଖୋଳା ଯାଇଥିବା ଖାଲରେ ସେ ଖସି ପଡ଼ିଥିଲା। ବର୍ଷା ଯୋଗୁଁ ଖାଲରେ ପାଣି ଭର୍ତ୍ତି ହୋଇଥିବାରୁ ଶିବା ବୁଡ଼ି ଯାଇଥିଲା। ଖବର ପାଇ ପରିବାରଲୋକ ବସ୍ତିବାସିନ୍ଦାଙ୍କ ସହଯୋଗରେ ଶିବାକୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବାଲିଆପଟା ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ବସ୍ତି ନିକଟରେ ବିପଦସଂକୁଳ ଅବସ୍ଥାରେ ମୁକୁଳା ଖାଲ ଛାଡ଼ି ଦିଆଯାଇଥିବାରୁ ଗୋଟିଏ ନିରୀହ ଶିଶୁର ଜୀବନ ଚାଲିଗଲା ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରି ହୋ-ହଲ୍ଲା କରିଥିଲେ। ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିବା ସହ ସ୍ବେରେଜ୍‌ କାମ କରାଉଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ରାଜଧାନୀରେ ଏଭଳି ଅଭାବନୀୟ କାଣ୍ଡ ବାରମ୍ବାର ଘଟୁଥିଲେ ହେଁ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର