ଭୁବନେଶ୍ବର: ଏପିଜେ ସ୍କୁଲରେ ପିଲାଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାରେ ଜାତୀୟ ମାନବାଧିକାର କମିସନ ରିପୋର୍ଟ ମାଗିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ, ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ କମିସନରେଟ ପୁଲିସକୁ ରିପୋର୍ଟ ମଗାଯାଇଛି। ସମ୍ପୃକ୍ତ ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଚାରି ସପ୍ତାହ ଭିତରେ କମିସନଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଘାଟିକିଆସ୍ଥିତ ଏପିଜେ ସ୍କୁଲରେ ପ୍ରାୟ ୩୪ ପିଲା ସ୍କୁଲ ଫି’ଦେଇନଥିଲେ।
ଘଟଣାଦିନ ସ୍କୁଲ କର୍ତ୍ତୃପକ୍ଷ ଉକ୍ତ ପିଲାଙ୍କୁ ଲାଇବ୍ରେରିରେ ୫ ଘଣ୍ଟା ଧରି ବନ୍ଦ କରି ରଖିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେଇଥିଲେ। ଅଭିଯୋଗ ପରେ ଭରତପୁର ଥାନା ପୁଲିସ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜେରା କରିଥିଲା। ଓଡିଶା ଅଭିଭାବକ ସଂଘ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।