ଭିଡ଼ ପାଇଁ ୫ବର୍ଷର ଶିଶୁର ଆମ୍ବୁଲାନ୍‌ସରେ ମୃତ୍ୟୁ ଘଟଣା : ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିଲେ ୬ ମାସ ଜେଲ୍‌

ଡ୍ରାଇଭିଂ ଲାଇସେନ୍ସ ବି ରଦ୍ଦ ହେବ, ଟ୍ରାଫିକ ଡିସିପିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର : ଟ୍ରାଫିକ୍‌ ଜାମ୍‌ କାରଣରୁ ଆମ୍ବୁଲାନ୍ସ ଭିତରେ ଶିଶୁ ନୀଲ ନିତେଶ ନାୟକ(୫)ଙ୍କ ମୃତ୍ୟୁ ଘଟଣାକୁ ଗୁରୁତ୍ବର ସହ ନେଇଛି ମହିଳା ଓ ଶିଶୁ ଆୟୋଗ। ଆୟୋଗ ପକ୍ଷରୁ ଟ୍ରାଫିକ୍‌ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ଘଟିଲା, କ୍ୟାପିଟାଲ ହସ୍ପିଟାଲରୁ ନାଲ୍‌କୋ ଛକ ମଧ୍ୟରେ କେଉଁଠି କେଉଁଠି ଆମ୍ବୁଲାନ୍ସ ଅଟକିଥିଲା, କାହିଁକି ଅଟକିଥିଲା, ସେ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ଏତଦ୍‌ବ୍ୟତୀତ ଆମ୍ବୁଲାନ୍ସଗୁଡ଼ିକ ଯେପରି କେଉଁଠି ନ ଅଟକି ବିନା ବାଧାରେ ସିଧାସଳଖ ମେଡିକାଲରେ ପହଞ୍ଚି ପାରିବ, ସେ ଦିଗରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ କ’ଣ ବ୍ୟବସ୍ଥା ହୋଇଛି, ତାହା ଜଣାଇବାକୁ ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ ମୃତ ଶିଶୁର ପରିବାରଲୋକଙ୍କ ଅଭିଯୋଗ ପରେ କଠୋର ହୋଇଛି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏଣିକି ସଂଶୋଧିତ ମୋଟର ଯାନ ଆଇନରେ ଥିବା ଆମ୍ବୁଲାନ୍ସ ସଂକ୍ରାନ୍ତ ଆଇନକୁ କଡ଼ାକଡ଼ି ପାଳନ କରାଯିବ। ତଦନୁଯାୟୀ, କେହି ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡ଼ିକୁ ରାସ୍ତା ନ ଛାଡ଼ିଲେ, ୧୦ ହଜାର ଟଙ୍କା ଜରିମାନା ଓ ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବେ। ଯେଉଁ ବାଇକ୍ କିମ୍ବା କାର୍‌ ଚାଳକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ୁ ନ ଥିବେ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ପରିବହନ ବିଭାଗକୁ ଚିଠି ଲେଖିବ ପୁଲିସ।

ସୂଚନାଯୋଗ୍ୟ, ଆମ୍ବୁଲାନ୍ସକୁ ସର୍ବାଧିକ ଗୁରୁତ୍ବ ନ ଦେବା, ରାସ୍ତା ନ ଛାଡ଼ିବା ରାଜଧାନୀବାସୀଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି। ବିଭିନ୍ନ ସମୟରେ ଦେଖାଯାଇଥାଏ, ଆମ୍ବୁଲାନ୍ସଟିଏ ସାଇରନ୍‌ ମାରି ଆସୁଥିଲେ ମଧ୍ୟ ତାକୁ କାର୍‌ ଓ ବାଇକ୍ ଚାଳକମାନେ ରାସ୍ତା ଛାଡ଼ିବକୁ କୁଣ୍ଠା ପ୍ରକାଶ କରିଥାନ୍ତି। ଗତକାଲି ଖଣ୍ଡଗିରି ଛକରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କେବଳ ଖଣ୍ଡଗିରି ଛକ କାହିଁକି, ରାଜଧାନୀର ବିଭିନ୍ନ ଛକରେ ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳିଥାଏ। କିନ୍ତୁ ଟ୍ରାଫିକ ପୁଲିସ ପକ୍ଷରୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନଜିର ନାହିଁ। ତେବେ ଏ ସମ୍ପର୍କରେ ଟ୍ରାଫିକ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସଚେତନତା ଅଭାବରୁ ଏଭଳି ଘଟଣା ଘଟିଥାଏ। କେହି କୌଣସି ବି ପରିସ୍ଥିତିରେ ଜରୁରୀକାଳୀନ ଗାଡ଼ିକୁ ଅଟକାଇ ପାରିବ ନାହିଁ। ମାନବ ସମ୍ବଳ ଅଭାବରୁ ସବୁ ଜାଗାରେ ଠିଆ ହୋଇ ଏହାକୁ ଯାଞ୍ଚ କରିବା କଷ୍ଟକର ବ୍ୟାପାର। ତେବେ ଯେଉଁ ଛକରେ ସିସି କ୍ୟାମେରା ଲାଗିଛି, ସେଠାରେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଗାଡ଼ିକୁ କେହି ରାସ୍ତା ନ ଛାଡ଼ି‌ବା ଦୃଶ୍ୟ ରେକର୍ଡିଂ ଭିଡିଓ ହସ୍ତଗତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅପରପକ୍ଷେ ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏକ ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ସାଧାରଣ ଜନତା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ପ୍ରତି ବଦାନ୍ୟତା ଦେଖାନ୍ତୁ। ସେ ଆହୁରି କହିଛନ୍ତି ଯେ ଟ୍ରାଫିକ୍‌ରେ ଫସି ରହିଥିବା ଆମ୍ବୁଲାନ୍ସକୁ ସାଧାରଣ ଲୋକେ ରାସ୍ତା ଦେବା ସହ ରୋଗୀଙ୍କ ଜୀବନ ବଞ୍ଚାଇବାକୁ କରୁଣାଭାବ ପ୍ରକାଶ କରନ୍ତୁ। ଲୋକଙ୍କ ଜୀବନ ପ୍ରତି ଲୋକେ ଯତ୍ନବାନ ହେବାକୁ ସେ ଅନୁରୋଧ କରିଛନ୍ତି।

ପ୍ରକାଶ ଥାଉକି, ସୋମବାର ରାତିରେ ନୀତେଶ ଅସୁସ୍ଥ ହୋଇ ପଡ଼ିଥିଲା। ପରିବାରଲୋକ ତାକୁ କ୍ୟାପିଟାଲ ହସ୍ପିଟା‌ଲରେ ଭର୍ତ୍ତି କରାଇଥିଲେ। ମଙ୍ଗଳବାର ଅବସ୍ଥା ଉଦ୍‌ବେଗଜନକ ହେବାରୁ କ୍ୟାପିଟାଲ ହସ୍ପିଟାଲ ଡାକ୍ତର କଟକ ବଡ଼ ମେଡିକାଲ ପଠାଇ ଦେଇଥିଲେ। କିନ୍ତୁ ପରିବାରଲୋକ ଘରୋଇ ଆମ୍ବୁଲାନ୍ସରେ ପୁଅକୁ କିମ୍ସ ହସ୍ପିଟାଲ ନେଉଥିଲେ। ଟ୍ରାଫିକ୍ ଜାମ କାରଣରୁ ଆମ୍ବୁଲାନ୍ସ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚି ପାରି ନଥିଲା। ଫଳରେ ଅଧା ରାସ୍ତା‌ରେ ଆମ୍ବୁଲାନ୍ସ ଭିତରେ ଶିଶୁର ଜୀବନ ଚାଲି ଯାଇଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର